ଜେଡିୟୁରେ ମିଶିଲେ ୨୦୬ ଏଲଜେପି ନେତା

0 51

ପାଟନା, ୧୮ ।୨: ବିଧାନସଭା ନିର୍ବାଚନ ସମାପ୍ତ ଏବଂ ସରକାର ଗଢ଼ିବା ପରେ ଲଗାତାର ଅନ୍ୟ ଦଳର ନେତା ଜେଡିୟୁରେ ସାମିଲ ହେଉଛନ୍ତି । ଏହାରି ମଧ୍ୟରେ ଗୁରୁବାର ଜେଡିୟୁର ରାଜ୍ୟ କାର୍ଯ୍ୟାଳୟରେ ୨୦୬ ଏଲଜେପି ନେତା ଜେଡିୟୁରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଖୋଦ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂହ ଉପସ୍ଥିତ ଥିଲେ । ଜେଡିୟୁରେ ସାମିଲ ହୋଇଥିବା ନେତା କେଶବ ସିଂହ କହିଛନ୍ତି, ଦଳକୁ ମୂଳରୁ ଉଠିବା ପାଇଁ ସାହାଯ୍ୟ କରିଛୁ । କିନ୍ତୁ ରାମବିଳାଶ ପାଶ୍ୱାନଙ୍କ ମୃତ୍ୟୁ ପରେ ବିହାର ଫାଷ୍ଟ ଏବଂ ବିହାରୀ ଫାଷ୍ଟ ନାରା ଦେଉଥିବା ପାର୍ଟି ଚିରାଗ ଫାଷ୍ଟ ଏବଂ ପରିବାର ଫାଷ୍ଟ ବିଚାରଧାରାରେ ଚାଲିବାକୁ ଆରମ୍ଭ କରିଛି । ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତି ନେତାଙ୍କୁ ୨୫ ହଜାର ସଦସ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ଦିଆଯାଇଥିଲା । ଏନେଇ ୧୦ ଟଙ୍କା ହିସାବରେ ପ୍ରତି ନେତାଙ୍କ ପାଖରୁ ଅଢ଼େଇ ଲକ୍ଷ ମଧ୍ୟ ନିଆଗଲା । କିନ୍ତୁ ନିର୍ବାଚନରେ ପ୍ରକୃତ କାର୍ଯ୍ୟକର୍ତ୍ତାଙ୍କୁ ଟିକେଟ୍ ଦିଆଗଲା ନାହିଁ । ଜେଡିୟୁ ୨୦୬ ଏଲଜେପି ନେତାଙ୍କୁ ସାମିଲ କରିବା ପରେ ଆଦସିପି ସିଂହ କହିଛନ୍ତି, “ଆଜି ଯିଏ ବି ନେତା ନିଜ ଦଳ ଛାଡ଼ି ଜେଡିୟୁରେ ସାମିଲ ହୋଇଛନ୍ତି ସମସ୍ତେ ଏଲଜେପିର ପଦାଧିକାରୀ ଥିଲେ । କେବଳ ହାଜିପୁର ଲୋକସଭା କ୍ଷେତ୍ରରେ ୭୭ ଜଣ ପଞ୍ଚାୟତର ଅଧ୍ୟକ୍ଷ, ସଚିବ ଏବଂ ପାର୍ଟିର ବିଭିନ୍ନ ପଦପଦବୀରେ ଥିବା ନେତା ଜେଡିୟୁରେ ସାମିଲ ହୋଇଛନ୍ତି । ଏମାନେ ସମସ୍ତେ ରାଜନୀତି ସହ ଜଡ଼ିତ । ତେଣୁ ଏମାନେ ପାର୍ଟିରେ ରହିଲେ ଲାଭ ମିଳିବ ।’ ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅନ୍ୟ ଦଳର ନେତା ଲଗାତାର ସାକ୍ଷାତ କରୁଥିବା ଜଣାପଡ଼ିଛି । ନିକଟରେ ନୀତିଶ ସିପିଆଇ ନେତା କହ୍ନେୟା କୁମାରଙ୍କ ସହ ସାକ୍ଷାତ କରିସାରିଛନ୍ତି । ସେହିଭଳି ଏଲଜେପିରୁ ଜିତିଥିବା ଜଣେ ବିଧାୟକ ରାଜକୁମାର ସିଂହ ଏବଂ ସାଂସଦ ଚନ୍ଦନ ସିଂହ ନିକଟରେ ନିତୀଶ କୁମାରଙ୍କୁ ସାକ୍ଷାତ କରିଛନ୍ତି । ଏହାପରେ ସେମାନେ ଜେଡିୟୁରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.