ବିଜୁଙ୍କୁ ଭାରତରତ୍ନ ମିଳିବ କେବେ?

0 67

କେତେକ ବିଜୁ ପଟ୍ଟନାୟକଙ୍କୁ ଓଡ଼ିଆ ଜାତିର ସ୍ୱାଭିମାନ ପ୍ରତୀକ ବୋଲି ଅବତାରଣା କରିଥିବାବେଳେ ଅନ୍ୟ କେତେକ ତାଙ୍କୁ ଦୁଃସାହସିକତାର ଅନ୍ୟ ନାମ ବୋଲି ବର୍ଣ୍ଣନା କରିଥାଆନ୍ତି । ସେହିପରି କେତେକ ତାଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି ଚିତ୍ରଣ କରିଥିବାବେଳେ ଅନ୍ୟ କେତେକ ତାଙ୍କୁ ଉକ୍ରଳର ଗର୍ବ ଓ ଗୌରବ ବୋଲି ଆଖ୍ୟାୟିତ କରିଥାନ୍ତି । ତେବେ ପଚାଶ ବର୍ଷର ଝଡ଼ଝଞ୍ଜାମୟ ରାଜନୈତିକ ଜୀବନକାଳରେ ଅତି ସ୍ୱଳ୍ପ ସମୟ ପାଇଁ ଶାସନ କ୍ଷମତା ଅକ୍ତିଆର କରିଥିବା ବିଜୁବାବୁ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ବିଶ୍ୱ ଦରବାରେ ପ୍ରତିଷ୍ଠିତ କରିବା ଲାଗି ଯେଉଁ ଅଦମନୀୟ ଉତ୍ସାହ ଓ ଉଦ୍ୟମ ପ୍ରଦର୍ଶନ କରିଛନ୍ତି, ସେଥିନିମନ୍ତେ ସେ ଏକ ଜାତି ନିକଟରେ ଚିର ନମସ୍ୟ ହୋଇ ରହିବେ । କିନ୍ତୁ ସବୁଠାରୁ ପରିତାପର ବିଷୟ ହେଉଛି, ଭାରତବର୍ଷର ଏଭଳି ଜଣେ ଉଚ୍ଚକୋଟିର ରାଷ୍ଟ୍ରନୀତିଜ୍ଞଙ୍କୁ ଅଦ୍ୟାବଧବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତରତ୍ନ” ଉପାଧି ପ୍ରଦାନରେ ଆମେ ସମର୍ଥ ହୋଇପାରିନାହୁଁ ।
ବିଜୁବାବୁଙ୍କ ପବିତ୍ର ଜୟନ୍ତୀ ଅବସରରେ ସେହି ମହାନ୍ ବ୍ୟକ୍ତିତ୍ୱଙ୍କ ପ୍ରତି ସ୍ମୃତିର ଅର୍ଘ୍ୟ ସ୍ୱରୂପ ଓଡ଼ିଶା ବିଧାନସଭାରେ ଆଗତ ଶୋକ ପ୍ରସ୍ତାବର କିୟଦଂଶ ଏଠାରେ ଉଦ୍ଧାର କରିବା ପ୍ରାସଙ୍ଗିକ ମନେ କରୁଛି । ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରି ଦର୍ଶାଇଥିଲେଯେ, ବିଜୁବାବୁଙ୍କ ନିଧନରେ କେବଳ ଓଡ଼ିଶା ନୁହେଁ ବରଂ ଭାରତବର୍ଷ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ତାଙ୍କ ଅବ ର୍ମାନରେ ଏ ଗୃହରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ତାହା ଆଉ ପୂରଣ ହେବାର ନୁହେଁ । ବାରମ୍ବାର ଗୃହର ନେତା, ବିରୋଧୀ ଦଳର ନେତା, ପାର୍ଲାମେ ସଭ୍ୟ, କେନ୍ଦ୍ରମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବା ବିଜୁ ପଟ୍ଟନାୟକ ଓଡ଼ିଶାକୁ ଅତିଶୟ ଶ୍ରଦ୍ଧା କରୁଥିଲେ । ଓଡ଼ିଶାର ସ୍ୱାର୍ଥ ପାଇଁ ଗୃହ ଭିତରେ ଓ ବାହାରେ, ଭାରତର ଓ ପୃଥିବୀରେ ଲଢ଼େଇ କରିଥିବା ବିଜୁବାବୁ ସର୍ବଦା ଓଡ଼ିଆ ଜାତିକୁ ବଡ଼ କରିବାର ସ୍ୱପ୍ନ ଦେଖିଥିଲେ । ମହାଭାରତରେ ଅଛି, କଳିଙ୍ଗ ସାହସିକତା । ଅର୍ଥାତ୍ ସାହସ ପାଇଁ କଳିଙ୍ଗ ଜାତି ଦିନେ ପ୍ରସିଦ୍ଧି ଥିଲା । ଆଉ ସେହି ସାହସିକତାର ସେ ଥିଲେ ଏକ ଅନାବିଳ ପ୍ରତୀକ । ଦୁଃସାହସିକତା ବୋଲି ଯାହା କୁହାଯାଇପାରେ, ତା’ର ସେ ହେଉଛନ୍ତି ପରିଚୟ । ଓଡ଼ିଆ ଜାତିକୁ ସେ ଶିଖାର ଦେଇଛନ୍ତି ଯେ, ତୁମେ ଯଦି କଳିଙ୍ଗର ଗୌରବ ପୁନରୁଦ୍ଧାର କରିବାକୁ ଚାହିଁ ନିର୍ଭିକ ଭାବରେ ଜୀବନର ସମ୍ମୁଖୀନ ହୁଅ ଏବଂ ଓଡ଼ିଆ ଜାତିକୁ ବଡ଼ କରିବା ଲାଗି ଚେଷ୍ଟା କର । ସେ ଜୀବନରେ ସବୁକିଛି ହୋଇଛନ୍ତି । ଶିଳ୍ପପତିଠାରୁ ଆରମ୍ଭ କରି ସବୁ ଛାଡ଼ି ଦେଇ ଜାତି ସେବାରେ ନିଜକୁ ଉତ୍ସର୍ଗ କରିବା ପର୍ଯ୍ୟନ୍ତ । ସେ ତାଙ୍କର ବୈମାନିକ ଅଭିଜ୍ଞତାକୁ ଭାରତବର୍ଷର ସେବାରେ ନିୟୋଜିତ କରିଥିଲେ । କାଶ୍ମୀରଠାରୁ ଆରମ୍ଭ କରି ଇଣ୍ଡୋନେସିଆ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆଜି ତାଙ୍କର ସାହସିକତା, ଦେଶସେବା ଓ ଦେଶପ୍ରେମର ପଦଚିହ୍ନ ରହିଛି । ଓଡ଼ିଶାକୁ ବଡ଼ କରିବା ପାଇଁ ଓଡ଼ିଶାରେ ଶିଳ୍ପର ବିକାଶ ଘଟାଇବା ଲାଗି ଗରିବ ଦୁଃଖୀ ଜନତାର ଉତ୍ଥାନ ପାଇଁ, ଓଡ଼ିଶାର ସମୃଦ୍ଧି ସାଧନ ଲାଗି ତାଙ୍କ ହୃଦୟ ଆରମ୍ଭରୁ ଉଦ୍ବେଳିତ ହେଉଥିଲା । ସର୍ବୋପରି ଓଡ଼ିଶାକୁ ଉଚ୍ଚ କରିବା ପାଇଁ ସେ ନିଜର ଜୀବନକୁ ତିଳତିଳ କରି ଅର୍ପଣ କରିଥିଲେ । ଭାରତବର୍ଷରେ ଗଣତନ୍ତ୍ରର ସ୍ତମ୍ଭ ଭାବରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଗଠନ କରିବାରେ ସେ ଯେଉଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ତାହା ଦେଶର ପାର୍ଲାମେ ।ରୀ ଇତିହାସରେ କେବେ ଭୁଲିବାର ନୁହେଁ । ତାଙ୍କର ଅଭାବ ସ୍ମରଣ କରିବା ସହିତ ଓଡ଼ିଆ ଜାତି ତାଙ୍କର ଗୁଣାବଳୀକୁ ଚିରଦିନ କୀ ିର୍ନ କରିବ ।
ବିରୋଧୀଦଳ ନେତା ଅଶୋକ ଦାସ ଉଲ୍ଲେଖ କରିଥିଲେ, ଗରୀବ ଲୋକଙ୍କ ପାଇଁ ବିଜୁବାବୁଙ୍କ ଦରଦ କଥା ଭାବିଲେ, ମନ ଆନ୍ଦୋଳିତ ହୋଇଉଠେ । ତାଙ୍କର ନିର୍ଭିକତା ବା ଦୁଃସାହସିକତାକୁ କେବଳ ଓଡ଼ିଶା ବା ଭାରତ ବର୍ଷର ଲୋକ କାହିଁକି ପୃଥିବୀର ଅନେକ ଦେଶର ନାଗରିକ ସ୍ୱୀକାର କରିଛନ୍ତି । ଭାରତର ଜାତୀୟ ସଂଗ୍ରାମ ବ୍ୟତିରେକେ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଇଣ୍ଡୋନେସିଆର ମୁକ୍ତି ଆନ୍ଦୋଳନ, ଋଷିଆ ଆଦି ଦେଶରେ ତାଙ୍କର ସାହସିକତା ପ୍ରତିପାଦିତ ହୋଇସାରିଛି । ସେଥିଲାଗି ତାଙ୍କୁ ଇଣ୍ଡୋନେସିଆରେ ଭୂମିପୁତ୍ର ଉପାଧି ମିଳିଥିବାବେଳେ ଋଷିଆରେ ତାଙ୍କୁ ଆମା ନାମରେ ବିଶେଷ ସମ୍ମାନପ୍ରାପ୍ତ ହୋଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଆମ ଦେଶରେ ତାଙ୍କୁ ଭୌତିକ ସାର୍ଟିଫିକେଟ୍ ବା ପଦବୀ ଦିଆଯାଉ ବୋଲି ଗୃହ ଏକ ପ୍ରସ୍ତାବ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ।
ମନ୍ତ୍ରୀ ପ୍ରସନ୍ନ କୁମାର ଦାଶ ଦର୍ଶାଇଥିଲେଯେ, ପ୍ରଥମେ ଶିଳ୍ପପତି ଓ ପରେ ରାଜନୈତିକ ହିସାବରେ ବିଧାନସଭାକୁ ଆସିଥିବା ବିଜୁବାବୁଙ୍କର ଅନ୍ୟତମ ବିଶେଷତ୍ୱ ହେଉଛି ସେ ନିଜ ପରିବାରର ଲୋକଙ୍କୁ ରାଜନୀତିକୁ ଆଣିନଥିଲେ । ଭାରତବର୍ଷରେ ଯେଉଁମାନେ ବନ ସ୍ଥାନକୁ ଯାଇଛନ୍ତି, ସେମାନେ ରାଜନୀତି କ୍ଷେତ୍ରକୁ ନିଜ ପରିବାରର ଲୋକଙ୍କୁ ନେଇଛନ୍ତି । ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି, ଯିଏକି ସେହି ପରମ୍ପରାର ବ୍ୟତିକ୍ରମ ସାଜିଛନ୍ତି । ରାଜନୀତି କ୍ଷେତ୍ରରେ ତାଙ୍କ ସହିତ ମତାନ୍ତର ଥିଲେ ସୁଦ୍ଧା ମନାନ୍ତର ନଥିଲା । ରାଜନୀତିରେ ମନାନ୍ତର ରହିବା ଉଚିତ୍ ନୁହେଁ । ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା ଅବତାରଣ କରିଥିଲେ । ଓଡ଼ିଶା ଜାତିକୁ ପୃଥିବୀରେ ପ୍ରତିଷ୍ଠିତ କରିବା ପାଇଁ ବିଜୁବାବୁ ଯେଭଳି ଭୂମିକା ଗ୍ରହଣ କରିଥିଲେ, ତାହା ଆମ୍ଭମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇ ରହିଛି । ନିର୍ଭୀକତା ଏବଂ ଓଡ଼ିଆ ସ୍ୱାଭିମାନ ଲାଗି ସଂଗ୍ରାମ ନିମନ୍ତେ ଜାତୀୟ ରାଜନୀତିରେ ତାଙ୍କୁ ଯେଭଳି ସ୍ଥାନ ମିଳିବା କଥା, ତାହା ଅଦ୍ୟାବଧି ମିଳିପାରିନାହିଁ । ବିଧାୟକ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କୁ ଅନନ୍ତ ଆକାଶ ବୋଲି ବର୍ଣ୍ଣନା କରିଥିବାବେଳେ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟ ଦିବଂଗତ ନେତାଙ୍କୁ ଉକ୍ରଳର ଗର୍ବ ବୋଲି ଅବତାରଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶମ୍ଭୁନାଥ ନାୟକ, ଅଜେନ ମୁର୍ମୁ, ବିକ୍ରମ କେଶରୀ ଦେଓ, ନନ୍ଦିନୀ ଶତପଥୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଭିନ୍ନଭିନ୍ନ ଦିଗରୁ ଆଲୋକପାତ କରିଥିଲେ ।
ବିଜୁଙ୍କୁ “ଭାରତରତ୍ନ” ଉପାଧିରେ ବିଭୂଷିତ କରିବା ଲାଗି ଉପଯୁକ୍ତ ଉଦ୍ୟମ ନ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଭାବାବେଗ ପ୍ରତି ଚରମ କୁଠାରଘାତ କରିଛନ୍ତି । ତେଣୁ ସେ ଦିଗରେ ଅତିଶୀଘ୍ର ସମୁଚିତ ପଦକ୍ଷେପ ଗ୍ରହଣର ସମୟ ଉପସ୍ଥିତ ହୋଇଛି ବୋଲି ବିଭିନ୍ନ ମହଲ ଅନୁଭବ କରୁଛନ୍ତି ।

Leave A Reply

Your email address will not be published.