କାୟା ମେଲାଉଛି କରୋନା

0 68

୨୪ ଘଣ୍ଟାରେ ୧୨୦ ମୃତ, ୧୬ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ, ୨୬ ।୨: ପୁଣିଥରେ ଭାରତରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା ଭାଇରସ । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୬ ହଜାର ପାର କରିଛି । ସେହିପରି ୨୪ ଘଣ୍ଟାରେ ପୁଣିଥରେ ୧୦୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୬,୫୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୬୩,୪୯୧ରେ ପହଞ୍ଚି ଯାଇଛି । ସେହିପରି ଗତକାଲି ୧୨,୧୭୯ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୦୭,୫୦,୬୮୦ ଛୁଇଁଛି । ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୧୨୦ ଜଣ ଲୋକଙ୍କ ଜୀବନ ଯାଇଛି । ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୬,୮୨୫ରେ ପହଞ୍ଚି ଯାଇଛି । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୧,୫୫,୯୮୬ ରହିଛି । ସେପ୍ଟେମ୍ବର ମାସରୁ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା । ହେଲେ ଫେବୃଆରୀ ମାସ ଆରମ୍ଭରୁ ଏହା ପୁଣି ଉପରମୁହାଁ ହୋଇଛି । ବିଶେଷ କରି ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଠାରେ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତରେ ଏଯାଏ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ୧,୩୪,୭୨,୬୪୩ ଜଣ ଲୋକଙ୍କୁ ଦିଆଯାଇଛି ।

Leave A Reply

Your email address will not be published.