ସରକାରଙ୍କୁ ଟିକାୟତଙ୍କ ଧମକ

0 71

ଦିଲ୍ଲୀକୁ ୪୦ଲକ୍ଷ ଟ୍ରାକ୍ଟର ଅଣାଯିବ

ନୂଆଦିଲ୍ଲୀ, ୧୮ ।୨: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ୨୬ ଜାନୁୟାରୀ ଟ୍ରାକ୍ଟର ପ୍ୟାରେଡ ଏବେବି ଲୋକଙ୍କ ମନରୁ ଲିଭିନି । ଏଥିରେ ଭାରତୀୟ କିଷାନ ୟୁନିୟନ( ବିକେୟୁ) ନେତା ରାକେଶ ଟିକାୟତ ବୁଧବାର କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟ୍ରାକ୍ଟର ଧମକ ଦେଇଛନ୍ତି । ଆନ୍ଦୋଳନକୁ ନେଇ ସରକାର ଭ୍ରାନ୍ତ ଧାରଣାରେ ନ ରୁହନ୍ତୁ ବୋଲି ଟିକାୟତ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ଚାଷୀମାନେ ବୁଧବାର ସାରା ଦେଶରେ ରେଳରୋକ ଆନ୍ଦୋଳନ କରିଛନ୍ତି । ବିଭିତ୍ତ ସ୍ଥାନରେ ଚାଷୀ ରେଳ ଧାରଣା ଅବରୋଧ କରିବା ଯୋଗୁ ଅନେକ ଟ୍ରେନ ବିଳମ୍ବରେ ଚାଲୁଛି । ଏଥିରେ ହରିୟାଣା ଖରକ ପୁନିଆରେ ଅନୁଷ୍ଠିତ କୃଷକ ସମାବେଶକୁ ଟିକାୟତ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ସରକାର ଭାବିଛନ୍ତି ଚାଷୀ ଗହମ ଅମଳ ଲାଗି ନିଜନିଜ ଗାଁକୁ ଫେରିଯିବେ । ହେଲେ ସରକାର ଏପରି ଭାବନା ତ୍ୟାଗ କରିଦିଅନ୍ତୁ ବୋଲି ସେ କହିଛନ୍ତି । ଚାଷୀ ଗାଁରେ ଫସଲ ବି କାଟିବେ ଓ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆଇନକୁ ବିରୋଧ ବି କରିବେ । ଏଥିରେ ସରକାର ଯଦି ଚାଷୀଙ୍କ ଉପରେ ଚାପ ପକାନ୍ତି ଆବଶ୍ୟକ ପଡିଲେ ଆମେ ଫସଲ ଜଳାଇଦେବୁ ବୋଲି ମଧ୍ୟ ଧମକ ଦେଇଛନ୍ତି । ଏବେ ପ୍ରସଙ୍ଗରେ ସାରା ଦେଶର ଚାଷୀଙ୍କୁ ଦିଲ୍ଲୀ ଡକାଇବା ଜରୁରି ବୋଲି ସେ କହିଛନ୍ତି । ଏଣୁ ଦେଶର ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀକୁ ୪୦ ଲକ୍ଷ ଟ୍ରାକ୍ଟର ଅଣାଯିବ ବୋଲି ଟିକାୟତ ଚେତାବନୀ ଦେଇଛନ୍ତି । ୨୬ ଜାନୁୟାରୀ ଦିଲ୍ଲୀ ଟ୍ରାକ୍ଟର ପରେଡ କୃଷକ ଆନ୍ଦୋଳନର ମୋଡ ବଦଳାଇ ଦେଇଛି । ଆନ୍ଦୋଳନକାରୀଙ୍କ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ଲାଲକିଲ୍ଲା ପହଞ୍ଚିଥିବା ବେଳେ ଚାଷୀ ସେଠାରେ ନିଜର ପତାକା ଉଡାଇଥିଲେ । ଏଥିରେ ସାରା ଦେଶରେ ଚାଷୀ ନିନ୍ଦିତ ହୋଇଥିଲେ । ନିଜେ ରାକେଶ ଟିକାୟତ ପୋଲିସରେ ଆତ୍ମସମର୍ପଣ କରିବାକୁ ବାହାରିଥିଲେ । ତେବେ ତା ପୂର୍ବରୁ ଚାଷୀଙ୍କ ବିରୋଧରେ ହୁଏତ ଏହା ସରକାରଙ୍କ ଷଡ଼ଯାନ୍ତ୍ର ଭାବି ଟିକାୟତ ନିଷ୍ପତ୍ତିରୁ ଓହରି ଭୁଶଡି ପଡୁଥିବା ଆନ୍ଦୋଳନର ଡୋର ସମ୍ଭାଳିବା ସହ କ୍ରମଶଃ ଏହାକୁ ଉଗ୍ର କରିବାରେ ଲାଗିଛନ୍ତି । ଯେଉଁ ଟ୍ରାକ୍ଟର ଲାଗି ଆନ୍ଦୋଳନ ଉଜୁଡି ଯାଉଥିଲା ଟିକାୟତ ସରକାରଙ୍କ ବିରୋଧରେ ପୁଣି ସେହି ଟ୍ରାକ୍ଟରକୁ ଅସ୍ତ୍ର କରିବେ ବୋଲି କହିଛନ୍ତି । ଚାଷୀଙ୍କ ବିରୋଧରେ ସରକାର ଓ ପ୍ରଶାସନର ଚାଲକୁ ଟିକାୟତ ଏବେ ସରକାରଙ୍କ ଉପରେ ପ୍ରୟୋଗ କରିବାକରୁ ଅଣ୍ଟାଭିଡିଛନ୍ତି । ଦିଲ୍ଲୀକୁ ଦେଶର କୋଣ ଅନୁକୋଣରୁ ଚାଷୀକୁ ଡକାଇବାର ଅର୍ଥାତ ଏନସିଆର ସମେତ ଅନେକ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡିବ । ଯାହା ପରିଣାମ ସୁଦୂର ପ୍ରସାରି ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.