ସୀମା ପାର ଗୁଳିମାଡ଼ ଉପରେ ଲାଗିବ ରୋକ୍

0 69

ଭାରତ-ପାକ୍ ମଧ୍ୟରେ ଡିଲ୍

ନୂଆଦିଲ୍ଲୀ, ୨୬ ।୨: ସୀମା ପାର ଗୁଳିମାଡ଼ ଉପରେ ରୋକ ଲଗାଇବା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଲ୍ ହୋଇଛି । ଜମ୍ମୁ-କଶ୍ମୀରେ ଉଭୟ ଦେଶ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବେ ନାହିଁ ବୋଲି ରାଜି ହୋଇଛନ୍ତି । ପୂର୍ବରୁ ପାକିସ୍ତାନ ନିୟମିତ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ବେଳେ ହଠାତ୍ କେମିତି ଭାରତ ସହ ଡିଲ୍ କଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହେଲେ ଏହା ପଛରେ ଗୋଟିଏ ଫୋନ୍ କଲ୍ ରହିଥିବା ଖବର ସାମ୍ନାକୁ ଆସିଛି । ଭାରତ ଓ ପାକିସ୍ତାନର ସାମରିକ ଅପରେସନ୍ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ସୋମବାର ଅପ୍ରତ୍ୟାଶିତ ଭାବେ ଫୋନ ଯୋଗେ ଆଲୋଚନା ହୋଇଥିଲା । ଏହାପରେ ଜମ୍ମୁ କଶ୍ମୀରରେ ଚାଲିଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ଉପରେ ରୋକ୍ ଲଗାଇବା ପାଇଁ ପଥ ପରିଷ୍କାର ହୋଇଥିଲା ବୋଲି ଜଣାପଡ଼ିଛି । ୨୦୦୩ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବା ପାଇଁ ଡିଲ୍ ହୋଇଥିଲା । ଏହାକୁ ୨୦୧୬ ଯାଏ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ତେବେ ୨୦୧୬ରେ ପାକିସ୍ତାନ ଆତଙ୍କବାଦୀମାନେ ଉରି କ୍ୟାମ୍ପରେ ହମଲା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଏହି କାରଣରୁ ୨୦୧୬ରୁ ୨୦୧୮ ମଧ୍ୟରେ ସର୍ବାଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ସାମ୍ନାକୁ ଆସିଥିଲା । ୨୦୧୮ ମସିହାରେ ପାକିସ୍ତାନ ଅସ୍ତ୍ରବିରତି ସମ୍ପର୍କରେ ନୂଆ ପ୍ରସ୍ତାବ ଦେଇଥିଲା । ହେଲେ ଏହା ଗ୍ରହଣ ନ ହେବାରୁ ଉଭୟ ଦେଶ ସୀମାରେ ଗୁଳିମାଡ଼ ଜାରି ରହିଥିଲା । ନିୟମିତ ଭାବେ ଭାରତ ଓ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପରସ୍ପରକୁ ଗୁଳିମାଡ଼ କରୁଥିଲେ । ତଥାପି ଦୁଇ ଦେଶ ମଧ୍ୟରେ ହଟଲାଇନ୍ରେ ଯୋଗାଯୋଗ ଜାରି ରହିଥିଲା । ଭାରତ ଓ ପାକିସ୍ତାନର ଜଣେ ଲେଖାଏ ମେଜର ରାଙ୍କର ଅଫିସର ନିୟମିତ ରୁଟିନ୍ କାମ ବିଷୟରେ ଉଭୟ ଦେଶକୁ ଜଣାଉଥିଲେ । ସେହିପରି ସପ୍ତାହକରେ ଗୋଟିଏ ଥର ବ୍ରିଗେଡିର୍ୟ ସ୍ତରୀୟ ଆଲୋଚନା ମଧ୍ୟ ହେଉଛି । କିନ୍ତୁ ଉଭୟ ଦେଶର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପରସ୍ପର ସହ ଖୁବକମ୍ ସମୟରେ କଥାବାର୍ତ୍ତା କରନ୍ତି । ତେବେ ସୋମବାର ଦିନ ଅପ୍ରତ୍ୟାଶିତ ଭାବେ ଉଭୟ ଦେଶର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପରସ୍ପର ସହ ଫୋନ୍ରେ କଥା ହୋଇଥିଲେ । ଏଥିସହ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବାକୁ ଏହି ଫୋନ୍ରେ ହିଁ ଡିଲ୍ ହୋଇଥିଲା । ବୁଧବାର ମଧ୍ୟରାତ୍ରରୁ ଏହା କାର୍ଯ୍ୟକାରୀ କରାଯିବାକୁ ମଧ୍ୟ ସେମାନେ ରାଜି ହୋଇଥିଲେ । ନିଷ୍ପତ୍ତି ଅନୁଯାୟୀ, ଗୁରୁବାର ମିଳିତ ବିବୃତିରେ ଉଭୟ ଦେଶ ପରସ୍ପର ସହ ଅସ୍ତ୍ରବିରତି ସଂକ୍ରାନ୍ତ ଡିଲ୍ କରିଛନ୍ତି ବୋଲି ଘୋଷଣା କରିଥିଲେ । ଏଥିରେ କୁହାଯାଇଛି ଯେ ଉଭୟ ଦେଶର ପରସ୍ପରର ଲାଭ ଓ ସୀମାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ରାଜି ହୋଇଛନ୍ତି । ସୀମାରେ ଅଶାନ୍ତି ଓ ହିଂସା ସୃଷ୍ଟି କରିବା ଭଳି ଘଟୁଥିବା ସମସ୍ୟାର ସମାଧାନ ମିଳିତ ଭାବେ କରାଯିବ ବୋଲି ଡିଲ୍ ମଧ୍ୟ ହୋଇଛି । ଭାରତ ଓ ପାକିସ୍ତାନ ପରସ୍ପର ସହ କରିଥିବା ଡିଲ୍କୁ କଡ଼ାକଡ଼ି ଭାବେ ପାଳନ କରିବେ । ସୀମାରେ କୌଣସି ପ୍ରକାରର ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟ କରାଯିବ ନାହିଁ । ଏହି ନିୟମ ୨୪/୨୫ ମଧ୍ୟରାତ୍ରିରୁ ଆରମ୍ଭ ହେବ । ଏଥିରେ ଆହୁରି କୁଯାଇଛି ଯେ କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ କିମ୍ୱା ଭୁଲ ବୁଝାମଣା ହେଲେ ତୁରନ୍ତ ଏହାର ସାମାଧନ ପାଇଁ ହଟଲାଇନ୍ରେ ଯୋଗାଯୋଗ କରାଯିବ । ସେହିପରି “ଫ୍ଲାଗ୍ ମିଟିଂ’ର ବ୍ୟବସ୍ଥା ବି ହେବ । ଅନ୍ୟପକ୍ଷରେ ସରକାରଙ୍କ ତଥ୍ୟ ତଥ୍ୟ ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ସୀମାରେ ପ୍ରାୟ ୧୧ ହଜାର ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ଏଥିରେ ୧୪୦ରୁ ଅଧିକ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକ ନିହତ ହୋଇଛନ୍ତି । କେବଳ ଗତବର୍ଷ ପାକିସ୍ତାନ ୫୧୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଏଥିରେ ୪୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ସେହିପରି ଚଳିତ ବର୍ଷ ଜାନୁଆରୀ ୨୮ ଯାଏ ପାକିସ୍ତାନ ୨୯୯ ଥର ସୀମା ଲଙ୍ଘି ଗୁଳିମାଡ଼ କରିଛି ।

Leave A Reply

Your email address will not be published.