ପୁଡୁଚେରୀରେ କଂଗ୍ରେସ ସରକାରକୁ ଜବରଦସ୍ତ ଝଟକା

0 73

ନୂଆଦିଲ୍ଲୀ, ୧୬ ।୨: ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ବହୁତ ବଡ଼ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ବିଧାୟକ ଦଳ ଛାଡ଼ିବାରୁ କଂଗ୍ରେସ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହରାଇଛି । ଏକଦା ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କଂଗ୍ରେସ ଏବେ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଛି । ପୂର୍ବରୁ ୩ ବିଧାୟକ ଇସ୍ତଫା ଦେଇଥିବା ବେଳେ ମଙ୍ଗଳବାର ଏ ଜନ କୁମାର ସମାନ ପଦକ୍ଷେପ ନେଇଛନ୍ତି । କୁମାର ୨୦୧୯ ଉପ ନିର୍ବାଚନ ବେଳେ କାମରାଜ ନଗରରୁ ବିଜୟୀ ହୋଇଥିଲେ । ତାଙ୍କ ଇସ୍ତଫା ପରେ କ୍ଷମତାସୀନ କଂଗ୍ରେସର ଆସନ ସଂଖ୍ୟା ୧୦କୁ ଖସି ଆସିଛି । ଦଳ ସହ ୩ ଡିଏମକେ ଓ ଆଉ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ତଥାପି ଏମାନଙ୍କୁ ମିଶାଇ କଂଗ୍ରେସ ସରକାର ସପକ୍ଷରେ ୧୪ ବିଧାୟକଙ୍କ ସମର୍ଥନ ରହିଛି । ପୁଡୁଚେରୀ ବିଧାନସଭାକୁ ୩୦ ଜଣ ସଦସ୍ୟ ନିର୍ବାଚିତ ହେଉଥିବା ବେଳେ ୩ ଜଣ ମନୋନୀତ ହୋଇଥାଆନ୍ତି । ବିରୋଧୀ ଗୋଷ୍ଠୀଙ୍କ କଥା ବିଚାରକୁ ନେଲେ ଅଲଇଣ୍ଡିଆ ଏନଆର କଂଗ୍ରେସର ୭ ବିଧାୟକ ଥିବା ବେଳେ ଏଆଇଏଡିଏମକେର ୪ ସଦସ୍ୟ ବିଧାନସଭାରେ ରହିଛନ୍ତି । ବିଜେପିର ୩ ଜଣ କାର୍ଯ୍ୟକର୍ତ୍ତା ପୁଡୁଚେରୀ ବିଧାନସଭାକୁ ମନୋନୀତ ହୋଇଛନ୍ତି । ଏହାର ଅର୍ଥ ଉଭୟ ସରକାର ଓ ବିରୋଧୀଙ୍କ ପାଖରେ ଏବେ ୧୪ ଜଣ ବିଧାୟକଙ୍କ ସମର୍ଥନ ରହିଛି । ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଭି ନାରାୟଣସାମୀଙ୍କ କ୍ୟାବିନେଟରୁ ପ୍ରଥମେ ଦୁଇଜଣ ସଦସ୍ୟ ଏ ନମଶିବାୟମ ଓ ମାଲ୍ଲାଦି କ୍ରିଷ୍ଣା ରାଓ ଇସ୍ତଫା ଦେଇଥିଲେ । ଏହାପରେ ୨ ବିଧାୟକ ଇ ଥୀପ୍ପାଇନାଥନ ଓ ଜନ କୁମାର ସମାନ ପଦକ୍ଷେପ ନେଇଛନ୍ତି । କଂଗ୍ରେସ ବିଧାୟକ ଏନ ଧାନାଭେଲୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ୫ ବିଧାୟକ ବିଧାନସଭାକୁ ବାଦ ପଡ଼ିବାରୁ ଏବେ ମୋଟ ଆସନ ସଂଖ୍ୟା ୨୮ ହୋଇଯାଇଛି । ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୫ । କଂଗ୍ରେସ ଏହାଠାରୁ ଗୋଟିଏ ଆସନ ପଛରେ ରହିଛି । ଆସନ୍ତା ମାସରେ ପୁଡୁଚେରୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସରେ ଏଭଳି ସଙ୍କଟ ଦଳର ଚିନ୍ତା ବଢ଼ାଇ ଦେଇଛି । ସେହିପରି ଆସନ୍ତାକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଡୁଚେରୀ ଗସ୍ତରେ ଯାଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାର ଥିଲା । କିନ୍ତୁ ଏହା ପୂର୍ବରୁ କ୍ଷମତାସୀନ କଂଗ୍ରେସ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଛି । ରାଜନୀତିକ ସଙ୍କଟ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଜରୁରୀ କ୍ୟାବିନେଟ ବୈଠକ ଡାକିଛନ୍ତି ।

Leave A Reply

Your email address will not be published.