ଗଜପତିରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢିଚାଲିଛି

0 70

ବିପଦଜନକ ଚିକିତ୍ସାରେ ମୃତ୍ୟୁ ସହିତ ସଂଗ୍ରାମରତ ନାବାଳକ ଅଳ୍ପକେ ବର୍ତ୍ତିଲେ

ପାରଳାଖେମୁଣ୍ଡି, ୨୬ା୨ : ସମଗ୍ର ଗଜପତି ଜିଲ୍ଲାରେ କ୍ୱାକ ବା ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବିଶେଷ ଭାବେ ବଢି ଚାଲିଛି । ଗତକାଲି ଏଭଳି ଜଣେ ନକଲି ଡାକ୍ତରଙ୍କ ବିପଦଜନକ ଚିକିତ୍ସା ପଦ୍ଧତି ଓ ଇନ୍ଜେକ୍ସନ ଦ୍ୱାରା ଜଣେ ନାବାଳକ ଅତ୍ୟନ୍ତ ଗୁରୁତର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରି ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର କାଶୀନଗର ଏନ୍ଏସି ୧୨ନମ୍ବର ୱାର୍ଡ ଅନ୍ତର୍ଗତ ପନ୍ଦରା ସାହିରେ ରହୁଥିବା ଜଣେ ବାଳକ ସ୍ଥାନୀୟ ଜଣେ କ୍ୱାକ୍ ତଥା ଗାଁ ଗାଁ ବୁଲି ଚିକିତ୍ସା କରୁଥିବା ନକଲି ଡାକ୍ତରଙ୍କ ଠାରୁ ଇନ୍ଜେକ୍ସନ ନେବା ପରେ ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା । ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନାରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକଟି ବିପଦମୁକ୍ତ ହୋଇଥିବା ସୂଚନା ମିଳିଛି । ଘଟଣାଟି କାଶୀନଗର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । କେବଳ କାଶୀନଗର ନୁହେଁ ସମଗ୍ର ଗଜପତି ଜିଲ୍ଲାର ମୋହନା, ଆର୍.ଉଦୟଗିରି, ନୂଆଗଡ, ରାୟଗଡ, ଗୁମ୍ମା, ଗୋଷାଣୀ ଆଦି ସମସ୍ତ ବ୍ଲକରେ ବିଶେଷ କରି ଏଭଳି କ୍ୱାକ୍ ବା ନକଲି ଡାକ୍ତରଙ୍କ ବିପଦଜନକ ଚିକିତ୍ସା ବିଶେଷ ଭାବେ ଚାଲିଛି । ଏମାନଙ୍କ ଚିକିତ୍ସା ପଦ୍ଧତି ଅତ୍ୟନ୍ତ ମାରାତ୍ମକ । ଗ୍ରାମାଞ୍ଚଳର ଲୋକଙ୍କ ସରଳତାର ସୁଯୋଗ ନେଇ ଏମାନେ ବେଶ ରୋଜଗାର କରିଚାଲିଛନ୍ତି । ଏପରିକି କୋଭିଡ୍ ସମୟରେ ମଧ୍ୟ ଜାଲ ଚିକିତ୍ସା ପଦ୍ଧତି ଦ୍ୱାରା ଦୁଇରୁ ତିନିଗୁଣ ଅଧିକ ଅର୍ଥ ଉପାର୍ଜନ କରିଥିଲେ । ଏମାନେ ସାଧାରଣତଃ ରୋଗୀକୁ ହାଇଡୋଜ ଇନ୍ଜେକ୍ସନ ବା ଔଷଧ ଦେଇ ଜ୍ୱର କିମ୍ବା ରୋଗକୁ ସଙ୍ଗେ ସଙ୍ଗେ କମିଯିବାଭଳି ଲୋକଙ୍କୁ ଦର୍ଶାଇ ଲୋକଙ୍କ ଠାରୁ ଅର୍ଥ ଲୁଣ୍ଠନ କରି ଚାଲିଛନ୍ତି । ବର୍ତ୍ତମାନ ଭଳି ଇନ୍ଜେକ୍ସନର ରିଆକ୍ସନ ଦ୍ୱାରା ଏହି ଜିଲ୍ଲାରେ କେତେକ ବ୍ୟକ୍ତି ଏମାନଙ୍କ ବିପଦଜନକ ଚିକିତ୍ସା ପଦ୍ଧତିରେ ମୃତ୍ୟୁବରଣ କରିଛନ୍ତି ଏବଂ ବହୁ ଲୋକ ଗୁରୁତର ହୋଇ ପରିଶେଷରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ଏ ସବୁ ଜାଣି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏମାନଙ୍କ ପ୍ରାଦୃର୍ଭାବ ବିଶେଷ ଭାବେ ବଢି ଚାଲିଛି ଓ ସାଧାରଣଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ଏପରି ନକଲି ଡାକ୍ତରଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ କରୁ ବୋଲି ଦାବି ହୋଇଛି ।

Leave A Reply

Your email address will not be published.