ପଶ୍ଚିମବଙ୍ଗରେ ଶାହାଙ୍କ ନିର୍ବାଚନୀ ବାଣ

0 72

ବିଜେପି ଜିତିଲେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ

କୋଲକାତା, ୧୮ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରାଜନୀତିକ ଦଳର ନେତାମାନେ ସେତିକି ଉଦ୍ୟମ କରୁଛନ୍ତି । ଏହିକ୍ରମରେ ବିଜେପି ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ବଡ଼ ଘୋଷଣା କରିଛନ୍ତି । ବେଙ୍ଗଲକୁ ସୁନାର ବଙ୍ଗଳା କରିବା ବିଜେପିର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି । ବେଙ୍ଗଲରେ ବିଜେପିର ଶେଷ ପର୍ଯ୍ୟାୟ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ସେ କହିଛନ୍ତି, ଯଦି ବିଜେପି ଲୋକଙ୍କ ସମର୍ଥନ ପାଇ ସରକାର ଗଠନ କରିବ, ତା’ହେଲେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣର ବ୍ୟବସ୍ଥା କରାଯିବ । ସେହିପରି ସରକାରୀ କର୍ମଚାରୀଙ୍କୁ ୭ମ ବେତନ କମିଶନଙ୍କ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ । ଅମ୍ପାନ ବାତ୍ୟା ବେଳେ ଲୋକଙ୍କୁ ରିଲିଫ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିଲା । ତେଣୁ ବିଜେପି କ୍ଷମତାକୁ ଆସିଲେ, ନିଶ୍ଚିତ ଭାବେ ଏହାର ତଦନ୍ତ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଦକ୍ଷିଣ ୨୪ ପ୍ରଗଣାରେ ଆୟୋଜିତ ରାଲିରେ ସେ ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ନାରା ମଧ୍ୟ ଦେଇଥିଲେ । ସେ କହିଛନ୍ତି, ବେଙ୍ଗଲକୁ ସୁନାର ବଙ୍ଗଳା କରିବା ପାଇଁ ବିଜେପି ନିର୍ବାଚନରେ ଲଢ଼େଇ କରୁଛି । ଏହି ଲଢ଼େଇ ଆମର ବୁଥ କର୍ମୀ ଓ ଟିଏମସିର କୂଟୀର ମଧ୍ୟରେ ହେବ । କେବଳ ଯେ ମମତା ସରକାରଙ୍କୁ ହଟାଇ ଏଠାରେ ସରକାର ଗଠନ କରିବା ଆମର ଲକ୍ଷ୍ୟ ନୁହେଁ । ବର୍ତ୍ତମାନ ବେଙ୍ଗଲରେ ଜାରି ରହିଥିବା ପରିସ୍ଥିତିକୁ ବଦଳାଇବା ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି । ରାଜ୍ୟରେ ରହୁଥିବା ଗରିବ ଓ ମହିଳାମାନେ ଭୋଗୁଥିବା ସମସ୍ୟାକୁ ଦୂର କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଅମିତ ଶାହ ଓ ମମତା ବାନାର୍ଜୀ ଗୋଟିଏ ଜିଲ୍ଲାରେ ପ୍ରାୟ ଗୋଟିଏ ସମୟରେ ସାଧାରଣ ସଭା କରିଛନ୍ତି । ଆଜି ଶାହ ଦକ୍ଷିଣ ୨୪ ପ୍ରଗଣାରେ ସଭା କରିଛନ୍ତି । ମମତା ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଦକ୍ଷିଣ ୨୪ ପ୍ରଗଣାରେ ରାଲି କରି ଲୋକଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରିଛନ୍ତି ।

Leave A Reply

Your email address will not be published.