ଏବେ ଆମ ସମସ୍ତଙ୍କ ପାଇଁ ଆତ୍ମସମୀକ୍ଷାର ବେଳ ଉପନୀତ । ଦୂରପାହାଡ଼ ସୁନ୍ଦର ଭଳି ଆମ ରାଜ୍ୟର ଲୋକେ ବାହାର ରାଜ୍ୟକୁ ଆପଣାଇଛନ୍ତି । କିନ୍ତୁ ବିପଦ ବେଳେ ନିଜ ଭିଟାମାଟି କଥା ମନେ ପଡୁଛି । ପଇସା ରୋଜଗାର ମୁହଁ ଏମାନଙ୍କୁ ଏତେ ଘାରିଛି ଯେ, ଏମାନେ ବାହାର ରାଜ୍ୟରେ ପଛେ ସଫେଇ କାର୍ଯ୍ୟ କରିବେ ନିଜ ରାଜ୍ୟରେ କିନ୍ତୁ କୌଣସି ଛୋଟମୋଟ ବ୍ୟାପାର ବାଣିଜ୍ୟ କରିବା ପାଇଁ ଅମଙ୍ଗ ହେଉଛନ୍ତି । ଛାତ୍ରଛାତ୍ରୀମାନେ ଉନ୍ନତ ପାଠ୍ୟକ୍ରମ ପାଇଁ ବିଦେଶ ଯାଉଛନ୍ତି । ସେଠି ପାଠପଢ଼ା ଶେଷ କରି ସେଇଠି ସେମାନେ କାମରେ ଲାଗିଯାଉଛନ୍ତି । ସେମାନଙ୍କ ଭାବନା ନିଜ ଦେଶକୁ ଫେରିଲେ ଏତେ ଭଲ ବେତନରେ ଚାକିରୀ ହୁଏତ ସେମାନଙ୍କୁ ମିଳିବନି । ଦେଶ ଛାଡ଼ି ବିଦେଶ କାହିଁକି ଯାଉଛନ୍ତି ଆମ ଦେଶର ଜ୍ଞାନୀଗୁଣିମାନେ । ଏହାର କାରଣ କଣ ଖୋଜାଯାଉଛି । ନା ତାର ପ୍ରତିକାର ପାଇଁ ଚେଷ୍ଠା କରାଯାଉଛି । କାରଣ ଖୋଜାଯାଉଛି ରାଜ୍ୟ ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି ଆମ ରାଜ୍ୟର ଲୋକେ । ରାଜ୍ୟରେ ସେମାନଙ୍କ ପାଇଁ ସୁଯୋଗ ଅଛି ନା ପର ତିଅଣ ସୁଆଦ ନ୍ୟାୟରେ ସେମାନେ ସେଠାରେ କାମ କରୁଛନ୍ତି । ତାହା ଏବେ ସନ୍ଦେହ ଘେରରେ । କରୋନା ସମୟରେ ସେମାନେ ନିଜ ରାଜ୍ୟକୁ ବାହୁଡ଼ି ଆସିଥିଲେ । ସେମାନଙ୍କୁ ଏଠାରେ କର୍ମସଂସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ । ମାତ୍ର କରୋନାର ପ୍ରକୋପ ଟିକେ କମିବା ମାତ୍ରେ ସେମାନେ ପୁଣି ବାହାର ରାଜ୍ୟକୁ କର୍ମ ପାଇଁ ଚାଲିଗଲେ । ଏମାନଙ୍କ ଯୋଗୁଁ ଯେ ରାଜ୍ୟର ମୁଣ୍ଡ ତଳକୁ ଯାଉଛି, ସେଥିରେ ସେମାନଙ୍କର ତିଳେମାତ୍ର ଧ୍ୟାନ ନାହିଁ । କେବଳ ପଇସା ରୋଜଗାର ହିଁ ଏମାନଙ୍କ ମୂଳଲକ୍ଷ୍ୟ । ନିଜ ମାଟି ପ୍ରତି ଏମାନଙ୍କର ମୋହ କିମ୍ବା ମମତା ନାହିଁ, ଏକଥାରେ ତିଳେମାତ୍ର ସନ୍ଦେହ ନାହିଁ । ଏମାନେ କେବଳ ନିଜ ସ୍ୱାର୍ଥରେ ବୁଡ଼ି ରହିଛନ୍ତି । ଆମେ ଉନ୍ନତି କରୁଛୁ ବୋଲି ସବୁଠି ଡିଣ୍ଡିମ ପିଟୁଛେ । କିନ୍ତୁ ଆଜି ବି ଏଭଳି ସମସ୍ୟା ରହିଛି ଯାହାକି ବିଶ୍ୱ ଦରବାରରେ ଆମକୁ ନିନ୍ଦିତ ଓ ଅପମାନିତ କରିଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ପ୍ରବାସୀମାନଙ୍କ ମଧ୍ୟରୁ ଭାରତୀୟ ହେଉଛନ୍ତି ସର୍ବାଧିକ ବୋଲି ଜାତିସଂଘ ରିପୋର୍ଟରୁ ଜଣାଯାଇଛି । ଏକଥା ଜାତିସଂଘର ଜନସଂଖ୍ୟା ବିଭାଗ ନିର୍ଦ୍ଦେଶକ ଜନ୍ ୱିଲ୍ମଥ କହିଛନ୍ତି । ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ ବିଭାଗ ଠାରେ ଏଭଳି ଆର୍ନ୍ତଜାତୀୟ ଦେଶାନ୍ତର ରିପୋର୍ଟ ଅଛି । ୨୦୨୦ ଉପସ୍ଥାପନ କରି ସେ କହିଛନ୍ତି- ଯେଉଁଠି ୫ କୋଟି ୧୦ଲକ୍ଷ ବା ବିଶ୍ୱର ସମୁଦାୟ ପ୍ରବାସୀଙ୍କ ଅଠର ପ୍ରତିଶତ ବସବାସ କରନ୍ତି । ୨୦୨୦ ସୁଦ୍ଧା ସବୁ ଦେଶର ପ୍ରବାସୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏଥିରେ ଭାରତୀୟ ସଂଖ୍ୟା ୧କୋଟି ବୃଦ୍ଧି ପାଇଛି । ପ୍ରବାସୀଙ୍କ ସଂଖ୍ୟାରେ ଭାରତ ଏବେ ଶୀର୍ଷରେ । ୨୦୦୦ରେ ଭାରତ ତୃତୀୟ ଥିବାବେଳେ ଏବେ ଶୀର୍ଷସ୍ଥାନ ଦଖଲ କରିଛି । ଜାତିସଂଘ କହିଛି ବିଶ୍ୱର ଅନ୍ୟତମ ସବୁଠୁ ସକ୍ରିୟ ତଥା ଗତିଶୀଳ ଗୋଷ୍ଠୀ ହେଉଛନ୍ତି ଭାରତୀୟ । ସେମାନଙ୍କ ଭିତରେ ବିଭିନ୍ନତା ରହିଛି । ଏମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି କର୍ମଜୀବୀ ଓ ଛାତ୍ର । ଉପସାଗରୀୟ ଦେଶମାନଙ୍କରେ ମଧ୍ୟ ଭାରତୀୟମାନେ ବହୁଳ ସଂଖ୍ୟାରେ ରହିଛନ୍ତି, ଓ ସେଠକାର ଆର୍ଥିକ ପ୍ରଗତିରେ ଏମାନଙ୍କ ଯଥେଷ୍ଟ ଭୂମିକା ରହିଛି । ଭାରତ ବାହାରେ ଭାରତୀୟଙ୍କ ସଫଳତା ଏବଂ ସେ ଦେଶରେ ଭାରତୀୟଙ୍କ ପ୍ରତି ଆଦରକୁ ଦେଖି ଆମେ ଗର୍ବ କରୁ । ଏସବୁ ଦେଶର ପ୍ରଗତିରେ ଭାରତୀୟମାନଙ୍କ ଅବଦାନ ଜାଣିଲେ ଆମ ଛାତି ଗର୍ବରେ ଫୁଲିଉଠେ । କିନ୍ତୁ ଆମ ରାଜ୍ୟର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲେ ଲଜ୍ଜାରେ ଆମ ମୁଣ୍ଡ ତଳକୁ ହୋଇଯାଏ । ଅନେକ ଲୋକ ନିଜ ରାଜ୍ୟରେ, ନିଜ ଗାଁରେ ଛୋଟମୋଟ କାମ କରି ବଞ୍ଚିବାଚୁ ଚାହୁଁନାହାଁନ୍ତି । ବେଶୀ ଟଙ୍କା ରୋଜଗାର ଆଶାରେ ମଧ୍ୟ ଅନେକେ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟିବାକୁ । ଏମାନେ ନିଜ ରାଜ୍ୟରେ କାମ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ଏହାଠୁ ବଡ଼ ଦୁଃଖ ଓ ପରିତାପର ବିଷୟ କିଛି ବି ହୋଇନପାରେ ।