ଉତ୍କଳର ବରପୁତ୍ର ବିଜୁବାବୁ

0 68

୧୯୩୬ ମସିହା, ଏପ୍ରିଲ୍ ପହିଲା । ସମଗ୍ର ଓଡ଼ିଆ ଜାତିର ଏକ ସ୍ମରଣୀୟ ଦିବସ । ଏହି ଦିନ ଓଡିଶା ଆମର ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ସ୍ୱୀକୃତି ଲାଭ କରିଥିଲା । ଏହାପରେ ଆମ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିବାରେ ଯେଉଁ ବରପୁତ୍ରମାନେ ଜୀବନକୁ ଉତ୍ସର୍ଗ କରି ପାରିଥିଲେ, ବିଜୁବାବୁ ସେମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ଅଚିନ୍ତନୀୟ ପରିକଳ୍ପନା, ଅସାଧାରଣ କର୍ତବ୍ୟନିଷ୍ଠା ଓ ଜାତିପ୍ରୀତି ହିଁ ଓଡିଶାର ଅଭିବୃଦ୍ଧି ପାଇଁ ବିଭିନ୍ନ ମାର୍ଗ ପ୍ରଦର୍ଶନ କରିପାରିଥିଲା ।
ସେଥିଲେ ଆମ ଓଡ଼ିଆ ଜାତିର ଏକ ଅମଳିନ ପ୍ରତିଭା । ତାଙ୍କୁ ଯେତେବେଳେ ମାତ୍ର ଆଠବର୍ଷ ବୟସ, ସେତେବେଳେ ସେ ହଠାତ୍ ଆପେଣ୍ଡିସ୍ ସାଇଟ୍ ରୋଗରେ ଆକ୍ରାନ୍ତ ହୋଇପଡିଲେ । ଅପରେସନ୍ ନହେଲେ ସେ ନିଶ୍ଚିତ ମୃତ୍ୟୁମୁଖରେ ପଡିବେ । ୧୯୨୩ ମସିହାର ସେହି ଏକ ବିବର୍ଣ୍ଣ ପ୍ରଭାତ । ଏହିଦିନ ପ୍ରଖ୍ୟାତ ରୋଗ ସର୍ଜନ ଡା. ପିବ୍ଲେର ତାଙ୍କଠାରେ ଅସ୍ତ୍ରୋପଚାର କରି ତାଙ୍କୁ ମୃତ୍ୟୁମୁଖରୁ ବଂଚାଇଥିଲେ । କଳିକା ଯେପରି କୁସୁମିତ ହୋଇ ତା’ର ରୂପ, ରସ ଓ ଗନ୍ଧରେ ଜନମନକୁ ହରଣ କରିଥାଏ, ସେହିପରି ବିଜୁବାବୁଙ୍କ ଜୀବନ କଳିକା କ’ଣ କୁସୁମିତ ନହୋଇ ଅକାଳରେ ଝଡିପଡ଼ିଥାନ୍ତା ! ଈଶ୍ୱରଙ୍କର ଅପାର କରୁଣା ତାଙ୍କ ଉପରେ ଅଜାଡି ହୋଇପଡ଼ିଥିଲା । ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇ ସୁସ୍ଥ ପରିବେଶ ମଧ୍ୟରେ ସେ ଆନନ୍ଦରେ ହସି ଖେଳି ପାଠ ପଢ଼ି ଚାଲିଲେ ।
୧୯୩୨ ମସିହାରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ଏଂଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ୧ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ କଟକ ରେଭେନ୍ସା କଲେଜରେ ଆଇ.ଏସ୍ସି ଓ ବି.ଏସ୍ସି ପଢ଼ିଥିଲେ ।
ସୁଖର କଥା ପାଠପଢ଼ାରେ ସେ ଯେପରି ସୁନାମ ଅର୍ଜନ କରିଥିଲେ କଲେଜରେ କ୍ରୀଡା କ୍ଷେତ୍ରରେ ମଧ୍ୟ ସମସ୍ତ ରେକର୍ଡ ଭଙ୍ଗ କରି ନୂତନ ରେକର୍ଡ ସୃଷ୍ଟିକରିଥିଲେ, ଯାହାକି ବହୁଦିନ ପର୍ଯ୍ୟନ୍ତ ତାଙ୍କ ରେକର୍ଡକୁ କେହି ଭଙ୍ଗକରି ପାରିନଥିଲେ । ତାଙ୍କ ପରି ଜଣେ ପ୍ରତିଥ ଯଶ ବ୍ୟକ୍ତିଙ୍କୁ ପାଇ ଓଡିଆ ଜାତି ଆଜି ନିଜକୁ ଧନ୍ୟ ମନେକରେ ।
ତାଙ୍କର ପ୍ରଗତିଶୀଳ ଅଗ୍ରଗାମୀ ଚିନ୍ତାଧାରା ପାଇଁ ସେ ଶିଳ୍ପପତିର ସମ୍ମାନ ଲାଭ କରିଥିଲେ । ରାଜନୈତିକ ଶାସନକାଳ ଭିତରେ ସେ ବୈଜ୍ଞାନିକର ସ୍ୱର ଉତ୍ତୋଳନକରି ଓଡିଆ ଜାତିର ସର୍ବାଙ୍ଗୀନ ଉନ୍ନତିର ଉଦ୍ୟମ ଚଳାଇବାକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଭୁଲିନଥିଲେ । ଓଡିଆ ଜାତିର ସୁଖ, ଶାନ୍ତି କିପରି ବୃଦ୍ଧି ହେବ, ଏ ଜାତି ସମଗ୍ର ବିଶ୍ୱ ଦରବାରରେ କିପରି ପରିଚିତ ହୋଇପାରିବ,ଏ ସ୍ୱପ୍ନ ତାଙ୍କର ସାର୍ଥକ ହୋଇଛି କଳିଙ୍ଗ ପୁରସ୍କାର ପାଇଁ । ଭୁବନେଶ୍ୱରରେ ଓଡିଶା ଫ୍ଲାଇଙ୍ଗ୍ କ୍ଲବ୍ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ପାରିଥିଲା ।
କଟକ ରେଭେନ୍ସା କଲେରେ ଓୟାରଲେସ୍୍ ଟ୍ରେନିଙ୍ଗ୍ର ବ୍ୟବସ୍ଥା କରି ସେ ଓଡିଆ ଯୁବକ ମାନଙ୍କୁ ଉକ୍ତ ତାଲିମ୍ ପାଇବାରେ ସୁଯୋଗ ଦେବା ସଙ୍ଗେସଙ୍ଗେ ପାଣିଜାହାଜ ଓ ଉଡ଼ାଜାହାଜ ଆଦି ସଂସ୍ଥାରେ ନିଯୁକ୍ତ ପାଇବାର ପଥ ସୁଗମ କରି ପାରିଛନ୍ତି ।
ବେଳେ ବେଳେ ଆମ ଉତ୍କଳ ବିଶ୍ୱ ବିଦ୍ୟାଳୟର ଆଇ.ଏସ୍ସି. ପରୀକ୍ଷା ଫଳ ପ୍ରକାଶ ପାଇବାରେ ବହୁ ବିଳମ୍ବ ଘଟୁଥିଲା । ରାଜ୍ୟ ବାହାରେ ଥିବା ବିଭିନ୍ନ ଇଂଜିନିୟରିଂ କଲେଜରେ ଯଥାସମୟରେ ଅଧ୍ୟୟନ କରିବାପାଇଁ ଛାତ୍ର ମାନଙ୍କ ଆବେଦନ କରିବାର ତାରିଖ ଚାଲି ଯାଉଥିଲା । ଯାହାଫଳରେ କି ଓଡ଼ିଶାର କୃତୀ ଛାତ୍ରମାନେ ଉକ୍ତ କଲେଜ ମାନଙ୍କରେ ନାମ ଲେଖାଇବାର ସୁଯୋଗରୁ ବଂଚିତ ହେଉଥିଲେ । ଅତିବ ଗର୍ବ ଓ ଗୌରବର କଥାଏହି ସମସ୍ୟାର ସମାଧାନ କରିବାକୁ ଯାଇ ରାଉଲକେଲା ଠାରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରି ବିଜୁବାବୁ ଆଜି ବହୁ ପ୍ରତିଭାଧାରୀ ଓଡ଼ିଆ ପିଲାଙ୍କୁ ସେଠାରେ ଅଧ୍ୟୟନ କରିବାର ସୁଯୋଗ ଦେଇ, ତାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ବ୍ରହ୍ମପୁର ଓ ସମ୍ବଲପୁର ଠାରେ ଯଥାକ୍ରମେ ଭଞ୍ଜବିହାର ଓ ଜ୍ୟୋତିବିହାର ନାମକ ଦୁଇଟି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାରେ ବିଜୁବାବୁଙ୍କ ଭୂମିକା ଅବିସ୍ମରଣୀୟ । ଓଡିଆ ପିଲାଏ କିପରି ଅଧିକ ଶୃଙ୍ଖଳିତ ହୋଇ ଦେଶ ଓ ଜାତିର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିପାରିବେ, ଏହି ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ଯାଇ ସେ ଭୁବନେଶ୍ୱର ଠାରେ ଏକ ସୈନିକ ସ୍କୁଲ୍ ଓ ଡି.ଏମ୍.ସ୍କୁଲ୍ ପ୍ରତିଷ୍ଠା କରିଥିଲେ । ବିଶେଷ ଶିକ୍ଷା ପାଇଁ ସେ ଭୁବନେଶ୍ୱରରେ ରିଜିଓନାଲ କଲେଜ ଅଫ୍ ଏଜୁକେଶନ୍ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଯାଇଛନ୍ତି । ଏହା କେବଳ ତାଙ୍କର ପ୍ରଗାଢ଼ ଉତ୍ସାହ ଓ ଉଦ୍ୟମ ଯୋଗୁ ସମ୍ଭବ ହୋଇ ପାରିଛି ।
ଓଡିଶାକୁ ଏକ ଶିଳ୍ପୋନ୍ନତି ରାଜ୍ୟରେ ପରିଣତ କରିବାକୁ ଯାଇ ବିଜୁବାବୁ ଚୌଦ୍ୱାରରେ କଳିଙ୍ଗ ଟିଉବ୍ସ ଏବଂ ଓ.ଟି.ଏମ୍ ଲୁଗାକଳ ସ୍ଥାପନ କରି ଏ ରାଜ୍ୟର ପ୍ରଭୃତ ଉନ୍ନତି ସାଧନ କରିଯାଇଛନ୍ତି । ଦିନ ଥିଲା ଯେତେବେଳେ କି ଆମ ଓଡ଼ିଶା କେବଳ ଜଗତର ନାଥ ଜଗନ୍ନାଥଙ୍କ ନାମରେ ରାଜ୍ୟ ବାହାରେ ପରିଚିତ ହେଉଥିଲା । ଓଡ଼ିଶା ଆଜି କିନ୍ତୁ ପାରାଦ୍ୱୀପ ବନ୍ଦର ଯୋଗୁ ସମଗ୍ର ପୃଥିବୀରେ ସୁପରିଚିତ । ତେବେ ପାରାଦ୍ୱୀପ ବନ୍ଦର ଜନ୍ମ ଜାତକରୁ ଜଣାଯାଏ ଯେ ୧୯୪୮ ମସିହାରେ ଭାରତ ସରକାରଙ୍କ ପୋର୍ଟ ଟେକ୍ନିକାଲ୍ କମିଟି ଓ ୧୯୫୧ ମସିହାରେ କେନ୍ଦ୍ର ଜଳ ବିଦ୍ୟୁତ କମିଶନ ଏବଂ ଫରାସୀ ଟେକ୍ନିକାଲ୍ କମିଶନଙ୍କ ରିପୋର୍ଟ ଥିଲା ବନ୍ଦର ନିର୍ମାଣ ପାଇଁ ମହାନଦୀ ମୁହାଣ ହିଁ ଉପଯୁକ୍ତ ସ୍ଥାନ । ଏହି ରିପୋର୍ଟ ଫଳରେ ପାରାଦ୍ୱୀପରେ ଏକ କ୍ଷୁଦ୍ର ବନ୍ଦର ନିର୍ମାଣ କରିବାପାଇଁ ପ୍ରସ୍ତାବ ହୋଇଥିଲା ।
ଏହାପରେ ୧୯୫୪ ମସିହା ଅପ୍ରେଲ ମାସରେ ପୁନା ଠାରେ ସ୍ୱର୍ଗତ ଲାଲ୍ବାହାଦୂର ଶାସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ବନ୍ଦର ବୋର୍ଡର ବୈଠକରେ ଏହି ପରିକଳ୍ପନାକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସ୍ୱର୍ଗତ ଶାସ୍ତ୍ରୀଜୀ ଆବଶ୍ୟକ ଅର୍ଥ ମଂଞ୍ଜୁର କରି ସାଧବପୁଅର ରାଜ୍ୟରେ ପାରାଦ୍ୱୀପ ଠାରେ ନୂତନ ରୂପରଙ୍ଗରେ ଏହି ବନ୍ଦରକୁ ତୋଳି ଦେଲେ ଏ ଜାତିର ହାତରେ ।
୧୯୫୮ ମସିହା ଜାନୁୟାରୀ ମାସରେ ପାରାଦ୍ୱୀପ ଏକ କ୍ଷୁଦ୍ର ବନ୍ଦର ରୂପେ ସ୍ୱୀକୃତି ଲାଭ କଲାପରେ ୧୯୬୨ ମସିହା ଜାନୁୟାରୀ ୩ ତାରିଖରେ ଭାରତର ସର୍ବ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଜବାହାରଲାଲ୍ ନେହେରୁଙ୍କ ଦ୍ୱାରା ଏହି ବୃହତ୍ ପାରାଦ୍ୱୀପ ବନ୍ଦରର ଭିତିପ୍ରସ୍ତର ସ୍ଥାପିତ ହୋଇଥିଲା । ବିଶେଷ ଗର୍ବ ଓ ଗୌରବର କଥା ଯେ ଠିକ୍ ଏହି ସମୟରେ ବିଜୁବାବୁ ଥିଲେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏହି ବନ୍ଦରର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ତାଙ୍କର ଉଦ୍ୟମ, ଉତ୍ସାହ ଓ ନିଷ୍ଠା ଏ ଜାତିର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା ଯୁଗ ଯଗୁକୁ ।
ତୁଳସୀ ଦୁଇପତ୍ରରୁ ବାସିଲା ପରି ବଡ଼ମଣିଷଙ୍କ ପରିଚୟ ମଧ୍ୟ ତାଙ୍କ ପିଲାଦିନରୁ ହିଁ ଜଣା ପଡିଥାଏ । ବିଜୁବାବୁ ଯେ ଦିନେ ଓଡ଼ିଶାର ବରପୁତ୍ର ରୂପେ ପୂଜା ପାଇବେ, ଏକଥା ତାଙ୍କ ଛାତ୍ର ଜୀବନରୁ ହିଁ ଜଣା ପଡ଼ିଥିଲା । ବିଜୁବାବୁ ଯେତେବେଳେ କଟକ ରେଭେନ୍ସା କଲିଜିଏଟ୍ର ଛାତ୍ର, ଠିକ୍ ସେହି ସମୟରେ ନଈବଢ଼ିରେ ବରି ଅଂଚଳର ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖଣ୍ଡେ ଦେଶୀ ଡଙ୍ଗା ଧରି ଉତ୍କଳମଣି ଗୋପବନ୍ଧୁ ଚୁଡା ଚାଉଳ ଆଦି ରିଲିଫ୍ ସାମଗ୍ରୀ ଧରି ବାଂଟିବାକୁ ଯାଉଥିଲେ । ସାଙ୍ଗରେ ତାଙ୍କର ଦଳେ ସ୍ୱେଚ୍ଛାସେବୀ କଲେଜ ଛାତ୍ର ମଧ୍ୟ ଯାଇଥାନ୍ତି । ବଢ଼ିଲା ନଈ । ଆକାଶରେ ଟାଣ ମେଘୁଆ ଖରା । ଏଥିପାଇଁ ଉତ୍କଳମଣିଙ୍କ ହାତରେ ଥିଲା ଖଣ୍ଡେ କପଡାଛତା । ଦୈବାତ୍ ସେହି ଛତାଟିକୁ ପବନ ତାଙ୍କ ହାତରୁ ଛଡାଇନେଇ ବଢ଼ିଲା ନଈରେ ପକାଇଦେଲା । ତା’ପରେ ପରେ ଡବ୍ କରି ଏକ ଶବ୍ଦ ହେଲା । ଦେଖାଗଲା ବିଜୁ ପଟ୍ଟନାୟକ ସେହି ଛତାଟିକୁ ଆଣିବାପାଇଁ ନଈ ସୁଅରେ ଧାଇଁଛନ୍ତି । ଏ ଦୃଶ୍ୟ ଦେଖି ସାଥୀମାନେ ସିନା ଛାନିଆ ହୋଇ ଯାଇଥିଲେ କିନ୍ତୁ ଉତ୍କଳମଣିଙ୍କ ଆଖିରୁ ଧାର ଧାର ଲୁହ ଛୁଟିଥିଲା । କିଛି ସମୟ ପରେ ବିଜୁବାବୁ ସେ ଛତାଟିକୁ ଧରି ଉଜାଣି ସୁଅରେ ଛୁଟି ଆସି ଡଙ୍ଗାକୁ ଉଠିଯାଇ ଆନନ୍ଦରେ ଛତାଟିକୁ ଗୋପବନ୍ଧୁଙ୍କ ହାତକୁବଢ଼ାଇ ଦେଇଥିଲେ । ହେଲେ ଗୋପବନ୍ଧୁ ତାଙ୍କୁ କୋଳକୁ ତୋଳିନେଇ ଲୁହ ଛଳଛଳ ଆଖିରେ ଶୁଣାଇଥିଲେ – ବାପ, ଏ ସାମାନ୍ୟ ଛତା ଖଣ୍ଡିକ ପାଇଁ ତୁ ଏତେବଡ଼ ଦୁର୍ଲ୍ଲଭ ଜୀବନକୁ ହରାଇ ଦେବାକୁ ଯାଉଥିଲୁ ।
ନିର୍ଭୀକ ଛାତ୍ର ବିଜୁବାବୁ ବିନୀତ ସ୍ୱରରେ ଶୁଣାଇଥିଲେ – ଆଜ୍ଞା, ମୋ ଜୀବନ ଠାରୁ ଅଧିକ ମୂଲ୍ୟବାନ ଆପଣଙ୍କର ଏଇ ଛତା ଖଣ୍ଡିକ । ଏତିକିରେ ଗୋପବନ୍ଧୁଙ୍କର ଅଶେଷ ଆଶୀର୍ବାଦ ଅଜାଡି ହୋଇପଡିଥିଲା ତାଙ୍କ ଉପରେ । ଅନ୍ୟ ଏକ ଦିନର ଘଟଣା । ଖ୍ରୀଷ୍ଟ କଲେଜିଏଟ୍ ସ୍କୁଲ୍ର ଶତବାର୍ଷିକ ଉତ୍ସବ ୩ ଦିନଧରି ପାଳିତ ହେଉଥାଏ । ପ୍ରଥମ ଦିନ ମୁଖ୍ୟଅତିଥି ଭାବେ ଏହି ଉତ୍ସବରେ ଯୋଗ ଦେଇଥିଲେ ବିଜୁବାବୁ । ସ୍କୁଲ୍ର ୧୪ ଶହ ଛାତ୍ରଛାତ୍ରୀ, ଶହ ଶହ ନିମନ୍ତ୍ରିତ ଅତିଥି ତଥା ଅଭିଭାବକଙ୍କୁ ନେଇ ସ୍କୁଲ୍ ପ୍ରାଙ୍ଗଣଟି ଆନନ୍ଦ ମୁଖର ହୋଇଉଠୁଥାଏ । ସେଦିନ ଏହି ସଭାମଂଚର ଆଦ୍ୟ ଆକର୍ଷଣ ଥିଲା, ସ୍କୁଲ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ କଣ୍ଠରେ ସମବେତ କଣ୍ଠସଂଗୀତ । ଅତିଥିମାନେ ମଂଚାସୀନ ହେେଲେଣି, ଆଉ ମାତ୍ର ଅଳ୍ପ ସମୟ ପରେ କୋରସ୍ ଆରମ୍ଭ ହେବ । ଏହି ସମୟରେ କେତେକ ତଳଶ୍ରେଣୀର ଛାତ୍ର ନିଜ ନିଜ ମଧ୍ୟରେ କଥାବାର୍ତା ହେଉଥିବାର ଦେଖି ସ୍କୁଲ୍ର ପ୍ରଧାନ ଶିକ୍ଷକ ଖୁବ୍ ଚତୁରତାର ସହ ପିଲାମାନଙ୍କୁ ପାଟି ବନ୍ଦ କରିବାପାଇଁ ନାଲିଆଖି ଦେଖାଉଥିଲେ ।
ବିଜୁବାବୁ ସଭାମଂଚରେ ଥାଇ ଏ ଦୃଶ୍ୟକୁ ବେଶ୍ ଅନୁଧ୍ୟାନ କରୁଥାନ୍ତି । ସଭାକାର୍ଯ୍ୟ ଆରମ୍ଭ ହୋଇନଥିଲେ ମଧ୍ୟ ବିଜୁବାବୁ ହଠାତ୍ ଉଠିପଡି ନିଜର ଭାଷଣ ଆରମ୍ଭ କରି ଶୁଣାଇଥିଲେ, “ପିଲାଏ, ତୁମେ ସବୁ ମୋର ଅତି ଆଦରର ପ୍ରିୟଭାଇ, ଭଉଣୀ । ଦିନେ ମୁଁ ତୁମରି ପରି ଏହି ସ୍କୁଲ୍ର ଛାତ୍ର ଥିଲି । ଆଜି ତୁମେ ଯେପରି ପାଟିତୁଣ୍ଡ କରୁଛ, ଆମେସବୁ ସେହିପରି ପାଟିତୁଣ୍ଡ କରୁଥିଲୁ । ତୁମ୍ଭମାନଙ୍କ ଠାରୁ ଅଧିକ ଦୁଷ୍ଟ ଥିଲି ମୁଁ । ଏହି ସ୍କୁଲ୍ରେ ଦିନକର ଘଟଣା । ସେଦିନ ବାରବାଟୀ କିଲ୍ଲା ଭିଲେଜ ଗ୍ରାଉଣ୍ଡର ଏକ ହେଲିକେପ୍ଟର ଓହ୍ଲାଇଲା । ତାକୁ ଦେଖିବାପାଇଁ ମୁଁ ଆନନ୍ଦରେ ଅଧୀର ହୋଇ ଉଠିଲି । ଭୂଗୋଳ ପିରିୟଡ । ସାର୍ ଭୂଗୋଳ ପଢ଼ାଉଥାନ୍ତି, ମୁଁ ସାର୍ଙ୍କ ଅନୁମତି ନନେଇ କ୍ଲାସ୍ରୁ ପଳାଇଗଲିଂ । ଭିଲେଜ୍ ଗ୍ରାଉଣ୍ଡରେ ପହଁଚି ହେଲିକେପ୍ଟରରେ ହାତ ମାରିଦେଲି । ସଂଗେ ସଂଗେ ପୁଲିସ୍ର ଲାଠି ପ୍ରହାର ମୋ ପିଠିରେ ହୋଇଗଲା । ଦୁଷ୍ଟାମୀ କରିଥିବାରୁ ଏପଟେ ପୁଲିସ୍ ଓ ସେପଟେ ସାର୍ଙ୍କ ଠାରୁ ଶାସ୍ତି ସିନା ପାଇଲି, ହେଲେ ସେଦିନ ମନେ ମନେ ଶପଥ କରିଥିଲି, ଦିନେ ନା ଦିନେ ମୁଁ ନିଶ୍ଚୟ ଉଡାଜାହାଜ ଚାଳକ ହେବି । ଈଶ୍ୱରଙ୍କ କୃପାରୁ ମୁଁ ଆଜି ଜଣେ ଦକ୍ଷ ପାଇଲଟ୍ ହୋଇପାରିଛି ।
ତେଣୁ ପିଲା ଏ ତୁମେ ସବୁ ଦୁଷ୍ଟାମୀ କର, ହେଲେ ସେହି ଦୁଷ୍ଟାମୀ ଭିତରେ ଜଣେ ବଡ଼ମଣିଷ ହେବାର ଆଶା ରଖ । ଏତିକି କହି ବିଜୁବାବୁ ବସି ପଡ଼ିଥିଲେ । ଏହାପରେ ଘନଘନ କରତାଳି ଧ୍ୱନିରେ ଏହି ଐତିହାସିକ ସାଂସ୍କୃତିକ ଉତ୍ସବର ପରିବେଶ ଆନନ୍ଦମୁଖର ହୋଇ ଉଠିଥିଲା ଏବଂ ପିଲାମାନେ ଶାନ୍ତ, ନୀରବ ବାତାକରଣ ସୃଷ୍ଟି କରିପାରିଥିଲେ । ବିଜୁବାବୁ ଥିଲେ ଓଡିଆ ଜାତିର ଏକ ଅଲିଭା ପ୍ରଦୀପ । ସେ ପ୍ରଦୀପ ଯୁଗ ଯୁଗ ଧରି ଏ ଜାତିର ପ୍ରଗତି ପଥକୁ ଆଲୋକିତ କରୁଥାଉ । ତାଙ୍କ ଅମର ଆତ୍ମାର ଜୟଗାନ ଏ ଦେଶର ଗଗନ ପବନକୁ ଏହିପରି ମୁଖରିତ କରୁଥାଉ ।

Leave A Reply

Your email address will not be published.