ଜଷ୍ଟିସ ଗୋଗୋଇଙ୍କ ଯୌନ ନିର୍ଯାତନା ମାମଲା ବନ୍ଦ ହେଲା

0 47

ନୂଆଦିଲ୍ଲୀ, ୧୮ ।୨: ପୂର୍ବତନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି । ୨୦୧୯ରେ ଜଣେ ମହିଳା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଆଜି ମାମଲାକୁ ବନ୍ଦ କରିବା ବେଳେ ସୁପ୍ରିମକୋର୍ଟ ଅଭିଯୋଗ ପଛରେ ଷଡ଼ଯନ୍ତ୍ର ଥିବାର ଗନ୍ଧ ବାରିଛନ୍ତି । ଜଷ୍ଟିସ୍ ଗୋଗୋଇଙ୍କ ବିରୋଧରେ ଆସିଥିବା ମାମଲାର ଶୁଣାଣି ଆଜି ଜଷ୍ଟିସ ସଞ୍ଜୟ କିଷନ କାଉଲ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ପୂର୍ବତନ ସିଜେଆଇ ଜଷ୍ଟିସ ଗୋଗୋଇଙ୍କ କିଛି ରାୟ ଦେଖିଲେ ଲାଗୁଛି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପଛରେ ଷଡ଼ଯନ୍ତ୍ର ରହିଛି । ଏହି ନେଇ ମିଳିଥିବା କିଛି ନିର୍ଦ୍ଦିଷ୍ଟ ପ୍ରମାଣରୁ ବିଶ୍ୱାସ ହେଉଛି । ଏହି ମାମଲାକୁ ଦୁଇ ବର୍ଷ ବିତିସାରିଛି ଓ ଜଷ୍ଟିସ ଗୋଗୋଇଙ୍କୁ ଫସାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ଇଲେକ୍ଟ୍ରୋନିକ ରେକର୍ଡ ହାସଲ ସମ୍ଭାବନା ବହୁତ କମ ରହିଛି । ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟି ରିପୋର୍ଟ ଦାଖଲ କରି ସାରିଛନ୍ତି । ସୁପ୍ରିମକୋର୍ଟ ନିଜ ଆଡ଼ୁ କରିଥିବା ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି ଆଗକୁ ବଢ଼ାଇବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟ ୨୦୧୯ ମସିହା ଏପ୍ରିଲ ୨୫ ତାରିଖରେ ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକଙ୍କୁ ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ଷଡ଼ଯନ୍ତ୍ରର ଯାଞ୍ଚ କରିବାକୁ କହିଥିଲେ । ସେ ତାଙ୍କ ରିପୋର୍ଟରେ ଷଡ଼ଯନ୍ତ୍ର ହୋଇଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.