ଦିଶା ରବିଙ୍କୁ ମିଳିଲାନି ଜାମିନ, ୨୩ରେ ରାୟ

0 76

ନୂଆଦିଲ୍ଲୀ, ୨୦ ।୨: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଜାମିନ ମିଳିନାହିଁ । ପଟିଆଲା ହାଉସ କୋର୍ଟ ଦିଲ୍ଲୀ ପୁଲିସ୍ ଓ ଦିଶାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ ମାମଲା ରାୟ ୨୩ ତାରିଖରେ ପ୍ରକାଶ କରିବେ ବୋଲି କହିଛନ୍ତି । ଦିଲ୍ଲୀ ପୁଲିସ୍ ଆଜି କୋର୍ଟରେ କହିଛି ଯେ ଟୁଲକିଟ୍ରେ ମିଛ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଥିଲା । ଟୁଲକିଟ୍ରେ ଲୋକଙ୍କୁ ସରକାରୀ ବିରୋଧୀ ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି । ଭାରତ ସରକାରଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରାଯାଉଥିଲା । ଏହି ମାମଲାରେ ଆମକୁ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଛି, ଯାହାକୁ ଆମେ ବନ୍ଦ ଲଫାପାରେ କୋର୍ଟଙ୍କୁ ଦେବାକୁ ଚାହୁଁଛୁ । ଦିଶା ରବିଙ୍କ ବିରୋଧରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ରହିଛି । ତାଙ୍କ ସହଯୋଗୀ ଶାନ୍ତନୁ ଦିଲ୍ଲୀ ଆସିଥିଲେ ଓ ୨୦ରୁ ୨୭ ତାରିଖ ଯାଏ ରହିଥିଲେ । ଯୋଜନା ଅନୁସାରେ ଦିଲ୍ଲୀରେ ସବୁ କିଛି ହେଉଛି କି ନାହିଁ, ତା’ର ଯାଞ୍ଚ କରିବାକୁ ଶାନ୍ତନୁ ଆସିଥିଲେ । ଜାନୁଆରୀ ୨୬ରେ ଷଡ଼ଯନ୍ତ୍ରକାରୀ ସଫଳ ହୋଇନାହାନ୍ତି । ଯଦି ସେମାନେ ଯୋଜନା ଅନୁସାରେ କାମ କରିଥାଆନ୍ତେ, ତା’ହେଲେ ସ୍ଥିତି ଆହୁରି ଭୟଙ୍କର ହୋଇଥାଆନ୍ତି ବୋଲି ପୁଲିସ୍ କହିଛି । ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍ ଦେଇଥିବା ଦସ୍ତାବିଜ୍ରେ ବିଚାରପତି ଆଦୌ ସହମତି ହୋଇ ନଥିଲେ । ବିଚାରପତି ପୁଲିସକୁ ପଚାରିଥିଲେ ଯେ ଟୁଲକିଟ ଓ ଜାନୁଆରୀ ୨୬ ହିଂସାକାଣ୍ଡ ମଧ୍ୟରେ କ’ଣ ଲିଙ୍କ ରହିଛି? ଏହି ଦୁଇ ଘଟଣାର ପରସ୍ପର ସହ ଲିଙ୍କ ରହିଥିବା କିଛି ପ୍ରମାଣ ମିଳିଛି କି? ହିଂସାକୁ ଉସକାଇବା ଭଳି କୌଣସି ତଥ୍ୟ ଟୁଲକିଟ୍ରେ ନାହିଁ । ବିଚାରପତି ପୁଲିସକୁ ପ୍ରଶ୍ନ କରିଥିଲେ ଯେ ଏ ସମ୍ପର୍କରେ କୌଣସି ସିଧା ଲିଙ୍କ ଅଛି ନା କେବଳ ଅନୁମାନ ଲଗାଯାଉଛି? ଏହାର ଜବାବରେ ଦିଲ୍ଲୀ ପୁଲିସ୍ କହିଥିଲା ଯେ ଆମେ ଟୁଲକିଟ୍ରେ ତଥ୍ୟ ଓ ଏହା ପଛର ଉଦ୍ଦେଶ୍ୟକୁ ଭଲ ଭାବେ ବୁଝିବା ଦରକାର । ଏହା ଆଦୌ ସହଜ ମାମଲା ନୁହେଁ । ଟୁଲକିଟ୍ରେ ହ୍ୟାଶଟ୍ୟାଗ ଓ ଲିଙ୍କକୁ ମିଶାଇ ପଢ଼ିବାକୁ କୁହାଯାଇଛି । ଏହା କୌଣସି ସାଧାରଣ ସନ୍ଦେଶ ନୁହେଁ । ଲିଙ୍କ୍ଗୁଡ଼ିକ ଲୋକଙ୍କୁ ଉସକାଇବା ପାଇଁ ହୋଇଛି । ସେମାନଙ୍କୁ ଦିଲ୍ଲୀରେ ମାର୍ଚ୍ଚ କରିବାକୁ କୁହାଯାଇଛି । ଲୋକଙ୍କୁ ନରସଂହାର କରାଯାଉଥିବା ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.