ଚାଇନାର ବୋମା ବର୍ଷଣରେ ଥରିଲା ଲଦାଖର

0 67

ବେଜିଂ, ୧୦ ।୨: ପୂର୍ବ ଲଦାଖରେ ଦାଦାଗିରି ଦେଖାଉଥିବା ଚାଇନା ଏବେ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ଲାଗି ରହିଥିବା ତା’ ସୀମାରେ ଟ୍ୟାଙ୍କ ଦ୍ୱାରା ବୋମା ବର୍ଷଣ କରିବା ଆରମ୍ଭ କରିଛି । ଚାଇନାର ଏପରି ବୋମାବର୍ଷଣ ଯୋଗୁଁ ଲଦାଖରେ ଥିବା ପାହାଡ଼ ଗୁଡ଼ିକ ଥରିଉଠିଛି । ଚାଇନା ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିକଟରେ ରୁଟୋଗ କାଉଣ୍ଟି ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଥିଲା । ଏହି ଅଞ୍ଚଳଟି ଭାରତୀୟ ସୀମାର ଖୁବ ନିକଟରେ ରହିଛି । ଚାଇନା କରୁଥିବା ଯୁଦ୍ଧାଭ୍ୟାସର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପିପୁଲ୍ସ ଲିବେରେସନ ଆର୍ମିର ଯବାନମାନେ କେମିତି ଟ୍ୟାଙ୍କ ଦ୍ୱାରା ନିଜର ଲକ୍ଷ୍ୟଭେଦ କରୁଛନ୍ତି, ତା’ର ଦୃଶ୍ୟ ରହିଛି । ଭିଡିଓ ଅନୁସାରେ, ଏକସଙ୍ଗରେ ଅନେକ ଟ୍ୟାଙ୍କରୁ ବୋମାମାଡ଼ କରାଯାଉଛି । ଏହା ବିସ୍ଫୋରଣ ହେବା କ୍ଷଣି ଲଦାଖର ପାହାଡ଼ଗୁଡ଼ିକ ଥରି ଉଠୁଛି । ଯୁଦ୍ଧାଭ୍ୟାସ ହେଉଥିବା ଅଞ୍ଚଳଟି ପୂରା ବରଫରେ ଆବୃତ୍ତ ହୋଇ ରହିଛି । ଏହାର ଅର୍ଥ ଏବେ ହିଁ ଏସବୁ ଘଟଣା ଘଟିଛି । ଚାଇନା ସେନା କରାକୋରାମ ପାହାଡ଼ ଉପରେ ଅଧିକ ସଂଖ୍ୟାରେ ନିଜର ଘାତକ ଟ୍ୟାଙ୍କ ୯୯ ମୁତୟନ କରିଛି । ଭୂପୃଷ୍ଠରୁ ପ୍ରାୟ ୫ ହଜାର ଫୁଟ ଉପରେ ଏଗୁଡ଼ିକୁ ରଖାଯାଇଛି । ଖାଲି ସେତିକି ନୁହେଁ, ଚାଇନା ନୂଆ ଟାଇପ୍ ୧୫ ଟ୍ୟାଙ୍କର ଗ୍ରୁପ୍କୁ ମଧ୍ୟ ପ୍ରସ୍ତୁତ କରି ରଖିଛି । ଏହି ଟ୍ୟାଙ୍କ ଗୁଡ଼ିକ ଯୁଦ୍ଧ ମୈଦାନରେ ଟାଇପ ୯୯ଏ ସହ ମିଶି ଶତ୍ରୁପକ୍ଷର ମୁକାବିଲା କରିବେ । ଟାଇପ ୯୯ଏ ଅଧିକ ଘାତକ ହୋଇଥିବା ବେଳେ ଟାଇପ ୧୫ କ୍ଷିପ୍ର ବେଗରେ ଆକ୍ରମଣ କରିବାର କ୍ଷମତା ରଖିଛି । ଦୀର୍ଘ ଦିନ ହେଲାଣି ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଏସବୁ ଭିତରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ଯବାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ କହିଥିଲେ । ତେଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଚଳାଇଥିବା ଚାଇନା ଏବେ ଭାରତୀୟ ସୀମା ନିକଟରେ ନିଜର ଦବଦବା ଦେଖାଇବା ଆରମ୍ଭ କରିଛି ।

Leave A Reply

Your email address will not be published.