ତାମିଲନାଡୁରେ ମାତ୍ର ୨୧ଟି ଆସନରେ ନିର୍ବାଚନ ଲଢ଼ିବ ବିଜେପି!

0 54

ଚେନ୍ନାଇ, ୧ ।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି । ଚଳିତ ବର୍ଷ ତାମିଲନାଡୁରେ ବିଜେପି ଓ ଶାସକ ଏଆଇଏଡିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ । ଉଭୟ ଦଳ ସର୍ବସମ୍ମୁଖରେ ଏହା ଘୋଷଣା କରି ସାରିଛନ୍ତି । ବିଜେପି ରାଜ୍ୟର ୬୦ଟି ଆସନରେ ନିଜର ସ୍ଥିତି ଭଲ ଥିବା ଏଆଇଏଡିଏମକେକୁ ଜଣାଇଥିଲା । ତେବେ ଶାସକ ଦଳ ବିଜେପିକୁ ମାତ୍ର ୨୧ଟି ଆସନରେ ପ୍ରାର୍ଥୀ ଦେବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । ରବିବାର ରାତି ପ୍ରାୟ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ପନ୍ନିରସେଲଭମ ଚେନ୍ନାଇର ଗୋଟିଏ ହୋଟେଲରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ରାତି ୧୨ଟା ଯାଏ ଏହି ଆଲୋଚନା ଚାଲିଥିଲା । ଏହି ସମୟରେ ଉଭୟ ଦଳ ସିଟ୍ ସେୟାରିଂ ଡିଲ୍କୁ ଚୂଡ଼ାନ୍ତ କରିଛନ୍ତି । ଆଉ କିଛିଦିନ ମଧ୍ୟରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ । ଏହାପୂର୍ବରୁ ଅର୍ଥାତ ଶନିବାର ଦିନ ବିଜେପିର ରାଜ୍ୟ ସଭାପତି ଏଲ ମୁରୁଗାନଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିମଣ୍ଡଳୀ ସମ୍ଭାବ୍ୟ ସିଟ୍ ସେୟାରିଂ ଫର୍ମୁଲା ନେଇ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ଓ ପନ୍ନିରସେଲଭମଙ୍କୁ ଭେଟିଥିଲେ । ଏହି ସମୟରେ ଶାସକ ଦଳ ବିଜେପିକୁ ୨୧ଟି ସ୍ଥାନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା କଥା ପ୍ରତିନିଧିମଣ୍ଡଳୀକୁ ବୁଝାଇ ଦେଇଛି । ସେହିପରି ଏହି ମେଣ୍ଟରେ ଥିବା ପିଏମକେ ୨୩ଟି ଆସନରେ ଲଢ଼ିବ ବୋଲି କହିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ଓ ପନ୍ନିରସେଲଭମ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ଡିଲ୍ ଫାଇନାଲ କରିଥିବା ଏଆଇଏଡିଏମକେ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ରାଜ୍ୟରେ ପୂର୍ବରୁ ହୋଇଥିବା ନିର୍ବାଚନ ସମୟରେ ବିଜେପି ଭଲ ପ୍ରଦର୍ଶନ କରିଥିବା ୬୦ଟି ଆସନର ତାଲିକା ଏଆଇଏଡିଏମକେକୁ ଦେଖାଇଥିଲା । ଏପରିକି ପିଏମକେ ତୁଳନାରେ ବିଜେପି ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ଶାସକ ଦଳକୁ ବୁଝାଇଥିଲା । କିନ୍ତୁ ଏଆଏଡିଏମକେ ନିଜ ଜିଦ୍ରେ ଅଟଳ ରହିବା ସହ ବିଜେପି ୨୧ ଓ ପିଏମକେ ୨୩ଟି ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛି । ସେହିପରି ୨୩୪ ବିଧାନସଭା ଆସନରୁ ଏଆଇଏଡିଏମକେ ଏକାକୀ ୧୬୦ରୁ ୧୭୦ ଆସନରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି । ଏପରିକରି ଦଳ କ୍ରମାଗତ ୩ୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଚାହୁଁଛି । ଅନ୍ୟପକ୍ଷରେ ବିଜେପି କୋର କମିଟିର ଜଣେ ସଦସ୍ୟ କହିଛନ୍ତି, କିଛି ବର୍ଷ ମଧ୍ୟରେ ଦଳ ତୃଣମୂଳସ୍ତରରେ ନିଜର ଶକ୍ତି ବୃଦ୍ଧି କରିଛି । ହେଲେ ଏଆଇଏଡିଏମକେ କହିଛି ଯେ ଏକାଧିକ ନିର୍ବାଚନ ମଣ୍ଡଳୀରେ ଆମର ବୁଥସ୍ତରୀୟ ଏଜେଣ୍ଟ ନାହାନ୍ତି । ତେଣୁ ଆମକୁ ୨୧ଟି ଆସନରେ ଦଳ ପ୍ରାର୍ଥୀ ଦେବାକୁ ପରାମର୍ଶ ଦେଇଛି । ଅମିତ ଶାହ ମଧ୍ୟ ଦଳୀୟ ନେତାଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ କହିଛନ୍ତି । ତୃଣମୂଳ ସ୍ତରରେ ମେଣ୍ଟ ହୋଇଥିବା ଦଳଙ୍କ ସହ ମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି । ବର୍ତ୍ତମାନ ବିଜେପି ତୃଣମୂଳ ସ୍ତରରେ ପହଞ୍ଚି କାମ କରିବା ଆରମ୍ଭ କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.