ନୌଦୀପ କୌରଙ୍କୁ ମିଳିଲା ଜାମିନ

0 75

ଚଣ୍ଡିଗଡ଼, ୨୬ ।୨: ଦିଲ୍ଲୀର କୁଣ୍ଡଲି ସୀମାରେ ଶ୍ରମିକଙ୍କ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭରେ ସାମିଲ ହୋଇ ଗିରଫ ହୋଇଥିବା ଦଳିତ ସ୍ୱେଚ୍ଛାସେବୀ ନୌଦୀପ କୌରଙ୍କୁ ଶେଷରେ ଜାମିନ ପାଇଛନ୍ତି । ତାଙ୍କୁ ପୁଲିସ୍ ଜାନୁଆରୀ ୧୨ରେ ଗିରଫ କରିବାରୁ ସେ ହରିଆଣାର କର୍ଣ୍ଣାଲ ଜେଲ୍ରେ ଥିଲେ । ପଞ୍ଜାବ-ହରିଆଣା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜେଲ୍ରେ ଥିବା ବେଳେ ନୌଦୀପ ପୁଲିସ୍ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ହେଲେ ଏହାକୁ ପ୍ରଶାସନ ଭିତ୍ତିହୀନ ବୋଲି କହିଛି । ନୌଦୀପଙ୍କ ଓକିଲ ହରିନ୍ଦର ଦୀପ ସିଂହ କହିଛନ୍ତି ଯେ ସେ (ନୌଦୀପ) ଆଣିଥିବା ବେଆଇନ ଗିରଫଦାରୀର ଶୁଣାଣି କୋର୍ଟ ପୃଥକ ଭାବେ କରିବେ । ସେହିପରି ତାଙ୍କର ବିଭିନ୍ନ ସମୟରେ ହୋଇଥିବା ମେଡିକାଲ ରିପୋର୍ଟକୁ ମଧ୍ୟ କୋର୍ଟ ଯାଞ୍ଚ କରିବେ । ଧାରା ୩୬୦ ବଳରେ ଗିରଫଦାରୀ ହୋଇଥିଲେ ହେଁ ଏହା ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା । ଏହି କାରଣରୁ କୋର୍ଟ କୌରଙ୍କୁ ଜାମିନ ଦେଇଥିବା ଶ୍ରୀ ସିଂହ କହିଛନ୍ତି । ଚାଷୀ ଆନ୍ଦୋଳନକୁ ସମର୍ଥନ ଓ ଶ୍ରମିକଙ୍କ ଭତ୍ତା ବୃଦ୍ଧି କରିବା ଦାବିରେ କୁଣ୍ଡଲି ସୀମାରେ ହେଉଥିବା ଆନ୍ଦୋଳନରେ ନୌଦୀପ ସାମିଲ ହୋଇଥିଲେ । ବିକ୍ଷୋଭକାରୀମାନେ ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ । ଏହି ସମୟରେ ସେଠାରେ କୃଷି ଆଇନ ବିରୋଧରେ ପୂର୍ବଭଳି ଆନ୍ଦୋଳନ କରୁଥିବା ଚାଷୀମାନେ ମଧ୍ୟ ରହିଥିଲେ । ଶ୍ରମିକ ଆନ୍ଦୋଳନରେ ସାମିଲ ଥିବାରୁ ନୌଦୀପଙ୍କୁ ପୁଲିସ୍ ଗିରଫ କରିଥିଲା । ଏହାପରେ ତାଙ୍କ ନାଁରେ ହତ୍ୟା, ଚୋରି, ଦଙ୍ଗା, ବେଆଇନ ଭାବେ ଲୋକଙ୍କୁ ଏକାଠି କରିବା, ଜୋରଜବରଦସ୍ତି ଟଙ୍କା ଆଦାୟ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା ରୁଜୁ କରାଯାଇଥିଲା । ପୂର୍ବରୁ ତାଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଓ ଜବରଦସ୍ତି ବଟି ଆଦାୟ ମାମଲାରେ ଜାମିନ ମିଳିଥିଲା । ନୌଦୀପଙ୍କ ଗିରଫଦାରୀକୁ ନେଇ ଆମେରିକାର ଉପ ରାଷ୍ଟ୍ରପତି କମଳା ହାରିସଙ୍କ ଝିଆରୀ ମୀନା ହାରିଶ ମଧ୍ୟ ଟ୍ୱିଟ କରିଥିଲେ । ସେ କହିଥିଲେ ଯେ ୨୩ ବର୍ଷୀୟ ଶ୍ରମିକ ସ୍ୱେଚ୍ଛାସେବୀଙ୍କୁ ଗିରଫ କରାଯାଇ ଶାରିରୀକ ଓ ଯୌନ ନିର୍ଯାତନା ଦିଆଯାଉଛି ।

Leave A Reply

Your email address will not be published.