ବିଜୁବାବୁ ଓ ଓଡ଼ିଶା

0 67

୧୯୧୬ ମସିହା ମାର୍ଚ୍ଚ ମାସର ପାଞ୍ଚ ତାରିଖର ଶୁଭବେଳାରେ ଜନ୍ମ ନେଇଥିଲେ ଓଡ଼ିଆ ମାଟିର କୃତି ସନ୍ତାନ ବିଜୟାନନ୍ଦ ପଟ୍ଟନାୟକ । କଟକ ସହରର ତୁଳସୀପୁରରେ ଥିବା ଆନନ୍ଦ ଭବନ ଆନନ୍ଦରେ ମୁଖରିତ ହୋଇ ଉଠିଲା । ଏହି କୁଆଁ କୁଆଁ ରାବରେ ପତ୍ରଝଡ଼ା ପ୍ରକୃତିରାଣୀ ନବପଲ୍ଲବିତ ହେଲା । ଆକାଶଟା ଭାରାକ୍ରାନ୍ତ ପରି ମନେହେଲା । ଜନମାନସରେ ଭରିଗଲା ନୂଆ ଆଲୋକ, ନୂଆ ଭାବନା ଓ ନୂଆ ପୁଲକ । କିଏ ଜାଣେ ଏପରି ପରିବର୍ତ୍ତନର ରହସ୍ୟ କ’ଣ ? ‘ତୁଳସୀ ଦୁଇପତ୍ରରୁ ବାସିଲା’ ପରି ଏହି କୁଆଁ କୁଆଁ ରାବ ସ୍ପଷ୍ଟ ବାରି ଦେଉଥିଲା ଭବିଷ୍ୟତରେ ବଡ଼ମଣିଷ ହେବ ବୋଲି……
ସୁଜଳା, ସୁଫଳା, ଶସ୍ୟ ଶ୍ୟାମଳା, ବୀର ପ୍ରସବିନୀ ଚିର ମହିମାନ୍ୱିତ ଏ ଧରା କେଳରେ ସେ ଶଶୀକଳା ପରି ବଢ଼ିବାକୁ ଲାଗିଲେ । ତାଙ୍କର ବାଲ୍ୟ ଜୀବନ ଠାରୁ ଅନ୍ତିମ ଜୀବନ ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା କଲେ କେବଳ ଦୁଃସାହସ ଓ ନିର୍ଭିକତା ଦେଖିବାକୁ ମିଳେ । ସେ ଥିଲେ ଅତ୍ୟନ୍ତ ବଳିଷ୍ଠ, ମେଧାବୀ ଉପସ୍ଥିତ ତଥା ବିଚକ୍ଷଣ ବୁଦ୍ଧି ସଂପନ୍ନ ଓ ସାହସିକ । ସେ ଯେ ଦିନେ ସମଗ୍ର ବିଶ୍ୱରେ ଏକ ଯୁଗାନ୍ତକାରୀ ଆଲୋଡ଼ନ ସୃଷ୍ଟି କରିବେ ତାହା ତାଙ୍କ ଛାତ୍ର ଜୀବନରୁ ଜଣାପଡ଼ିଥିଲା । ସେ ଥିଲେ ଅନିସନ୍ଧିତ୍ସୁ । ସତର୍କ ଏବଂ ସତ୍ବୁଦ୍ଧି ସଂପନ୍ନ । କୌଣସି ବିଷୟକୁ ସେ ଖୁବ୍ ଶୀଘ୍ର କାମ ମାଧ୍ୟମରେ ପ୍ରମାଣ କରି ଦେଖାଇ ଦେଉଥିଲେ । ତାଙ୍କ ଜୀବନ ଆକାଶରେ ପୂର୍ଣ୍ଣିମା ବି ବେଳେବେଳେ ଅମାବାସ୍ୟାର ରୂପ ନେଇଥିଲା । ଅନେକ ଘାତ ପ୍ରତିଘାତର ଶିକାର ହୋଇଥିଲେ ମଧ୍ୟ ଦୃଢ଼ ମନୋବଳ ପାଇଁ ସେ କେବେ ହତୋତ୍ସାହ ହୋଇନଥିଲେ । ଆମ ଓଡ଼ିଶାରେ ସେ ଥିଲେ ଏକ ତେଜଷ୍କ୍ରିୟ ଦୀପ୍ତିମାନ ଉଜ୍ଜ୍ୱଳ ତାରକା ।


ସେ ରେଭନ୍ସା କଲେଜିଏଟ୍ ବିଦ୍ୟାଳୟରୁ ଫେରୁଥାନ୍ତି । ଆଗରେ ବାରବାଟୀ ଗଡ଼ । ଯେଉଁଠି ଦିନେ ଓଡ଼ିଆ ପୁଅର ବୀରବାଦ୍ୟ ବାଜି ଉଠୁଥିଲା, ସେଠି ଆଜି ବିଦେଶୀଙ୍କ ରାଜତ୍ୱ । ବିଦେଶୀ ଫଉଜଙ୍କର ଏପରି ରାଜୁତି ସେ ତିଳେ ମାତ୍ର ସହ୍ୟ କରିପାରିଲେନାହିଁ । ଦେଶପ୍ରେମରେ ଉଦ୍ବୁଦ୍ଧ ପ୍ରାଣ ତାଙ୍କର ଚହଲି ଗଲା । ତାଙ୍କ ଦେହର ବୀରରକ୍ତ ଟକମକ ହୋଇ ଉଠିଲା । ସେ ତାଙ୍କ ଉପରକୁ ଟେକାଟିଏ ଫିଙ୍ଗିଳେ । ଯାହାଫଳରେ ଗୋରା ସୈନିକମାନେ ତାଙ୍କୁ ଥାନାକୁ ନେଇଗଲେ । ବିଚାର ପରେ ଦଶ ପ୍ରହାର କରାଗଲା । ହସି ହସି ଏ ଦଣ୍ଡକୁ ଗ୍ରହଣ କଲେ । କାରଣ ତାଙ୍କ ବାପାଙ୍କର କେତୋଟି କଥା ମନରେ ତାଙ୍କର ପ୍ରତିଧ୍ୱନିତ ହେଉଥିଲା- ‘ତୁ ପରା ଓଡ଼ିଆ ପୁଅ, ବୀର ରକ୍ତ ତୋ ଦେହରେ ପ୍ରବାହିତ, ସାମାନ୍ୟ ଆଘାତରେ ଡରିଯିବା ଉଚିତ୍ ନୁହେଁ ।’ କଳିଙ୍ଗ ସନ୍ତାନ, ପ୍ରତିଭା ମାନ ବୀର ବିଜୁବାବୁଙ୍କ ଚିନ୍ତା ଓ ଚେତନାରେ ବୀରତ୍ୱ ବସା ବାନ୍ଧିଥିଲା ।
୧୯୨୬ ମସିହାର କଥା । ୧୧ ବର୍ଷର ସେ, ପଢ଼ୁଥାନ୍ତି ହାଇସ୍କୁଲ୍ରେ । ସେ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ଜୋର୍ ଚାଲିଥାଏ । ମହାତ୍ମାଗାନ୍ଧୀ ଓଡ଼ିଶା ଆସିଲେ । ସ୍ୱରାଜ୍ୟ ଆଶ୍ରମରେ ସଭା ହେବ । ସମଗ୍ର ଓଡ଼ିଶାବାସୀ ଧାଇଁଲେ ବାପୁଜୀଙ୍କୁ ଦେଖିବାପାଇଁ । ବିଜୁବାବୁ ବାପୁଜୀଙ୍କୁ ପାଖରୁ ଦେଖିବେ । ତାଙ୍କର ମହତବାଣୀ ଶୁଣିବେ ବୋଲି ଛୁଟି ଯାଇଥିଲେ । ସେ ଆଗେଇଯାଇ ଭିଡ଼ ଭିତରେ ପଶିଲେ । ପୋଲିସ୍ ଫଉଜ୍ ପଥ ଓଗାଳିଲେ । ସେ ତ ଡରିବାର ପିଲା ନୁହନ୍ତି । ସେ ତାଙ୍କ କଥା ନମାନି ଆଗକୁ ମାଡ଼ି ଚାଲିଲେ, କିନ୍ତୁ ପଛରୁ ଏସ୍.ପି. ସାହେବଙ୍କ ଲାଠିମାଡ଼ରେ ତାଙ୍କ ମୁଣ୍ଡରୁ ରକ୍ତ ଝରୁଥାଏ । ଏହି ମାଡ଼ର ପ୍ରତିଶୋଧ ନିଆଁ ତାଙ୍କ ହୃଦୟର ପ୍ରତି କୋଣ ଅନୁକୋଣରେ ଜଳି ଉଠିଲା । ସୁଯୋଗ ଆସିଲା, କଡ଼ା ଗଣ୍ଡାକରି ପ୍ରତିଶୋଧ ନେଲେ । ଏମିତି ମାଡ଼ ଦେଲେ ଯେ ଏସ୍.ପି.ଙ୍କ ଗୋଡ଼ ଭାଙ୍ଗିଗଲା ଓ କଟକରେ ଚିକିତ୍ସିତ ନହୋଇପାରି ତାଙ୍କ ଦେଶ ଇଂଲଣ୍ଡକୁ ପଳାଇଗଲେ । ଏହିପରି ଅନେକ ଦୁଃସାହସିକ କାର୍ଯ୍ୟ ତାଙ୍କ ଜୀବନରେ ଦେଖାଇ ଯାଇଥିଲେ । ୧୯୩୨ ମସିହା ମଇ ମାସ ୧ ତାରିଖରେ ସାଇକେଲ ଯେ ।ଗେ କଟକରୁ ପେଶୱାର ଯାତ୍ରା, ପାଖରେ କିଛି ଅସ୍ତ୍ର ନଥାଇ ବାଘ ହବୁଡ଼ରୁ ମୁକ୍ତି, ସାମାନ୍ୟ ଛତାଟିଏ ପାଇଁ ଝଡ଼ ତୋଫାନ୍ରେ ଦୁଇକୂଳ ଖାଇ ଭୟଙ୍କର ଗର୍ଜନ କରୁଥିବା କାଠଯୋଡ଼ି ପାରି ହେବା ଇତ୍ୟାଦି ।
ପିତା ଲକ୍ଷ୍ମୀନାରାୟଣ ଓ ମାତା ଅଶା ଦେବୀଙ୍କର ଅନେକ ସ୍ୱପ୍ନ ଥିଲା । ସେ ପିତା ମାତାଙ୍କର ସବୁ ସ୍ୱପ୍ନ ବାସ୍ତବରେ ରୂପାୟନ କରିଥିଲେ । ମା’ ଆଶା ଦେବୀଙ୍କର ଆଶା ଥିଲା ପୁଅ ମୋର ଆକାଶରେ ଉଡ଼ିବ । ସାହସୀ ଯୁବକ ନହେଲେ କିଏ ବା ନୀଳ ଆକାଶରେ ଉଡ଼ିବାକୁ ଇଚ୍ଛା କରିବ । ବିମାନ ଚାଳନା କ୍ଷେତ୍ରରେ ବହୁ ବିପଦର ସମ୍ମୁଖୀନ ହୋଇ ମଧ୍ୟ ସେ ଭାଙ୍ଗି ପଡ଼ିନଥିଲେ । ତାଙ୍କ ଜାହାଜ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଥିଲେ ମଧ୍ୟ ନିଜ ଜାତିର ମହତ୍ୱକୁ ତଳେ ନପକାଇ ବଜାୟ ରଖିଥିଲେ । ସବୁ ବିପଦରୁ ନିଜକୁ ରକ୍ଷାକରି ପୃଥିବୀର ଜଣେ ଦକ୍ଷ ବିମାନ ଚାଳକ ରୂପେ ସୁନାମ ଅର୍ଜନ କରିଛନ୍ତି । ଦିନେ ଆମ ସ୍ୱାଧୀନତା ସଂଗ୍ରାମ ମହାନରଥୀ ଜୟପ୍ରକାଶ ନାରାୟଣ ବିଜୁବାବୁଙ୍କୁ ସାକ୍ଷାତ କରି କହିଲେ- ‘ବ୍ରିଟିଶ୍ ସରକାର ମୋତେ ଯେକୌଣସି ସମୟରେ ବନ୍ଦୀ କରିପାରେ । ଆପଣ ମୋତେ ବିମାନରେ ନେଇ ଯେକୌଣସି ଅଜଣା ସ୍ଥାନରେ ଛାଡ଼ିପାରିବେ ?’ ବିଜୁବାବୁ ହସି ହସି କହିଲେ- ‘ମାତୃଭୂମି ସେବାପାଇଁ ମୁଁ ଚାକିରି ଛାଡ଼ି ଦେଇପାରେ, କିନ୍ତୁ ମୁଁ ମାତୃଭୂମି ପାଇଁ ଏତିକି କାମ କ’ଣ କରିପାରିବି ନାହିଁ?’ ୧୯୪୨ ମସିହାରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମର ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଭାରତବର୍ଷର ଚାରିଆଡ଼ୁ ଶୁଭିଲା ‘ହେ ଇଂରେଜ ସରକାର, ଭାରତ ଛାଡ଼’ । ଏ ଥିଲା ମାତୃଭୂମିର ଡାକ । ଏ ଡାକ ଓଡ଼ିଆ ପୁଅ ବିଜୁବାବୁଙ୍କୁ ବିଚଳିତ କରିଦେଲା । ସଂଗ୍ରାମୀ ରକ୍ତ ପ୍ରଭାବିତ ଦେହ ତାଙ୍କର ଚାକିରି ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ପ୍ରସ୍ତୁତ ହୋଇଗଲା । ତାଙ୍କ ମନରେ ଏକ ପ୍ରଶ୍ନବାଚୀ, ଦେଶ ଯଦି ପରାଧିନ ଚାକିରୀ କରି ଲାଭ କ’ଣ ? ଇଂରେଜ ମାନଙ୍କ କବଳରୁ ସଂଗ୍ରାମୀ ମାନଙ୍କୁ ରକ୍ଷା କରିବା ପାଇଁ ବିମାନରେ ନେଇ ନିରାପଦ ସ୍ଥାନରେ ଛାଡ଼ିଦେଇ ଆସୁଥିଲେ । ତାଙ୍କ ବିମାନରେ ଛଦ୍ମବେଶରେ ଜୟପ୍ରକାଶ, ମହାନ ସଂଗ୍ରାମୀ ଅରୁଣ ଆସଫ୍ ଅଲ୍ଲୀ, ଅଶୋକ ମେହେଟ୍ଟା, ରାମ ମନୋହର ଲୋହିଆ, ଅଚ୍ୟୁତ ପଟବର୍ଦ୍ଧନ ଇତ୍ୟାଦି ଯାଇ ନିରାପଦ ସ୍ଥାନରେ ଆଶ୍ରୟ ନେଇଥିଲେ । କିନ୍ତୁ ହିଂସ୍ର ବ୍ରିଟିଶ୍ ସରକାର ବିଜୁଙ୍କୁ ସନ୍ଦେହ କରି ୧୯୪୩ ମସିହା ଜାନୁଆରୀ ୧୩ ତାରିଖରେ ଗିରଫ୍ କଲେ । ତାଙ୍କ ଉପରେ ଅମାନୁଷିକ ଅତ୍ୟାଚାର ଆରମ୍ଭ ହେଲା । ଲାଠି ପ୍ରହାରରେ ଦେହ ସାରା ରକ୍ତାକ୍ତ ହୋଇଗଲା । ମୁଣ୍ଡ ଫାଟିଗଲା । ତଥାପି ତାଙ୍କ ଆଖିରେ ଲୁହ ନଥାଏ । ହସି ହସି ମାତୃଭୂମି ପାଇଁ ଏ ଦଣ୍ଡ ସହିଗଲେ । ସେଦିନ ତାଙ୍କ ଉପରେ ପୋଲିସ୍ର ଏ ଅତ୍ୟାଚାର ଯେଉଁମନେ ଦେଖିଛନ୍ତି, ଜଣେ ଓଡ଼ିଆ ପୁଅର ସାହସ ଓ ଧୈର୍ଯ୍ୟ ଦେଖି ଚକିତ ହୋଇଛନ୍ତି । ପ୍ରଥମେ ତାଙ୍କୁ ଲାଲକିଲ୍ଲା ଜେଲ୍ରେ ରଖାଗଲା । ପରେ ଦିଲ୍ଲୀ ଜେଲ୍ରେ ଓ ଶେଷରେ ୧୯୪୫ ମସିହାରେ କଟକ ଜେଲ୍ରୁ ଖଲାସ୍ ହେଲେ । ଜେଲ୍ରୁ ଖଲାସ ହୋଇ ବିଜୁବାବୁ କଟକ ଆନନ୍ଦ ଭବନରେ ଅବସ୍ଥାନ କଲେ । ଘରେ ନଜରବନ୍ଦୀରେ ଥାଆନ୍ତି । ସ୍ୱଦେଶ ପ୍ରେମୀ ଯୁବକ ବିଜୁ କିନ୍ତୁ ଘରେ ସ୍ଥିର ହୋଇ ବସି ପାରିଲେ ନାହିଁ । ଦରିଦ୍ର ଓଡ଼ିଶାର କଥା ଭାବିବାକୁ ଲାଗିଲେ । ଯେଉଁ ଜାତି ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା, ସେ ଆଜି ହୋଇଛି କ’ଣ ? ତା ଅଣ୍ଟାରେ ଆଜି ପଇସା ନାହିଁ । ପେଟରେ ଦାନା ନାହିଁ । ଓଡ଼ିଆ ମାନଙ୍କର ଅବସ୍ଥାର ପରିବର୍ତ୍ତନ ପାଇଁ ସେ ଶିଳ୍ପ କାରଖାନା ପ୍ରତିଷ୍ଠା କରିବାକୁ ସ୍ଥିର କଲେ । ସେ ‘ବି ପଟ୍ଟନାୟକ ଏଣ୍ଡ କମ୍ପାନୀ’ ନାମରେ ଗୋଟିଏ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କଲେ । ପ୍ରଥମେ ଚୌଦ୍ୱାରରେ ଲୁଗାକଳ, କଳିଙ୍ଗ ଆଇରନ୍ ଏଣ୍ଡ୍ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ପାଇପ୍ କାରଖାନା, କଳିଙ୍ଗ ରେଫ୍ରିଜେସନ ଓ କଳିଙ୍ଗର ଏୟାର ଲାଇନ୍ ମଧ୍ୟ ପ୍ରତିଷ୍ଠା କଲେ । ସେ ଯାହା କରିଛନ୍ତି କଳିଙ୍ଗ ନାମରେ ନାମିତ କରିଛନ୍ତି । ନିଜର ମାତୃଭୂମି କଳିଙ୍ଗ ପ୍ରତି କେତେ ଗଭୀର ମମତା ଏଥିରୁ ବେଶ୍ ଜଣାପଡ଼େ ।
୧୯୪୭ରେ ଆମ ଦେଶ ସ୍ୱାଧୀନ ହେଲା । ସେହି ବର୍ଷ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ଖୁବ୍ ଜୋର୍ରେ ଚାଲିଥାଏ । ସୁଦର୍ଶନ ଯୁବକ କଳିଙ୍ଗର ସନ୍ତାନ ଓଡ଼ିଆ ପୁଅ ବିଜୁବାବୁ ଇଣ୍ଡୋନେସିଆର ସ୍ୱାଧୀନତା ଆଣି ଦେବି ବୋଲି ମନରେ ସାହସ ବାନ୍ଧିଲେ । ପଣ୍ଡିତ ଜବାହାରଲାଲ ନେହେରୁ ଏପରି ଦୃଢ଼ ପ୍ରତିଶ୍ରୁତି ଶୁଣି ଆଶ୍ଚର୍ଯ୍ୟ ହେଲେ । ପଣ୍ଡିତଜୀ ଭାବିଲେ ‘ବିଜୁ ମୃତ୍ୟୁ ଗହ୍ୱରରେ ପଶି ସତରେ କ’ଣ ସେ ବିଜୟର ଟୀକା ପିନ୍ଧି ପାରିବେ’ । ସୁଦକ୍ଷ ବିମାନଚାଳକ ବିଜୁବାବୁ ବିମାନଟିକୁ କୌଶଳ କ୍ରମେ ବାଟାଭିଆ ଉପରେ ଉଡ଼ାଇ ନିରାପଦରେ ଯାଇ ଯୋଗିଆକର୍ତ୍ତାରେ ପହଞ୍ôଚଲେ । ଇଣ୍ଡୋନେସିଆର ସ୍ୱାଧୀନତା ଆଣିଦେଲେ । ଇଣ୍ଡୋନେସିଆର ସ୍ୱାଧୀନତା ପାଇଁ ଓଡ଼ିଆ ପୁଅର ଯେଉଁ ତ୍ୟାଗ ସେଠାକାର ଲୋକମାନେ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି । ସେଠାକାର ସୁକର୍ଣ୍ଣ ସରକାର ତାଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହିତ ପ୍ରାୟ ପାଞ୍ଚଶହ କୋଟି ଟଙ୍କାର ସଂପତ୍ତି ପ୍ରଦାନ କରିଥିଲେ । ଏତିକି ପ୍ରଦାନରେ ସେଠାକାର ସରକାର ଓ ଜନସାଧାରଣ ସନ୍ତୁଷ୍ଟ ହେଲେ ନାହିଁ । ଆମ ଦେଶର ‘ଭାରତରତ୍ନ’ ପରି ସେ ଦେଶର ସର୍ବଶ୍ରେଷ୍ଠ ଉପାଧି ‘ଭୂମିପୁତ୍ର’ରେ ଭୂଷିତ କଲେ । ସେଠାରେ ପାଇଥିବା ସମସ୍ତ ସମ୍ପତ୍ତିକୁ ବିଜୁବାବୁ ସେ ଦେଶର ଜନସାଧାରଣଙ୍କୁ କଲ୍ୟାଣ ପାଇଁ ଫେରାଇ ଦେଲେ ।
୧୯୪୬ ମସିହା ଠାରୁ ବିଜୁବାବୁଙ୍କ ରାଜନୀତି ରଥର ଚକ ଗଡ଼ି ଚାଲିଲା ରାଜନୀତିର ଅମଡ଼ାବାଟରେ । ରାଜନୀତି ଯୁଦ୍ଧରେ ସେ ଜଣେ ସଫଳ ଯୋଦ୍ଧା ଥିଲେ । ପ୍ରଥମ ଜୀବନରେ ସେ ସିନା ଜଣେ ସୈନିକ, କିନ୍ତୁ ରାଜନୀତିରେ ସେ ଜଣେ ସୁଦକ୍ଷ ସେନାପତି ଥିଲେ । ଜୀବନ ସଂଗ୍ରାମରେ ସେ ଅନେକଥର ଜିତିଛନ୍ତି ଓ ହାରିଛନ୍ତି । ହାରିବାରେ ଦୁଃଖ ନଥିଲା ତାଙ୍କର । ଜୟ ପରାଜୟ ତାଙ୍କ ପାଖରେ ସବୁ ସମାନ । ୧୯୪୬ ମସିହାରେ ବ୍ୟବସ୍ଥାପକ ସଭାର ସଭ୍ୟ, ୧୯୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ବିଧାୟକ, ୧୯୬୧ ମସିହାରେ ଓଡ଼ିଶା କଂଗ୍ରେସ ଦଳର ସଭାପତି ହୋଇଥିଲେ । ସେହି ବର୍ଷ ମଧ୍ୟ ନିର୍ବାଚନରେ ବିଧାନ ସଭାକୁ ଆସିଲେ । କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହେଲା, ସେ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ୧୯୭୬ରେ କେନ୍ଦ୍ରରେ ଗଠିତ ଜନତା ଦଳରେ ତାଙ୍କର ଭୂମିକା ସର୍ବାଧିକ । ଜନତା ଦଳ ଜିତିଲା, ମୋରାଜୀ ଦେଶାଇ ପ୍ରଧାନମନ୍ତ୍ରୀ ହେଲେ । ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ଇସ୍ପାତ ଓ ଖଣି ବିଭାଗର ଦାୟିତ୍ୱ ସଫଳତାର ସହ ତୁଲାଇଲେ । ୧୯୯୦ରେ ତାଙ୍କ ନେତୃତ୍ୱରେ ଓଡ଼ିଶାର ମନ୍ତ୍ରୀମଣ୍ଡଳ ଗଠିତ ହେଲା । ସେ ହେଲେ ଓଡ଼ିଶାର ସର୍ବମୟ କର୍ତ୍ତା ବା ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ ପାଞ୍ଚବର୍ଷ କାଳ ଯୁବକଙ୍କ ପରି କଠିନ ପରିଶ୍ରମ କରି ଓଡ଼ିଶାକୁ ଉନ୍ନତି ପଥରେ ଆଗେଇ ନେଲେ । ୧୯୯୫ ନିର୍ବାଚନରେ ସେ ଭୁବନେଶ୍ୱରରୁ ନିର୍ବାଚିତ ହୋଇ ବିଧାନସଭାର ବିରୋଧୀଦଳର ନେତା ହେଲେ । ୧୯୯୬ରେ କଟକ ଓ ଆସ୍କା ଆସନରୁ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇ ଓଡ଼ିଶାର ଦାବୀ ସେଠାରେ ଉପସ୍ଥାପନା କଲେ ।
ଏକାଅଶୀ ବର୍ଷରେ ସେ ବୃଦ୍ଧ ହୋଇ ମଧ୍ୟ ଯୁବକଙ୍କ ପରି କାମ କରୁଥିଲେ । ଦିଲ୍ଲୀରେ ଅବସ୍ଥାନ ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ପ୍ରଥମେ ସେ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଲେ । ଅବସ୍ଥାର ପରିବର୍ତ୍ତନ ପାଇଁ ଉନ୍ନତ ଚିକିତ୍ସା ପାଇଁ ଏସ୍କର୍ଟ ହସ୍ପିଟାଲ୍କୁ ନିଆଗଲା । କିନ୍ତୁ ସବୁ ଚେଷ୍ଟା ବିଫଳ । ୧୧୯୭ ମସିହା ଅପ୍ରେଲ୍ ମାସ ୧୭ ତାରିଖ ଗୁରୁବାର, ସକାଳ ଆଠଟା । ପନ୍ଦର ମିନିଟ୍ରେ ସେ ଶୋଇଗଲେ ମହାନିଦ୍ରାରେ । କଳିଙ୍ଗ ଆକାଶରୁ ଏକ ଦୀପ୍ତିମାନ ନକ୍ଷତ୍ର ଖସିପଡ଼ିଲା । ତାଙ୍କ ସ୍ୱପ୍ନର ଓଡ଼ିଶା ଦୁଃଖ ଓ ଯନ୍ତ୍ରଣାରେ ନୀରବ ଓ ନିସ୍ପଳ ହୋଇଗଲା । ସମସ୍ତଙ୍କ ମୁହଁରୁ ଶୁଣାଗଲା ବିଜୁବାବୁ ଆଉ ନାହାନ୍ତି । ତାଙ୍କର ଅନ୍ତିମ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ସମେତ ମନ୍ତ୍ରୀମଣ୍ଡଳର ସଭ୍ୟ, ବିରୋଧୀ ଦଳର ନେତୃବୃନ୍ଦ, ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଓ ସମଗ୍ର ଓଡ଼ିଶାର ଜନତା ଛୁଟିଲେ ଡାକ୍ତରଖାନାକୁ । ସବୁଠି ଆଲୋକ ଥାଇ ଅନ୍ଧାର ପରି ଲାଗିଲା । ଅପ୍ରେଲ ମାସ ଅଠର ତାରିଖ ଦିନ ସ୍ୱର୍ଗତ ନେତାଙ୍କର ମରଶରୀର ବିମାନ ଯୋଗେ ଭୁବନେଶ୍ୱର ଅଣାଗଲା । ହଜାର ହଜାର ଲୋକ ଉଚ୍ଚସ୍ୱରରେ ରୋଦନ କରୁଥିଲେ । ଶେଷର ତାଙ୍କ ନିଜଘର ନବୀନ ନିବାସକୁ ଅଣାଯାଇଥିଲା । ନବୀନ ନିବାସରୁ ସ୍ୱର୍ଗଦ୍ୱାର, ମହାନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ମରଶରୀର ପୁରୀରେ ପହଞ୍ôଚଲା । ପାଞ୍ଚଲକ୍ଷ ଜନତାଙ୍କ ସମାଗମରେ ଏକ ରଥଯାତ୍ରାର ଭ୍ରମ ସୃଷ୍ଟି କରାଗଲା । ଠିକ୍ ସେହି ସମୟରେ ସଂପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟଦାରେ ତାଙ୍କ ମରଶରୀରରେ ଅଗ୍ନି ସଂଯୋଗ କରାଗଲା । ସମସ୍ତ ଜନତାଙ୍କ କଣ୍ଠରୁ ଗଗନ ପବନ ପ୍ରକମ୍ପିତ କରି ଧ୍ୱନିତ ହେଉଥିଲା – ‘ବିଜୁବାବୁ ଅମର ରହେ, ଜବ୍ତକ୍ ଚାନ୍ଦ ସୂରୁଜ ରହେଗା ।’
ପାରାଦ୍ୱୀପଗଡ଼
ମୋବାଇଲ – ୯୯୩୭୬୯୧୪୭୫

Leave A Reply

Your email address will not be published.