ଟିକାକରଣରେ ଆମେରିକା ପରେ ଭାରତର ରେକର୍ଡ

0 72

ନୂଆଦିଲ୍ଲୀ, ୨୦ ।୨: କରୋନା ସଂକ୍ରମିତଙ୍କ ଭଳି ଆମେରିକା ପଛକୁ ଟିକାକରଣରେ ବି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ୩୪ ଦିନ ଭିତରେ ଭାରତ ୧ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରି ରେକର୍ଡ କରିଛି । ଶୁକ୍ରବାର ସନ୍ଧ୍ୟାରେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭବେ ଖୁବ କମ୍ ଦିନରେ ୧ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଦେଶରେ ହାରାହାରି ୧୦ ହଜାର ସେସନ୍ସ କରାଯାଇ ଲୋକଙ୍କୁ ଦୈନିକ ଟିକାକରଣ କରାଯାଉଛି । ଆଗକୁ ଏହାକୁ ଦୈନିକ ୪୦ରୁ ୫୦ ହଜାର ସେସନ୍ସରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆମେରିକାରେ ୧ କୋଟିରୁ ଅଧିକ ଲୋକଙ୍କୁ ୩୧ ଦିନରେ ଟିକାକରଣ କରାଯାଇଥିଲା । ଭାରତ ୩୪ ଦିନରେ ୧.୦୪ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଜଣେ ସରକାରୀ ଅଧିକାରୀ କହିଛନ୍ତି, ଭାରତ ଭଳି ଏକ ବିଶାଳ ରାଷ୍ଟ୍ରରେ ଏତେ କମ ଦିନରେ ୧ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବା, ନିଶ୍ଚିତ ଗୋଟିଏ ବଡ଼ ସଫଳତା । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ମାର୍ଚ୍ଚ ମାସରୁ ୫୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କର କରୋନା ଟିକାକରଣ ଆରମ୍ଭ ହେବ । ଏହି ବର୍ଗରେ ମୋଟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଲୋକଙ୍କୁ ସବୁଧାରେ ଟିକାର ଡୋଜ୍ ଦେବାକୁ ବିଭିନ୍ନ ସ୍ଥାନରେ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି । ସମଗ୍ର ଦେଶରେ ଏଯାଏଁ ୨,୨୦,୮୭୭ ସେସନ କରାଯାଇଛି ଓ ମୋଟ ୧.୦୪ କୋଟି ଲୋକଙ୍କର ଟିକାକରଣ କରାଯାଇଥିବା ସେ କହିଛନ୍ତି । କରୋନା ଟିକାର ପ୍ରଥମ ଡୋଜ ୬୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିବା ବେଳେ ପ୍ରାୟ ୩୪ ଲକ୍ଷ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ କରାଯାଇଛି । ସେହିପରି ୭.୬ ଲକ୍ଷ ସ୍ୱାସ୍ଥ୍ୟକର୍ମୀ କରୋନାର ଟିକାର ଦ୍ୱିତୀୟ ଡୋଜ୍ ମଧ୍ୟ ନେଇଛନ୍ତି । ଗୁରୁବାର ଦେଶରେ ୬,୫୮,୬୪୭ ଡୋଜ୍ ଲୋକଙ୍କୁ ଦିଆଯାଇଛି । ଏହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସବୁଠାରୁ ଅଧିକ । ଦେଶର ୮ଟି ରାଜ୍ୟରେ ଟିକାକରଣ ପ୍ରତିଶତ ୫୭% ଥିବା ବେଳେ ଉତ୍ତର ପ୍ରଦେଶରେ ସର୍ବାଧିକ ୧୧.୩ ଲକ୍ଷ ଡୋଜ୍ ଲୋକଙ୍କୁ ଦିଆଯାଇଛି । ଏହା ପଛକୁ ମହାରାଷ୍ଟ୍ରରେ ୮.୫ ଲକ୍ଷ ଓ ଗୁଜରାଟରେ ୮.୪ ଲକ୍ଷ ଟିକାର ଡୋଜ୍ ଦିଆଯାଇଛି ।

Leave A Reply

Your email address will not be published.