ଭୟଙ୍କର ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୧୭୦ଙ୍କ ପତ୍ତା ମିଳୁନି

0 68

ଚମୋଲି: ତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବରଫ ଅତଡ଼ା ଖସି ଗତକାଲି ଭୟଙ୍କର ବିପର୍ଯ୍ୟୟ ଘଟିଥିବା ବେଳେ ଏଥିରେ ମୃତକଙ୍କ ସଂଖ୍ୟା ୧୪ରେ ପହଞ୍ଚିଲାଣି । ଏହି ଭୟଙ୍କର ହିମସ୍ଖଳନରେ ଏବେ ବି ୧୭୦ ଲୋକ ନିଖୋଜ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଏହି ଦୁର୍ଘଟଣା ସମୟରେ ତପୋବନ ଏନଟିପିସି ପ୍ଲାଣ୍ଟରେ ୧୦୦ରୁ ଅଧିକ ଲୋକେ କାମ କରୁଥିଲେ । ଗତକାଲି ଘଟଣାସ୍ଥଳରୁ ୧୦ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଆଟିବିପିର ଡିଜି କହିଥିଲେ । ଏହାବ୍ୟତୀତ ୩୦ରୁ ଅଧିକ ଲୋକ ଏବେ ବି ପ୍ରୋଜେକ୍ଟର ସୁଡଙ୍ଗରେ ଫସି ରହିଥିବା ସୂଚନା ମିଳିଛି । ବିଳମ୍ୱିତ ରାତିରେ ଜଳସ୍ତର କମିବା ପରେ ସେମାନଙ୍କୁ ଉଦ୍ଧାର ଲାଗି ଇଞ୍ଜିନିୟରିଂ ୱିଙ୍ଗର ୪୦ ଯବାନ ଅପରେସନ ଆରମ୍ଭ କରିଛନ୍ତି । ଜେସିବି ସହାୟତରେ ଟନେଲ ଭିତରେ ପ୍ରବେଶ କରି ରାସ୍ତା ଖୋଲିବାକୁ ଉଦ୍ୟମ ଜାରି ରହିଛି । ହେଲେ ଟନେଲରେ ବହୁତ ଆବର୍ଜନା ଜମା ହୋଇଯିବାରୁ ତାକୁ ହଟାଇବା କାଠିକର ପାଠ ହୋଇପଡ଼ୁଛି । ନିଖୋଜ ୧୭୦ଙ୍କ ମଧ୍ୟରୁ ପ୍ଲାଣ୍ଟରେ ୧୪୮ ଓ ଋଷିଗଙ୍ଗାରେ କାମ କରୁଥିବା ୨୨ ଲୋକ ସାମିଲ ଥିବା ସୂଚନା ମିଳିଛି । ଅନ୍ୟ ଏକ ଟନେଇରେ ଫସିଥିବା ୧୨ ଜଣଙ୍କୁ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି । ଋଷିଗଙ୍ଗା ଓ ତପୋବନ ପ୍ରୋଜେକ୍ଟ ଭାସି ଯିବା ଦ୍ୱାରା ପ୍ରାୟ ୭ଶହ କୋଟିର କ୍ଷତି ହୋଇଥିବା ଆକଳନ କରାଯାଉଛି । ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଓ ଆଇଟିବିପି ଓ ସ୍ଥାନୀୟ ପୁଲିସ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବରଫ ଅତଡ଼ା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା, ଯେଉଁଥିରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି । ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏହି ଭୟଙ୍କର ଦୁର୍ଘଟଣାରେ ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରିଛନ୍ତି । ଏସଡିଆରଏଫର ଡିଆଇଜି ରିଦ୍ଧିମା ଅଗ୍ରୱାଲ୍ କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି । ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି । ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥଳ ଓ ବାୟୁ ସେନାକୁ ଆଲର୍ଟରେ ରଖାଯାଇଛି । ଗତକାଲି ଚମୋଲି ଜୋଶୀମଠ ନିକଟରେ ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦ ଏବଂ ଧଉଳି ଗଙ୍ଗା ନଦୀରେ ବନ୍ୟା ସ୍ଥିତିି ସୃଷ୍ଟି ହୋଇଥିଲା । ଯୋଶୀମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇ ହୋଇଯାଇଛି । ଏହି ଅଘଟଣରେ ତପୋବନରେ ଥିବା ଋଷିିଗଙ୍ଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡରେ ପ୍ରକୃତିର ଏହି ତାଣ୍ଡବ ପରେ ପିଏମ୍ ମୋଦି ମଧ୍ୟ ସମୀକ୍ଷା କରିଛନ୍ତି ଏବଂ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ପିଏମ୍ ମୋଦି ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.