ରାମ ମନ୍ଦିର ପାଇଁ ଆଦାୟ ହେଲାଣି ୧୯୦୦ କୋଟି ଟଙ୍କା

0 64

ଅଯୋଧ୍ୟା, ୨୬ ।୨: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପାଇଁ ଦାନସୂତ୍ରରେ ଟଙ୍କାର ବର୍ଷା ହେବାରେ ଲାଗିଛି । ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ସଂଗ୍ରହ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଦେଶରେ ଅଭିଯାନ କରିଥିଲା । ୟା ଭିତରେ ମନ୍ଦିର ନିର୍ମାଣ ପାଇଁ ଗଠିତ ଟ୍ରଷ୍ଟ ପାଖରେ ୧୯୦୦ କୋଟି ଟଙ୍କା ପହଞ୍ଚି ସାରିଥିବା କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ସୂଚନା ଦେଇଛନ୍ତି । ଜାନୁଆରୀ ୧୫ରୁ ଭିଏଚପି ସମଗ୍ର ଦେଶରେ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ରାଜନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ସାଧାରଣ ଲୋକ ନିଜ ଇଚ୍ଛାରେ ଅର୍ଥଦାନ କରିଥିଲେ । ଏସବୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଟ୍ରଷ୍ଟ ପାଖରେ ମନ୍ଦିର ନିର୍ମାଣ ପାଇଁ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ରହିସାରିଲାଣି । ଅନ୍ୟପକ୍ଷରେ ଗୁରୁବାର ଠାରୁ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ୪ ଦିନିଆ ଅଯୋଧ୍ୟା ଗସ୍ତ କରିଛନ୍ତି । ସେ ଏହି ସମୟରେ ରାମଜନ୍ମଭୂମି ପରିସରର ସର୍ଭେ ମଧ୍ୟ କରିଛନ୍ତି । ତାଙ୍କ ସହ ଲାରସେନ ଓ ଟୋର୍ବୋ ଏବଂ ଟାଟାର ଇଞ୍ଜିନିୟରମାନେ ମଧ୍ୟ ରହିଥିଲେ । ରାମ ଜନ୍ମଭୂମି ପରିସର ଦେଖିବା ପରେ ସେମାନେ ସମସ୍ତେ ଫୈଜାବାଦରେ ଥିବା ସର୍କିଟ ହାଉସରେ ପହଞ୍ଚିଥିଲେ । ଏଠାରେ ମନ୍ଦିର ନିର୍ମାଣ ବ୍ଲୁ ପ୍ରିଣ୍ଟ ବିଷୟରେ ଆଲୋଚନା କରାଯାଇଛି । ଏହି ବୈଠକରେ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଦୀର୍ଘ ୫ ଘଣ୍ଟାର ମାନସମନ୍ଥନ ପରେ ମନ୍ଦିରର ମୂଳଦୂଆ କେମିତି ସ୍ଥାପନ ହେବ, ତା’ର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ଅନୀଲ ମିଶ୍ର କହିଛନ୍ତି, ମନ୍ଦିର ନିର୍ମାଣ ସ୍ଥାନରେ ବେଶ ଭଲ ଭାବେ ଖୋଳାଖୋଳି ଓ ଧ୍ୱଂସାବଶେଷ ଉଠାଇବା କାର୍ଯ୍ୟ ଜାରି ରହିଛି । ବୈଠକରେ ଆମେ ମନ୍ଦିରର ଚୂଡ଼ାନ୍ତ ଆକାର କେମିତି ରହିବ ଓ ମୂଳଦୂଆ ସ୍ଥାପନ ପାଇଁ କେଉଁ ସବୁ ଜିନିଷ ବ୍ୟବହାର କରାଯିବ, ତା’ ଉପରେ ଆଲୋଚନା କରିଛୁ । ନୂଆ ଅଯୋଧ୍ୟା ପ୍ରକଳ୍ପ ସହ ମନ୍ଦିର ନିର୍ମାଣ କାମକୁ ମଧ୍ୟ ଲିଙ୍କ୍ କରାଯାଇଛି ।

Leave A Reply

Your email address will not be published.