କ୍ରାନ୍ତିକାରୀ ବିଜୁବାବୁ

0 82

ମହାନ୍ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ୧୦୫ତମ ଜନ୍ମଜୟନ୍ତୀ । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏବଂ ମାତା ଆଶାଲତା ଦେବୀଙ୍କ କୋଳମଣ୍ଡନ କରିଥିଲେ ଏହି ଜନନାୟକ । ସ୍ୱାଧୀନତା ସଂଗ୍ରାମ ସତେଯେପରି ସେମାନଙ୍କ ରକ୍ତରେ ପ୍ରବାହିତ ହେଉଥିଲା । ପିତା ଲକ୍ଷ୍ମୀନାରାୟଣ କଟକ ବ୍ରିଟିଶ୍ କୋର୍ଟରେ ଜଜ୍ ଭାବେ ଅବସ୍ଥାପିତ ହୋଇ ମଧ୍ୟ ବିଖଣ୍ଡିତ ଉକ୍ରଳକୁ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ । ଏହି ସମୟରେ ବିଲାତରୁ ପାଠପଢ଼ା ସାରି କୃଷ୍ଣଚନ୍ଦ୍ର ଗଜପତି ମଧ୍ୟ ସ୍ୱତନ୍ତ୍ର ଉକ୍ରଳ ଗଠନ କରିବା ପାଇଁ ଉକ୍ରଳ ସମ୍ମିଳନୀ ଜରିଆରେ ଅଭିଯାନ ଆରମ୍ଭ ଚଳାଇଥିଲେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ଡକରା ପାଇ ଲକ୍ଷ୍ମୀନାରାୟଣ କଟକ ସହର ତଥା ନିଜର ଜଜ୍ ପଦବୀକୁ ଜଳାଞ୍ଜଳି ଦେଇ ଛୁଟି ଯାଇଥିଲେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ କରିବା ପାଇଁ । କିନ୍ତୁ କୃଷ୍ଣଚନ୍ଦ୍ର ଗଜପତି ତାଙ୍କୁ ସସମ୍ମାନେ ଦିୱାନ୍ ପଦବୀରେ ଅଳଙ୍କୃତ କରି ସମସ୍ତ ଦାୟିତ୍ୱ ଅର୍ପଣ କରିଥିଲେ । ପିତାଙ୍କ ପଦାଙ୍କ ଅନୁସରଣ କରି ବିଜୁ ପଟ୍ଟନାୟକ ମଧ୍ୟ ବ୍ରିଟିଶ୍ ଚାକିରିରେ ଥାଇ ମଧ୍ୟ ନିଜ ଦେଶମାତୃକାର ସେବା ପାଇଁ ନିଜକୁ ସାମିଲ କରିଦେଇଥିଲେ ।
ସେ କଟକସ୍ଥିତ ରେଭେନ୍ସା କଲିଜିଏଟ୍ରେ ବିଏସ୍ସି କରୁଥିବା ସମୟରେ ରୟାଲ୍ ଏୟାରଫୋର୍ସରେ ପାଇଲଟ୍ ଭାବେ ଯୋଗଦାନ କରିଥିଲେ । କିନ୍ତୁ ସେହି ସମୟରେ ବ୍ରିଟିଶ୍ ଶାସନ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ସାରା ଦେଶରେ ମାସ୍ ମୁଭ୍ମେଣ୍ଟ ଚାଲିଥାଏ । ଯେଉଁ ମାସ୍ ମୁଭ୍ମେଣ୍ଟକୁ ପରିଚାଳନା କରୁଥିଲେ ମହାତ୍ମା ଗାନ୍ଧି, ଜବାହରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ବଡ଼ ବଡ଼ ଦେଶଭକ୍ତମାନେ । ସେ ବ୍ରିଟିଶ୍ ଶାସକଙ୍କ ଅଗୋଚରରେ ନିଜ ଦେଶମାତୃକାର ମୁକ୍ତି ପାଇଁ ଏହି ମାସ୍ ମୁଭ୍ମେଣ୍ଟରେ ସାମିଲ ହୋଇଥିଲେ ।
ରୟାଲ୍ ଏୟାରଫୋର୍ସରେ ପାଇଲଟ୍ ଥାଇ ମଧ୍ୟ ବିଜୁ ବାବୁ ଦୁଃସାହସିକ କାର୍ଯ୍ୟ ତଥା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବ୍ରିଟିଶ୍ ଆଖିରେ ଧୂଳି ଦେଇ ଗୋଟିଏ ସ୍ଥାନରୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ଏବଂ ସେମାନଙ୍କୁ ଖାଦ୍ୟପେୟ, ଔଷଧ, ବସ୍ତ୍ର ଆଦି ଯୋଗାଇବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । କିନ୍ତୁ ବେଶିଦିନ ଏହା ଲୁଚି ରହିନଥିଲା । ବ୍ରିଟିଶ୍ ଗୁପ୍ତଚରଙ୍କ ହାବୁଡ଼ରେ ପଡ଼ିଥିଲେ ବିଜୁବାବୁ । ୧୯୪୩ ମସିହା ଜାନୁଆରୀ ୧୩ ତାରିଖରେ ବ୍ରିଟିଶ୍ଙ୍କ ଦ୍ୱାରା ଗିରଫ ହୋଇ ଦୀର୍ଘ ୨ ବର୍ଷ ଜେଲଦଣ୍ଡ ଭୋଗିଥିଲେ । ୧୯୪୫ ମସିହାରେ ପାରୋଲ୍ରେ ଫେରିବା ପରେ ବ୍ରିଟିଶ୍ ପାଇଲଟ୍ ଚାକିରିକୁ ପ୍ରତ୍ୟାଖାନ କରି ଦେଶମାତୃକାର ମୁକ୍ତି ପାଇଁ ନିଜକୁ ସିଧାସଳଖ ସ୍ୱାଧୀନତା ସଂଗ୍ରାମରେ ସାମିଲ କରିନେଇଥିଲେ । ଶେଷକୁ ସୁଭାଷ ବୋଷଙ୍କ ସହିତ ମିଶି ଦେଶକୁ ସ୍ୱାଧୀନତା ଆଣିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ ଓ ସଫଳତା ମଧ୍ୟ ପାଇଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତକୁ ବ୍ରିଟିଶ୍ଙ୍କ କବ୍ଜାରୁ ମୁକୁଳାଇଲା ପରେ ପୁଣି ଏକ ଦୁଃସାହସିକ କାର୍ଯ୍ୟ ନେଇ ସାରା ଦେଶରେ ଚହଳ ପକାଇଥିଲେ । କାଶ୍ମୀରରେ ଭାରତୀୟ ସୈନ୍ୟଙ୍କୁ ଯୁଦ୍ଧବିମାନରେ ନେଇ ସେଠାରେ ଅବତରଣ କରାଇବା ତାଙ୍କର ଦୁର୍ଦ୍ଦଷ ପାଇଲଟ୍ର ପରିଚୟ ସୃଷ୍ଟି କରିଥିଲା ।
ଏଭଳି ଜଣେ କ୍ରାନ୍ତିକାରୀ ଦେଶପ୍ରେମୀଙ୍କୁ ଏଯାଏଁ ‘ଭାରତ ରତ୍ନ’ ନମିଳିବା ବାସ୍ତବିକ ଦୁର୍ଭାଗ୍ୟ ଓ ପରିତାପର ବିଷୟ । ରାଜନୈତିକ ପଶାପାଲିରେ ତାଙ୍କୁ ତୋଳାଯାଉଛି ବୋଲି କେହି କେହି ମତ ଦେଉଥିବାବେଳେ ଅନେକ ବୁଦ୍ଧିଜୀବୀ ଏବଂ ରାଜନୀତି ସମୀକ୍ଷକମାନେ ତୁରନ୍ତ ଏହି ମହାନାୟକଙ୍କୁ କେନ୍ଦ୍ର ସରକାର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ଉପାଧିରେ ଭୂଷିତ କରିବା ଉଚିତ୍ ବୋଲି ଦାବି କରୁଛନ୍ତି । ଅନ୍ୟଥା ଏହା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ବିଶ୍ୱବାସୀଙ୍କ ପ୍ରତି ଅପମାନ ସଦୃଶ ।
ବନ୍ଦେ ଉକ୍ରଳ ଜନନୀ

Leave A Reply

Your email address will not be published.