ପାକିସ୍ତାନକୁ ମିଳିଲା ବାସମତି ଚାଉଳର ଜିଆଇ ଟ୍ୟାଗ୍

0 64

ଇସଲାମାବାଦ, ୨୮ ।୧: ବାସମତି ଚାଉଳର ଜିଆଇ ମାନ୍ୟତା ପାକିସ୍ତାନକୁ ମିଳିଛି । ତେବେ ଏଥିରେ ଆଦୌ ବ୍ୟସ୍ତ ନ ହେବାକୁ ବାସମତି ଚାଉଳ ରପ୍ତାନୀ କରୁଥିବା ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି । ସେମାନେ କହିଛନ୍ତି ଯେ ଉଭୟ ପାକିସ୍ତାନ ଓ ଭାରତରେ ବାସମତି ଚାଉଳ ଉତ୍ପାଦିତ ହୋଇଥାଏ । ପାକିସ୍ତାନ ନିଜ ଦେଶରେ ଉତ୍ପାଦିତ କରୁଥିବା ବାସମତି ଚାଉଳ ପାଇଁ ଜିଆଇ ଟ୍ୟାଗ ପାଇଛି । ଭାରତରେ ଉତ୍ପାଦିତ ଓ ରପ୍ତାନୀ ହେଉଥିବା ବାସମତି ଚାଉଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେମାନେ କହିଛନ୍ତି । ଜାନୁଆରୀ ୨୭ରେ ପାକିସ୍ତାନ କର୍ମସ ପରାର୍ମଶଦାତା ଅବଦୁଲ ରଜାକ ଦାଉଦ ଟ୍ୱିଟ କରି ପାକିସ୍ତାନ ବାସମତି ଚାଉଳର ଜିଆଇ ମାନ୍ୟତା ପାଇଥିବା ସୂଚନା ଦେଇଥିଲେ । ଏହାପରେ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚର ଡେପୁଟି ଡିଜି ଅଶୋକ କୁମାର ସିଂହ କହିଛନ୍ତି, ୧୯୪୭ ପୂର୍ବରୁ ଆମେ ଏକ ଥିଲୁ । ଉଭୟ ଦେଶରେ ବାସମତି ଚାଉଳ ଉତ୍ପାଦିତ ହେବା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଭାରତରେ ଆମେ ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବାସମତି ଚାଉଳ ଉତ୍ପାଦନ କରୁଛୁ । ପାକିସ୍ତାନରେ ମଧ୍ୟ ନିଜସ୍ୱ ବାସମତି ଚାଉଳ ପାଇଁ ଜମି ରହିଛି । ଭାରତ କେବେ ହେଲେ ପାକିସ୍ତାନ ସହ ବାସମତି ଚାଉଳର ଜିଆଇ ଟ୍ୟାଗ ପାଇଁ ଲଢ଼େଇ କରିନି । ଅନ୍ତର୍ଜାତୀୟ ସ୍ତରରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରିବା ପୂର୍ବରୁ ପ୍ରଥମେ ନିଜ ଦେଶରେ ଜିଆଇ ଆଇନ ପ୍ରଣୟନ କରିବାକୁ ପଡ଼େ । ପାକିସ୍ତାନରେ ଏଯାଏ ଜିଆଇ ଆଇନ ନଥିଲେ । ନିକଟରେ ସେମାନେ ଏହି ଆଇନକୁ କାର୍ଯ୍ୟକାରୀ କରି ବାସମତି ଚାଉଳର ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିଲେ । ଏଥିପାଇଁ ସେମାନଙ୍କୁ ତାଙ୍କ ଦେଶରେ ଉତ୍ପାଦିତ ହେଉଥିବା ବାସମତି ପାଇଁ ଜିଆଇ ମାନ୍ୟତା ମିଳିଛି । ପାକିସ୍ତାନ ଏବେ ଭାରତକୁ ଅନୁସରଣ କରୁଛି । ଭାରତ ୨୦୦୧ରେ ଜିଆଇ ଆଇନ ପ୍ରଣୟନ କରିଥିଲା । ୨୦୦୮ରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିଲା । ତେଣୁ ଭାରତ ପାକିସ୍ତାନ ଠାରୁ ଯଥେଷ୍ଟ ଆଗରେ ରହିଛି । ଭାରତକୁ ମଧ୍ୟ ବାସମତି ଚାଉଳ ପାଇଁ ଜିଆଇ ମାନ୍ୟତା ମିଳିବ । ଏଥିରେ ଆଦୌ ବ୍ୟସ୍ତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.