ପୁଣି ଗାଜିପୁର ସୀମା ସିଲ୍ କଲା ପୁଲିସ୍

0 70

ନୂଆଦିଲ୍ଲୀ, ୨ ।୩: କୃଷି ଆଇନ ବିରୋଧରେ ଚାଷୀମାନେ ଗାଜିପୁର ସୀମାରେ ଚଳାଇଥିବା ରାସ୍ତାକୁ ପୁଣିଥରେ ସିଲ୍ କରିଛି ଦିଲ୍ଲୀ ପୁଲିସ୍ । କିଛିଘଣ୍ଟା ପୂର୍ବରୁ ଟ୍ରାଫିକ ମୁଭମେଣ୍ଟ ପାଇଁ ପୁଲିସ୍ ଜାତୀୟ ରାଜପଥ-୯ର କିଛି ଅଂଶକୁ ଖୋଲିଥିଲା । ତେବେ ମଙ୍ଗଳବାର ମଧ୍ୟାହ୍ନରେ ପୁଣିଥରେ ଏହାକୁ ସିଲ୍ କରିଦିଆଯାଇଛି । ରାସ୍ତାର ଏହି ଅଂଶକୁ ଜାନୁଆରୀ ୨୬ ଠାରୁ ବନ୍ଦ କରାଯାଇଥିଲା । ଜାନୁଆରୀ ୨୬ରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲେ । ଏହି ସମୟରେ ପ୍ରବଳ ହିଂସାକାଣ୍ଡ ଘଟିବାରୁ ପୁଲିସ୍ ଏହି ରାସ୍ତାକୁ ସିଲ୍ କରିଦେଇଥିଲା । ଆଜି ସକାଳେ ଗାଜିପୁରରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍୍ୱକୁ ପୁଲିସ୍ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲା । ଲୋକମାନେ ମଧ୍ୟ ଏହାଦ୍ୱାରା ଆଶ୍ୱସ୍ତ ଲାଭ କରି ସହଜରେ ଯିବା ଆସିବା ଆରମ୍ଭ କରିଥିଲେ । ତେବେ ହଠାତ୍ ପୁଲିସ୍ ତା’ର ନିଷ୍ପତ୍ତି ବଦଳାଇ ରାସ୍ତାକୁ ସିଲ୍ କରି ଦେଇଛି । ସୂଚନାଯୋଗ୍ୟ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲାଣି ହଜାର ହଜାର ଚାଷୀ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀର ସିଙ୍ଘୁ, ଟିକରି ଓ ଗାଜିପୁର ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଏମାନଙ୍କୁ ବୁଝାଇବା ପାଇଁ ୧୧ଥର ବୈଠକ କରିଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ । ଚାଷୀମାନେ କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ଜିଦ୍ ଧରି ବସିଛନ୍ତି ।

Leave A Reply

Your email address will not be published.