ଆଉ ୧୪.୫ ନିୟୁତ କରୋନା ଟିକାର ଡୋଜ୍ କିଣିଲା ଭାରତ

0 75

ନୂଆଦିଲ୍ଲୀ, ୯ ।୨: କରୋନାକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଏଯାଏଁ ଦେଶରେ ୬୦ ଲକ୍ଷରୁ ଅଧିକ ଲୋକ କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି । ୧୩ ତାରିଖରୁ ଜାନୁଆରୀ ୧୬ରେ ଟିକା ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ । ଏସବୁ ଭିତରେ ଭାରତ ସରକାର ଆଉ ୧୪.୫ ମିଲିୟନ କରୋନାର ଟିକାର ଡୋଜ୍ କିଣିବାକୁ ଯାଉଛନ୍ତି । ଏହା ମଧ୍ୟରୁ ୧୦ ମିଲିୟନ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ୪.୫ ମିଲିୟନ ଡୋଜ୍ ଅଣାଯିବ । ଜାନୁଆରୀ ୩ରେ ଭାରତ ସରକାର ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଅଗଷ୍ଟ ସୁଦ୍ଧା ୩୦୦ ମିଲିୟନ ଲୋକଙ୍କର ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଭାରତରେ ଟିକାକରଣ ପାଇଁ ସେରମ ପକ୍ଷରୁ ଭାରତ ସରକାରଙ୍କୁ ଏଯାଏଁ ୧୧ ମିଲିୟନ କୋଭିସିଲ୍ଡ ଟିକାର ଡୋଜ୍ ଦିଆଯାଇଥିଲା । ଏବେ ଆଉ ୧୦ ମିଲିୟନ ଡୋଜ୍ ନେବାକୁ ସରକାର ଅର୍ଡର ଦେଇଥିବା ସେରମ ମୁଖପାତ୍ର କହିଛନ୍ତି । ସେ କହିଛନ୍ତି, ଭାରତ ସରକାର କୋଭିସିଲ୍ଡ ଟିକାକୁ ଡୋଜ୍ ପିଛା ୨୦୦ ଟଙ୍କାରେ କିଣୁଛନ୍ତି । ପ୍ରଥମ ୧୦୦ ମିଲିୟନ ଡୋଜ୍ ଏହି ଦରରେ ଯୋଗାଇ ଦିଆଯିବ । ଅନ୍ୟପକ୍ଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ୫.୫ ମିଲିୟନ ଡୋଜ୍ ଭାରତ ସରକାର ନେଇ ସାରିଥିଲେ । ଏବେ ଆଉ ୪.୫ ମିଲିୟନ ଟିକାର ଡୋଜ୍ ନେବାକୁ ଅର୍ଡର ଦେଇଛନ୍ତି । ସୂଚନାଯୋଗ୍ୟ, କୋଭିସିଲ୍ଡ ଟିକା କରୋନାକୁ ମାତ ଦେବାରେ ୭୨% ସକ୍ଷମ ହେଉଥିବା ପରୀକ୍ଷାରୁ ଜଣାପଡ଼ିଛି । ତେବେ କୋଭାକ୍ସିନ ଟିକାର ପରୀକ୍ଷା ରିପୋର୍ଟ ମାର୍ଚ୍ଚ ମାସରେ ଆସିବ ବୋଲି ଜଣାପଡ଼ିଛି । ଏହି ଟିକାର ଚୂଡ଼ାନ୍ତ ପରୀକ୍ଷା ରିପୋର୍ଟ ଆସି ନଥିଲେ ହେଁ ଭାରତ ସରକାର ଦେଶରେ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.