ମୋହାଲି ମହାନଗର ନିଗମ ବି ଜିତିଲା କଂଗ୍ରେସ

0 66

ଚଣ୍ଡିଗଡ଼, ୧୮ ।୨: ପଞ୍ଜାବର କ୍ଷମତାସୀନ କଂଗ୍ରେସ ଶେଷରେ ମୋହାଲି ମହାନଗର ନିଗମରେ ମଧ୍ୟ ବାଜିମାତ କରିଛି । ଗତକାଲି ଫଳାଫଳ ପ୍ରକାଶ ପାଇଥିବା ୮ଟି ମହାନଗର ନିଗମରୁ କଂଗ୍ରେସ ୭ଟି ଜିତିଥିଲା । ଆଜି ମୋହଲି ରେଜଲ୍ଟ ମଧ୍ୟ କଂଗ୍ରେସ ସପକ୍ଷରେ ଯାଇଛି । ଏହାର ଅର୍ଥ କଂଗ୍ରେସ ସମସ୍ତ ୮ଟି ଯାକ ମହାନଗର ନିଗମ ନିଜ କବଜାକରୁ ନେଇଛି । ମୋହାଲିରେ ଥିବା ୫୦ଟି ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ୩୫ଟିରେ ଜିତିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୭ଟି ୱାର୍ଡର କାଉଣ୍ଟିଂ ଶେଷ ହୋଇଛି । ଏହା ମଧ୍ୟରୁ କଂଗ୍ରେସ ୩୫ଟିରେ ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୧୨ଟିରେ ଜିତିଛନ୍ତି । ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ବଲବୀର ସିଂହ ସିଦ୍ଧୁଙ୍କ ଭାଇ ଅମରଜିତ ସିଂହ ସିଦ୍ଧୁ ମୋହାଲି ମହାନଗର ନିଗମର ୧୦ନଂ ୱାର୍ଡରୁ ବିଜୟୀ ହୋଇଛନ୍ତି । କଂଗ୍ରେସ ମୋଗା, ହୋଶିଆରପୁର, କାପୁରଥାଲା, ଅବୋହର, ପଠାନକୋଟ, ବାଟଲା ଓ ବଥିଣ୍ଡାରେ ବି ଗତକାଲି ଜିତିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଥିଣ୍ଡାରେ କଂଗ୍ରେସ ୫୩ ବର୍ଷ ପରେ ଜିତିବାକୁ ସକ୍ଷମ ହୋଇଛି । ୫୩ ବର୍ଷ ପରେ ଏଠାରେ କଂଗ୍ରେସ ମେୟର କାର୍ଯ୍ୟ କରିବା ଆରମ୍ଭ କରିବେ । ବଥିଣ୍ଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ହେଉଛନ୍ତି, ଶିରୋମଣି ଅକାଳୀ ଦଳର ହରସିମରତ ବାଦଲ । ଶିରୋମଣି ଦୀର୍ଘ ବର୍ଷ ହେଲାଣି ବିଜେପି ସହ ରହିଥିଲା । ହେଲେ କୃଷି ଆଇନକୁ ବିରୋଧ କରି ଦଳ ବିଜେପିକୁ ବାଏବାଏ କହିଛନ୍ତି । ବାଦଲ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବଥିଣ୍ଡା ସହରାଞ୍ଚଳ ବିଧାନସଭା ଆସନରେ କିନ୍ତୁ କଂଗ୍ରେସ ଜିତିଥିଲା । ଏଠାରୁ ଜିତିଥିବା ମନପ୍ରୀତ ସିଂହ ବାଦଲ ରାଜ୍ୟର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହି ନିର୍ବାଚନରେ ମୋଟ ୯,୨୨୨ ଜଣ ପ୍ରାର୍ଥୀ ରହିଥିଲେ । ଏମାନଙ୍କ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ୨,୮୩୨ ରହିଥିବା ବେଳେ କଂଗ୍ରେସ ୨୦୩୭ ଜଣଙ୍କୁ ଲଢ଼େଇ ମୈଦାନକୁ ଓହ୍ଲାଇଥିଲା । କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଯୋଗୁ ବ୍ୟାକଫୁଟରେ ଥିବା ବିଜେପି ମାତ୍ର ୧୦୦୩ ଜଣ ପ୍ରାର୍ଥୀ ଛିଡ଼ା କରିଥିଲା । ଶିରୋମଣି ଅକାଳୀ ଦଳ ମଧ୍ୟ ୧୫୬୯ ଜଣଙ୍କୁ ଲଢ଼େଇ ମୈଦାନକୁ ଛାଡ଼ିଥିଲା ।

Leave A Reply

Your email address will not be published.