ମରିଯିବୁ ପଛେ ବିଜେପି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା

0 68

କୋଲକାତା, ୧୦ ।୨ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏଥି ସହିତ ସରକାରରେ ଥିବା ତୃଣମୂଳ କଂଗ୍ରେସ୍ ଏବଂ କେନ୍ଦ୍ରରେ ଥିବା ବିଜେପି ସହିତ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଛି । ରାଜନୈତିକ ଦଳ ଗୁଡ଼ିକ ବଡ଼ ବଡ଼ ରିଲି କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏଥି ମଧ୍ୟରେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଲଦାରେ ରାଲି କରି ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ବିଜେପି ଦିଲ୍ଲୀରୁ ବଙ୍ଗକୁ ରିମୋଟ୍ କଣ୍ଟ୍ରୋଲ୍ ମାଧ୍ୟମରେ ଚଳାଉଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲିରେ ବିଜେପିକୁ ନେଇ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଆମେ ମରିଯିବୁ ପଛେ ବିଜେପି ଆଗରେ କଦାପି ଆତ୍ମସମର୍ପଣ କରିବୁ ନାହିଁ । ବିଜେପି ବଙ୍ଗଳାକୁ ବିଭାଜନ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ମମତା ପୁଣିଥରେ ପଶ୍ଚିମଙ୍ଗରେ ଟିଏମ୍ସି ବହୁମତ ସହିତ ସରକାର ଗଠନ କରିବ ବୋଲି କହିଛନ୍ତି । ବଙ୍ଗରେ ବିଜୟ ହାସଲ କରିବା ପରେ ସେ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ସୁନିଶ୍ଚିତ କରିବେ ବୋଲି ଏହି ରାଲିରେ କହିଛନ୍ତି । ଟିଏମ୍ସି ସାଧାରଣ ଜନତାଙ୍କୁ ନେଇ ଦଳ ଚଳାଉଛି ଏବଂ ଦଳ କେବଳ କାମ କରୁଥିବା ଲୋକଙ୍କୁ ହିଁ ଟିକେଟ୍ ଦେବ । ବିଜେପି ପାଖରେ ଟଙ୍କା ଅଛି । ସେ କିଛି ବି କରିପାରିବ । କିନ୍ତୁ ଟଙ୍କା ଦ୍ୱାରା ବିଜେପି ଜନତାଙ୍କର ମୂଲ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ । ଯିଏ ଲୋକଙ୍କୁ ହତ୍ୟା କରୁଛି, ତାଙ୍କଠାରୁ ଲୁଟୁଛି, ଦଙ୍ଗା ସୃଷ୍ଟି କରୁଛି ସେ କେବେ ଧାର୍ମିକ ଦଳ ହୋଇପାରିବ ନାହିଁ ବୋଲି ମମତା କହିଛନ୍ତି ।

Leave A Reply

Your email address will not be published.