କାରୋନା ଭାଇରସ ପ୍ରସଙ୍ଗରେ ଚାଇନାକୁ ହୁ’ର କ୍ଲିନଚିଟ୍

0 71

ଉହାନ, ୯ ।୨: ସାରା ବିଶ୍ୱରେ ଭୟଙ୍କର ସ୍ଥତି ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ ଉତ୍ପତ୍ତି ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ଚାଇନାକୁ କ୍ଲିନଚିଟ୍ ଦେଇଛି । କରୋନାର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ହୁ’ର ଟିମ୍ ଚାଇନା ଗସ୍ତରେ ଯାଇଥିଲେ ହେଁ ଏହାକୁ ଠାବ କରିପାରିନାହିଁ । ସେହିପରି ଚାଇନାର ଉହାନ ଲ୍ୟାବ୍ରୁ କରୋନା ଭାଇରସକୁ ଲିକ୍ କରାଯାଇଥିବା ଅଭିଯୋଗରେ ମଧ୍ୟ ହୁ’ର ଟିମ୍ ପୂର୍ଣ୍ଣଚ୍ଛେଦ ଟାଣିଛି । ଉହାନ ଲ୍ୟାବ୍ରୁ ହିଁ ଭାଇରସ ଲିକ୍ ହେବା ପରେ ସାରା ବିଶ୍ୱକୁ ବ୍ୟାପିଥିଲା ବୋଲି ଆମେରିକା ସମେତ ଏକାଧିକ ରାଷ୍ଟ୍ର ଅଭିଯୋଗ କରିଥିଲେ । ହେଲେ ହୁ’ର ବିଶେଷଜ୍ଞ ଟିମ୍ ଏନେଇ କୌଣସି ପ୍ରମାଣ ପାଇନାହିଁ । ବିଶେଷଜ୍ଞଙ୍କ ମତରେ ସାରା ବିଶ୍ୱରେ ୨.୩ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା କରୋନା ଭାଇରସ ବାଦୁଡ଼ିରୁ ହିଁ ମଣିଷ ଶରୀରକୁ ପ୍ରବେଶ କରିଛି । ଏହାପରେ ଏହା ସାରା ବିଶ୍ୱକୁ ବ୍ୟାପିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟମାନେ ଚାଇନାରେ ପହଞ୍ଚି ବେଶ କିଛି ଦିନ ଧରି କରୋନା ଭାଇରସର ଉତ୍ପତ୍ତିସ୍ଥଳ ଜାଣିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଲ୍ୟାବରେ ଥିବା ବାଦୁଡ଼ିର ଷ୍ଟ୍ରେନ ଓ କରୋନା ଭାଇରସର ଷ୍ଟ୍ରେନକୁ ଯାଞ୍ଚ କରାଇଥିଲେ । ହେଲେ ସେମାନେ ଭାଇରସର ଉତ୍ପତ୍ତି ସ୍ଥଳ ଠାବ କରି ପାରିନାହାନ୍ତି । ଯାଞ୍ଚ ବେଳେ ହୁ’ର ସଦସ୍ୟମାନଙ୍କୁ ଚାଇନାର ବିଶେଷଜ୍ଞମାନେ ମଧ୍ୟ ସହାୟତା କରିଥିଲେ । ସେହିପରି ହୁ’ର ସଦସ୍ୟମାନେ କହିଛନ୍ତି ଯେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନରେ କୌଣସି ପ୍ରକାରର କରୋନା ଭାଇରସର ଚିହ୍ନବର୍ଣ୍ଣ ନଥିଲା । ଏଠାରେ ୨୦୧୯ ଡିସେମ୍ବରରୁ ହିଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା । ସେହିପରି ଲ୍ୟାବ୍ରୁ ଯେ ଭାଇରସ ଲିକ୍ ହୋଇଛି, ତାହା କହିବା ଅସମ୍ଭବ । କାରଣ ଯାଞ୍ଚ ବେଳେ ଏ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ ।

Leave A Reply

Your email address will not be published.