ସାହସୀ-ସ୍ୱାଭିମାନୀ ବିଜୁ

0 71

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ସାହସୀ, ସ୍ୱାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ମହାନ ନେତାଙ୍କ ମଧ୍ୟରେ ସେ ଅନ୍ୟତମ । ଶୈଶବରୁ ସେ ଥିଲେ ଦୁଃସାହସୀ । ତାଙ୍କର ଦୁଃସାହସ ସଂପର୍କିତ କେତୋଟି ଘଟନା ସଂକ୍ଷେପରେ ଜାଣିବା ହେଉ । ଥରେ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିଲା । ବନ୍ୟା ଆସିଲେ ଉକ୍ରଳ ମଣି ଗୋପବନ୍ଧୁ ବିପନ୍ନଙ୍କୁ ସହାୟତା ଯୋଗାଇବା ପାଇଁ ଡଙ୍ଗାରେ ଚୁଡ଼ା, ଚାଉଳ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ବାହାରିପଡ଼ନ୍ତି । ଥରେ ସେ ବରୀ ଅଞ୍ଚଳକୁ ବାହାରିଲେ । ସଙ୍ଗରେ ଥିଲେ ବାର ବର୍ଷ ବୟସ୍କ ବିଜୁଙ୍କ ସହ ଆଉ କିଛି ଛାତ୍ର । ଉଚ୍ଛୁଳା ନଦୀ, ମଝିରେ ମଝିରେ ଜୋରରେ ପବନ ବୋହୁଥାଏ । ଖରାରୁ ରକ୍ଷା ପାଇବା ପାଇଁ ଗୋପବନ୍ଧୁ ଛତା ଧରି ବସିଥାନ୍ତି ଡଙ୍ଗାର ମଙ୍ଗରେ । ହଠାତ୍ ପବନ ମାଡ଼ରେ ତାଙ୍କ ହାତରୁ ଛତାଟି ଖସିଯାଇ ପଡ଼ିଲା ପାଣିରେ ଏବଂ ଭାସି ଚାଲିଲା ସୁଅରେ । ତାହା ଦେଖି, କେହି କିଛି ବୁଝିବା ପୂର୍ବରୁ ଭରା ନଦୀ ଗର୍ଭକୁ ଲମ୍ଫ ଦେଇଥିଲେ ବିଜୁ । କିଛି ସମୟ ପରେ ଛତା ଧରି ଫେରିଥିଲେ ଡଙ୍ଗାକୁ । ତାଙ୍କ ଦୁଃସାହାସ ଦେଖି ସେ ଦିନ ଚମକ୍ରୃତ ହୋଇଥିଲେ ଗୋପବନ୍ଧୁ ଏବଂ ଦିନେ ଓଡ଼ିଆ ଜାତିର ଟେକ ରଖିବୁ କହି ଆଶୀର୍ବାଦ କରିଥିଲେ । ୧୯୨୬ର କଥା । ମହାତ୍ମା ଗାନ୍ଧୀ କଟକ ଆସିଥାଆନ୍ତି । ବାଳକ ବିଜୁଙ୍କ ଇଛା ଗାନ୍ଧିଜୀଙ୍କୁ ଭେଟିବେ । ହେଲେ ପୁଲିସ୍ ଛାଡ଼ୁ ନଥାଏ । ଡେଙ୍ଗା-ପତଳା ବିଜୁ ଭିଡ ଠେଲି ମାଡ଼ିଚାଲିଲେ ଆଗକୁ ଗୋରା ପୁଲିସ୍ଙ୍କ ଲାଠିକୁ ଖାତର ନକରି । ଉପସ୍ଥିତ ପୁଲିସ ବାବୁ ରାଗିଯାଇ ଲାଠିରେ ତାଙ୍କ ମୁଣ୍ଡକୁ ପାହାରେ ପକାଇଲେ । ମୁଣ୍ଡରୁ ବୋହିଗଲା ଝର ଝର ଲହୁ । ହେଲେ ଭୟ ନକରି ଗାନ୍ଧିଜୀଙ୍କ ପାଖରେ ପହଞ୍ôଚଗଲେ ବିଜୁ । ଗାନ୍ଧୀ ମହାତ୍ମା ପୁଲିସ ବାବୁଙ୍କୁ ଭତ୍ସର୍ନା କରିବା ସହ ବିଜୁଙ୍କ ମୁଣ୍ଡରୁ ରକ୍ତ ପୋଛି ଆଶୀର୍ବାଦ ଦେଇଥିଲେ । ପ୍ରଥମ ମହାଯୁଦ୍ଧ ପରବର୍ତ୍ତୀ ସମୟର ଘଟନା । ବାଲିଯାତ୍ରା ପଡ଼ିଆରେ ପ୍ରଥମଥର ପାଇଁ ବିମାନଟିଏ ଅବତରଣ କରିଥାଏ । ବିମାନ ଦେଖିବା ଲାଗି ନାହିଁ ନଥିବା ଭିଡ । ବିଜୁଙ୍କ ଇଛା ପାଖରୁ ଦେଖିବେ । ପୁଲିସ୍କୁ ନମାନି, ବାଡ଼ ଭାଙ୍ଗି ବିମାନ ନିକଟରେ ପହଞ୍ôଚ ପାରିଥିଲେ । ପରିଣାମ ସ୍ୱରୂପ ପିଠିରେ ପଡ଼ିଥିଲା ଲାଠି ପାହାର । ସେହି ଦିନ ପ୍ରତିଜ୍ଞା କରିଥିଲେ ବୈମାନିକ ହେବେ ହୋଇଥିଲେ ମଧ୍ୟ । ଏମିତି ସେମିତି ବୈମାନିକ ନୁହେଁ ବହୁତ କିଛି କରିବାର ସାମର୍ଥ୍ୟ ରଖିଥିବା ବୈମାନିକ । ପଣ୍ଡିତ ନେହେରୁଙ୍କ ନିର୍ଦ୍ଦେଶରେ ଇଣ୍ଡୋନେସିଆରୁ ସେଠାକାର ପ୍ରଧାନମନ୍ତ୍ରୀ ସହରିର୍ଙ୍କୁ ଡଚ୍ ବାହିନୀ କବଳରୁ ଖସାଇ ବିମାନରେ ନେଇ ଆସିଥିଲେ ନୂଆଦିଲ୍ଲୀ । ସହଯୋଗୀ ଭାବେ ସଙ୍ଗରେ ଯାଇଥିଲେ ପତ୍ନୀ ଜ୍ଞାନ ଦେବୀ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ସେଠାକାର ସର୍ବୋଚ୍ଚ ଉପାଧି ଭୂମିପୁତ୍ରରେ ସମ୍ମାନିତ କରାଯାଇଥିଲା । ୧୯୧୬ ମାର୍ଚ୍ଚ ୫ ତାରିଖରେ ସେ ଜନ୍ମ ହୋଇଥିଲେ ।
ନିର୍ଦ୍ଦେଶିକା, ଆନ୍ତର୍ଜାତିକ ଶୋଭନୀୟତା ନିରୋଧ ଆନ୍ଦୋଳନ, ଭୁବନେଶ୍ୱର

Leave A Reply

Your email address will not be published.