ଏମସିଡି ଉପ ନିର୍ବାଚନରେ ବିଜେପି ଚିତପଟାଙ୍ଗ

0 50

୫ ଆସନରୁ ଆପ୍ ୪ଟିରେ ବିଜୟୀ

ନୂଆଦିଲ୍ଲୀ, ୩ ।୩: ଦିଲ୍ଲୀର ୫ ନିଗର ନିଗମ ବୋର୍ଡ ଉପନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ୪ଟି ଆସନରେ ଶାସକ ଦଳ ଆପ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଛି । ବିଜେପି କୌଣସି ଆସନରେ ଖାତା ଖୋଲିନପାରି କ୍ଲିନ୍ ବୋଲ୍ଡ ହୋଇଛି । ବିଜେପି ପାଖରେ ଶାଲିମାର ବାଗ (ଉତ୍ତର) ଆସନ ଥିଲା । ଏବେ ଉପନିର୍ବାଚନରେ ଏହି ଆସନ ଆମ୍ ଆଦମୀ ପାର୍ଟି ଦଖଲକୁ ଯାଇଛି । ୨୦୨୨ରେ ସମସ୍ତ ୨୭୨ ଏମସିଡି ୱାର୍ଡରେ ନିର୍ବାଚନ ହେବା ପୂର୍ବରୁ ଏହି ଉପ-ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଉଥିଲା । ଆସନ୍ତାବର୍ଷ ହେବାକୁ ଥିବା ଏମସିଡି ନିର୍ବାଚନ ପୂର୍ବରୁ ଏହି ଫଳାଫଳ ବିଜେପି ପାଇଁ ବଡ଼ ସଙ୍କେତ ବୋଲି କୁହାଯାଉଛି । ୫ ଆସନରୁ ୪ ଆସନରେ ଆପ୍ ବିଜୟୀ ହେବା ପରେ ଦଳୀୟ କର୍ମୀ ଖୁସି ମନାଇଛନ୍ତି । କେଜ୍ରିୱାଲ ସରକାରର କାମ ଦେଖି ଲୋକେ ଭୋଟ୍ ଦେଇଛନ୍ତି । ଦୀର୍ଘ ୧୫ ବର୍ଷ ଧରି ବିଜେପି ଏମସିଡିକୁ ନିଜ କବଜାରେ ରଖିଛି । କୌଣସି ବିକାଶମୂଳକ କାମ ବିଜେପି କରୁ ନାହିଁ । ତେଣୁ ଲୋକମାନେ ଆପ୍ ମୁହାଁ ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି । ଦିଲ୍ଲୀର ଶାଲିମାର ବାଗ (ଉତ୍ତର), ରୋହିଣୀ-ସି, ତ୍ରିଲୋକପୁରୂ, କଲ୍ୟାଣପୁରୀରେ ଆମ୍ ଆଦମୀ ପାର୍ଟି ବିଜୟୀ ହୋଇଛି । ଚୌହ୍ୱାନ ବାଙ୍ଗର ବୋର୍ଡ଼ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହି ଉପନିର୍ବାଚନରେ ତିନି ଦଳ ଜୋରଦାର ପ୍ରଚାର କରିଥିଲେ । ଫେବୃଆରୀ ୨୮ରେ ଭୋଟିଂ ହୋଇଥିଲା । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଦିଲ୍ଲୀବାସୀ ପୁଣି ଥରେ କାମକୁ ଦେଖି ଭୋଟ୍ ଦେଇଛନ୍ତି । ସମସ୍ତଙ୍କୁ ଏଥିପାଇଁ ଅଭିନନ୍ଦନ । ଏମସିଡିରେ ୧୫ ବର୍ଷର ବିଜେପି କ୍ଷମତାରେ ଥିବାରୁ ଲୋକେ ଅସୁବିଧାରେ ପଡ଼ିଛନ୍ତି । ଏହି ଉପ-ନିର୍ବାଚନରେ ମୋଟ ଭୋଟ୍ ୫୦.୮୬ ପ୍ରତିଶତ ଥିଲା । କଲ୍ୟାଣପୁରୀର ସର୍ବାଧିକ ମତଦାନ ୫୯.୧୯ ପ୍ରତିଶତ ଥିବାବେଳେ ଶାଲିମର ବାଗରେ ସର୍ବନିମ୍ନ ୪୩.୨୩ ପ୍ରତିଶତ ମତଦାନ ହୋଇଥିଲା । ଏଥିସହ ରୋହିନୀରେ ୪୪.୫୮ ପ୍ରତିଶତ ଭୋଟ୍, ତ୍ରିଲୋକପୁରୀରେ ୫୫.୯୫, ଚୌହାନ ବଙ୍ଗରରେ ୫୫.୬୦ ପ୍ରତିଶତ ମତଦାନ ହୋଇଥିଲା । କରୋନା ମହାମାରୀ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ହୋଇଥିଲା । ଭୋଟ୍ ପାଇଁ ୩୨୭ ଟି କେନ୍ଦ୍ର ଥିଲା ଏବଂ ୨୬ ଜଣ ପ୍ରାର୍ଥୀ ଏଥିପାଇଁ ବିବାଦରେ ଥିଲେ । ମହିଳାମାନଙ୍କ ପାଇଁ ଶାଲିମାର ବାଗ (ଉତ୍ତର) ଆସନ ସଂରକ୍ଷିତ ଥିବାବେଳେ ତ୍ରିଲୋକପୁରୀ ଏବଂ କଲ୍ୟାଣପୁରୀ ଏସସି ବର୍ଗ ପାଇଁ ସଂରକ୍ଷିତ ଥିଲା ।

Leave A Reply

Your email address will not be published.