ଖାଦ୍ୟ ରସିକ ବିଜୁ

0 69

ବିଜୁ ପଟ୍ଟନାୟକ ଜଣେ ଖାଦ୍ୟ ରସିକ ଥିଲେ । ଏହା ଉଣା ଅଧିକେ ଓଡ଼ିଶାର ଜନସାଧାରଣ ଜାଣନ୍ତି । ଯେଉଁ ସ୍ଥାନକୁ ବିଜୁ ପଟ୍ଟନାୟକ ଖାଇବାକୁ ଯାଆନ୍ତି ସେଠାରେ ତାଙ୍କର ଖାଇବା ଦେଖିବାକୁ ଶହଶହ ଲୋକ ଚାରିପଟେ ଠିଆ ହୁଅନ୍ତି । ଏହା ବିଜୁ ପଟ୍ଟନାୟକଙ୍କ ଭୋକକୁ ଆହୁରି ବଢ଼ାଇ ଦେଇଥାଏ । ଏଠାରେ କିଛି ତଥ୍ୟ ଦେବାକୁ ମନେ କରୁଛି । ୧୯୯୦ ମସିହାରେ ଗଞ୍ଜାମ ଜିଲ୍ଲାରେ ବିଜୁ ପଟ୍ଟନାୟକ, ଲୋକନାଥ ଚୌଧୁରୀ ଓ ଶିବାଜୀ ପଟ୍ଟନାୟକ ମିଳିତ ଭାବେ ପ୍ରଚାର କରୁଥିଲେ । ରାତ୍ରି ଯାପନ କଲେ ରମ୍ଭାରେ । ରାତ୍ରି ଭୋଜନ ପାଇଁ ବିଜୁ ବାବୁ ବରାଦ ଦେଲେ ଖାସି ମାଂସ, ଶୁଖୁଆ ଭଜା । ଖାଇବା ଟେବୁଲରେ ବସିଲେ ବିଜୁ ବାବୁ, ଲୋକନାଥ ବାବୁ ଓ ଶିବାଜୀ ବାବୁ । ଖାଇବା ପରଷାଗଲା । ପରଟା ସାଙ୍ଗକୁ ଖାସି ମାଂସ ପୁଣି ତା ସହିତ ଶୁଖୁଆ ବଡ଼ ବଡ଼ ଖଣ୍ଡ ହୋଇ ମସଲା ଦିଆଯାଇ ପ୍ରସ୍ତୁତ ହୋଇଥିଲା । ୨ଖଣ୍ଡ ଶୁଖୁଆକୁ ଏକାଠି ରଖାଯାଇ ଭଜା ହୋଇଥିଲା । ଶୁଖୁଆକୁ ଦେଖିବା ମାତ୍ରେ ବିଜୁ ପଟ୍ଟନାୟକ ବେଶ୍ ଉତ୍ସାହିତ ହୋଇଗଲେ । ପ୍ରଥମେ ବିଜୁ ପଟ୍ଟନାୟକ ଶୁଖୁଆ ଖାଇବା ଆରମ୍ଭ କଲେ । କିଛି ସମୟ ପରେ ଲୋକନାଥ ବାବୁ ଓ ଶିବାଜୀ ବାବୁଙ୍କୁ ଶୁଖୁଆ ଖାଇବାକୁ ସେ କହିଲେ । ଶିବାଜୀ ବାବୁଙ୍କୁ ଚାହିଁ ବିଜୁ ବାବୁ କହିଲେ- ଆଜି ତମର ମୋର ଖାଇବା ପ୍ରତିଯୋଗିତା ହେବ । ତା ପରେ ସେ ଶୁଖୁଆ ଖାଇ ଚାଲିଲେ । ଶିବାଜୀ ବାବୁ ଦେଢ଼ ଖଣ୍ଡ ଶୁଖୁଆ ଖାଇ ଆଉ ଖାଇପାରିଲେ ନାହିଁ । ବିଜୁ ବାବୁ ୫ଖଣ୍ଡ ଶୁଖୁଆ ଖାଇସାରିବା ପରେ ଆଉ ଯେତେବେଳେ ଅଧିକ ଶୁଖୁଆ ଖାଇଲେ ସେତେବେଳେ ଲୋକନାଥ ବାବୁ ଆଉ ଶିବାଜୀ ବାବୁ ତାଙ୍କୁ ଶୁଖୁଆ ଖାଇବାକୁ ମନା କଲେ । ଅଧିକ ଶୁଖୁଆ ଖାଇବାକୁ ଡାକ୍ତର ମନା କରିଥିବ ବୋଲି ସେମାନେ ବିଜୁ ବାବୁଙ୍କୁ କହିବାରୁ ବିଜୁ ବାବୁ ଓଲଟା କହିଲେ- ସେ ଡାକ୍ତରଟା କିଏ । ସେ କେବଳ ଔଷଧ ଦେବ । ତାଙ୍କ ଶୁଖୁଆ ଖାଇବାକୁ ସେ ମନା କରିପାରିବ ନାହିଁ । ସେଦିନ ବିଜୁ ପଟ୍ଟନାୟକ ପରଟା ସହିତ ଖାସି ମାଂସ ଓ ଶୁଖୁଆ ଏତେ ଖାଇଲେ ଯେ, ତାହାକୁ କେବଳ ଲୋକନାଥ ବାବୁ ଓ ଶିବାଜୀ ବାବୁ ଚାହିଁ ରହିଥାଆନ୍ତି । ଶିବାଜୀ ବାବୁ କହିଲେ – ଖାଇବାରେ ଆପଣ ଓସ୍ତାଦ । ଆମେ ହାରିଗଲୁ । ବିଜୁବାବୁ କହିଲେ ଖାଲି ହାରିଲ ନୁହେଁ ଶୋଚନୀୟ ପରାଜୟ । ୧୯୯୦ରୁ ୧୯୯୫ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭୁବନେଶ୍ୱରସ୍ଥିତ ଏକାମ୍ର କଲେଜର ଛାତ୍ର ସଂସଦ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ହୋଇଯାଇଥିଲେ । ବିଜୁବାବୁଙ୍କୁ ଖୁଆଇବା ପାଇଁ ସେତେବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । କୁକୁଡ଼ା ମାଂସ, ଖାସି ମାଂସ, ଚିଙ୍ଗୁଡ଼ି, ମାଛ ମୁଣ୍ଡ ତରକାରୀ, ଘାଂଟ ଏବଂ ଶୁଖୁଆ ତରକାରୀ ହୋଇଥିଲା । ସେଦିନ କିନ୍ତୁ ସଂକ୍ରାନ୍ତି ଥିଲା । ସମସ୍ତେ ଭାବିଥିଲେ ବିଜୁ ପଟ୍ଟନାୟକ ଆମିଷ ଖାଇବେ ନାହିଁ ବୋଲି । ଯେତେବେଳେ ତାଙ୍କୁ ଖାଇବା ପାଇଁ ନିମନ୍ତ୍ରଣ କରାଗଲା ସେତେବେଳେ ବିଜୁବାବୁ କହିଲେ- ମେନୁ କ’ଣ । ଛାତ୍ରଛାତ୍ରୀମାନେ କହିଲେ- ସାର୍ ଆଜି ସଂକ୍ରାନ୍ତି । ହଠାତ୍ ବିଜୁ ପଟ୍ଟନାୟକ ରାଗିଯାଇ କହିଲେ- ସଂକ୍ରାନ୍ତି ହେଲେ କ’ଣ ହେଲା । ସଂକ୍ରାନ୍ତ ବୋଲି କଣ ଉପବାସ ରହିବା । ଛାତ୍ରଛାତ୍ରୀମାନେ କହିଲେ- ସାର୍ ଖାସି ମାଂସ, କୁକୁଡ଼ା ମାଂସ, ମାଛ, ଚିଙ୍ଗୁଡ଼ି, ମାଛ ମୁଣ୍ଡଘାଣ୍ଟ, ଶୁଖୁଆ ତରକାରୀ ହୋଇଛି । ଶୁଖୁଆ ନା ଶିଣୁବା ମାତ୍ରେ ବିଜୁ ପଟ୍ଟନାୟକ ଉତ୍ଫୁଲିତ ହୋଇଗଲେ । କହିଲେ- ଶୀଘ୍ର ଖାଇବା ଆଣ । ଭୋକ ହେଲାଣି । ବିଜୁ ପଟ୍ଟନାୟକଙ୍କ ସହିତ ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ଗାନ୍ଧି ମିଶ୍ର ଯାଇଥିଲେ । ପୁରୀର ସେ ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲେ । ବିଜୁ ପଟ୍ଟନାୟକ ତାଙ୍କୁ ଖାଇବା ପାଇଁ ଡାକିଲେ । ସେ ବିଜୁ ପଟ୍ଟନାୟକଙ୍କ ପାଖରେ ବସିଲେ । ଯେତେବେଳେ ଖାଇବା ବଢ଼ା ହେଲା ସେ ଦେଖିଲେ ଖାସି ମାଂସ ଠାରୁ ଆରମ୍ଭ କରି ଶୁଖୁଆ ରହିଛି । ସେ ହଠାତ୍ ଉଠି ଚାଲିଗଲେ । ବିଜୁବାବୁ ତାଙ୍କୁ ପଚାରିଲେ କୁଆଡ଼େ ଯାଉଛୁ । ସେ କହିଲେ- ଆଜି ସଂକ୍ରାନ୍ତି । ଆଇଁଷ ଖାଇବା ତ ଦୂରର କଥା, ଆଇଁଷକୁ ସେ ଚାହାନ୍ତି ହିଁ ନାହିଁ । ବିଜୁ ପଟ୍ଟନାୟକ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ- ସଂକ୍ରାନ୍ତି ଫକ୍ରାନ୍ତି କିଛି ନାହିଁ । ମୁଁ ଆମିଷ ଖାଇବି ତୁ ବି ଆମିଷ ଖାଇବୁ । ଗାନ୍ଧି ମିଶ୍ର ବିଜୁ ପଟ୍ଟନାୟକଙ୍କ ପାଖରେ ବସି ସେଦିନ ସଂକ୍ରାନ୍ତିରେ ବି ଆମିଷ ଖାଇଲେ । ବିଜୁ ପଟ୍ଟନାୟକ ଭୁରୀ ଭୋଜନ କଲେ । ଭୁବନେଶ୍ୱର ମୁନିସ୍ପାଲଟିର କାଉନ୍ସିଲର ଥିଲେ ତଫରୁକ ହୁସେନ୍ । ସେ ତାଙ୍କ ଝିଅ ବାହାଘରକୁ ବିଜୁ ପଟ୍ଟନାୟକଙ୍କୁ ଡ଼ାକିଲେ । ସେ ଭାବିଥିଲେ ବିଜୁ ପଟ୍ଟନାୟକ ଯାଇନପାରନ୍ତି ବୋଲି । ବିଜୁ ପଟ୍ଟନାୟକ ସାଂଗେ ସାଂଗେ ଯିବାକୁ ହଁ କରିଦେଲେ ଆଉ କହିଲେ- ଚିକେନ୍ ରୋଷ୍ଟ କରୁଥିବୁ, ମୁଁ ଖାଇବି । ନିର୍ଦ୍ଧାରିତ ସମୟରେ ବିଜୁ ପଟ୍ଟନାୟକ ତଫରୁକ ହୁସେନ୍ଙ୍କ ଘରେ ପହଞ୍ଚିଲେ । ତାଙ୍କ ଝିଅକୁ ସେ ଆର୍ଶିବାଦ ଦେବା ପରେ ପଚାରିଲେ ଚିକେନ୍ ରୋଷ୍ଟ କାହିଁ । ସାଙ୍ଗେ ସାଙ୍ଗେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚିକେନ୍ ରୋଷ୍ଟ ବିଜୁ ପଟ୍ଟନାୟକଙ୍କୁ ପରଷା ଗଲା । ସେ ଗୋଟିଏ ଗୋଟିଏ ରୋଷ୍ଟ ୫ରୁ ୧୦ ମିନଟ୍ ଭିତରେ ଖାଇଦେଲେ । ତାଙ୍କର ଚିକେନ୍ ରୋଷ୍ଟ ଖାଇବା ଦେଖିବାକୁ ଶହଶହ ଲୋକ ସେଠାରେ ଜମା ହୋଇଥାଆନ୍ତି । ସେଦିନ ପ୍ରାୟ ୧୦ଟା ପାଖାପାଖି ଚିକେନ୍ ରୋଷ୍ଟ ବିଜୁ ପଟ୍ଟନାୟକ ଖାଇଥିଲେ । ଖାଇସାରି ଉଠିଲା ବେଳକୁ ତଫରୁକ ହୁସେନଙ୍କ ଘର ଦେଖି କହିଲେ- ଭଲ ଘର ଖଣ୍ଡେ କରେ । ମୁଁ ଟଙ୍କା ଦଉଛି । ଘର ପ୍ରତିଷ୍ଠା କଲା ବେଳେ ମୋତେ ଡ଼ାକିବୁ । ମୁଁ ଚିକେନ୍ ରୋଷ୍ଟ ପୁଣି ଖାଇବି । କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ସେତୁ ହେଉଛି ବେଲ୍ଗାଁ । ସେଠାରେ ଗୋଟିଏ ଆଇବି ଅଛି । ୧୯୮୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜୁବାବୁ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ସେହି ଆଇବି ପାଖାପାଖି ୫ଦିନ ରହିଥିଲେ । ସେହି ଗାଁରେ ଯୋଗେନ୍ଦ୍ର ବେହେରା ରହୁଥାଆନ୍ତି । ବିଜୁବାବୁଙ୍କ ପାଖକୁ ଯାଇ ସେ କହିଲେ ଆପଣଙ୍କର ଖାଇବା ପିଇବା କଥା ମୁଁ ବୁଝିବି । ସକାଳ ଜଳଖିଆ କଣ ଖାଇବେ ବୋଲି ପଚାରିବାରୁ ବିଜୁବାବୁ ଅଣ୍ଡା ପୋଚ୍ ବୋଲି କହିଲେ । ଦେଶି କୁକୁଡ଼ା ଅଣ୍ଡା ପୋଚ୍ ତାଙ୍କୁ ଦିଆଗଲା ପରେ ସେ ବେଶ୍ ଖୁସି ହୋଇଗଲେ । ଖାସି ମାଂସ ଭଲ ମିଳେ ବୋଲି ଯୋଗେନ୍ଦ୍ର କହିବାରୁ ବିଜୁବାବୁ କହିଲେ- ଖାସିର ବୟସ ୧ ବର୍ଷରୁ ଅଧିକ ହୋଇନଥିବ । ଦାନ୍ତ ଚାରିଟା ଉଠିଥିବ । କାନ ଦୁଇଟି ଠିଆ ହୋଇଥିବ । ସେଭଳି ଖାସି ଆଣି ତାଙ୍କୁ ଦେଖାଇଲେ ସେ ହଁ କହିଲେ କଟା ହେବ ବୋଲି କହିଲେ । ଦେଶି କୁକୁଡ଼ା ମାଂସ ରୋଷେଇ କରିବା ପାଇଁ କହିଲେ । ଚୁନା ମାଛ ଆଉ ଚୁଙ୍ଗୁଡ଼ି ମାଛ ପ୍ରଚୁର ଆଣିବାକୁ କହିଲେ । ୬-୭ କେଜି ଓଜନର ଖାସି କଟା ହେଲେ ସେ ସବୁ ଏକାଥରକେ ଖାଇଦିଅନ୍ତି । ୫ଟି କୁକୁଡ଼ାରୁ କମ୍ ହେଲେ ତାଙ୍କ ପାଇଁ ନିଅଣ୍ଟ ହୁଏ । ବିଜୁବାବୁ ଏତେ ଖାଉଛନ୍ତି ବୋଲି ପ୍ରଚାର ହେବା ପରେ ତାଙ୍କ ଖାଇବା ଦେଖିବା ପାଇଁ ଗାଁ ଲୋକ ଆଇବିରେ ପଂହଚିଥିଲେ । ଥରେ ବିଜୁ ପଟ୍ଟନାୟକ ନବୀନ ନିବାସରେ ଥଆନ୍ତି । କାହାକୁ ଯେମିତି ଅପେକ୍ଷା କରିଥାଆନ୍ତି । ହଠାତ୍ କାହାର ପାଟି ଶୁଣି ସେ ପଚାରିଲେ ଗାନ୍ଧି ମିଶ୍ର ଆସିଲା କି । ଉତ୍ତର ଆସିଲା ଆଜ୍ଞା ଆସିଛନ୍ତି । ବିଜୁବାବୁ ଉପରୁ ତଳକୁ ଆସି ଗାନ୍ଧି ମିଶ୍ରଙ୍କୁ ଦେଖି କହିଲେ ମଂଜି ଶୁଖୁଆ ଆଣିଛୁ ତ, ମୋତେ ଦେଖା । ଗାନ୍ଧି ମିଶ୍ର ମଂଜି ଶୁଖୁଆ ତାଙ୍କୁ ଦେଖାଇଲେ । ବିଜୁବାବୁ ସାଙ୍ଗେ ସାଙ୍ଗେ ବରାଦ କଲେ ମଂଜି ଶୁଖୁଆ ଭଜା ହେବା ପାଇଁ । ଭଜା ମଂଜି ଶୁଖୁଆ ଆସିବା ପରେ ସେ ତାକୁ ଏକା ନିଶ୍ୱାସରେ ଖାଇଚାଲିଲେ । ଏମିତି ଯେ ବିଜୁ ପଟ୍ଟନାୟକ ସବୁବେଳେ ମାଛ, ମାଂସ ଖାଆନ୍ତି ତାହା ନୁହେଁ । ବିଜୁ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀ ଥିଲା ଭୁବନେଶ୍ୱର । ଦିନେ ସେ ଏହି ନିର୍ବାଚନ ମଣ୍ଡଳୀର ବାଲିପଡ଼ା ଅଂଚଳକୁ ଯାଇଥିଲେ । କିନ୍ତୁ ହଠାତ୍ ସେ ବାରଙ୍ଗ ଆଡ଼କୁ ଚାଲିଗଲେ । ବାରଙ୍ଗ ତାଙ୍କ ନିର୍ବାଚନ ମଣ୍ଡଳୀ ନଥିଲା । ତାଙ୍କ ଝିଅ ସେଠାରେ ରହୁଛି ବୋଲି କହି ପଚାରି ପଚାରି ତାଙ୍କ ଘରକୁ ଗଲେ । ତାଙ୍କ ଘରେ ଯାଇ ପଂହଚିଲା ବେଳକୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସିଧାସଳଖ କହିଲେ ପଖାଳ ଭାତ ଆଣେ ଆଉ ତା ସାଙ୍ଗକୁ ସାଗଭଜା । ବାରିରୁ ସାଗ ଅଣା ଯାଇ ଭଜା ଗଲା । ବିଜୁ ପଟ୍ଟନାୟକ ସେଦିନ ସେଠାରେ ପଖାଳ ଭାତ, ସାଗ ଭଜା ଖାଇ ବେଶ୍ ଆତ୍ମତୃ ପ୍ତି ଲାଭ କରିଥିଲେ । ଖାଦ୍ୟ ରସିକ ବିଜୁ ପଟ୍ଟନାୟକ ରାସ୍ତାରେ ଯିବା ବେଳେ ମଧ୍ୟ ଚକୁଳି ପିଠା, ଅଣ୍ଡା ସିଝା, ଅଣ୍ଡା ଆମ୍ଲେଟ୍ ଖାଉଥିଲେ । ବିଜୁ ପଟ୍ଟନାୟକଙ୍କ ଖାଦ୍ୟ ପ୍ରୀତି ମୃତ୍ୟୁ ପର୍ଯ୍ୟନ୍ତ ରହିଥିଲା । ଯେତେବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ ତାହା ପୂର୍ବରୁ ବସା ଦହି ଆଉ ଦେଶୀ କଦଳୀ ବି ଖାଇଥିଲେ । ଦିନେ କମ୍ୟୁନିଷ୍ଟ ନେତା ଲୋକନାଥ ଚୌଧୁରୀଙ୍କୁ ବିଜୁ ପଟ୍ଟନାୟକ କହିଲେ- ପାରାଦୀପ ଅଠର ବାଙ୍କିର ଯେତେ କଙ୍କଡ଼ା ସବୁ ତୁ ଖାଇଦଉଛୁ । ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦର କରିଥିଲା । ତା ପାଖକୁ କିଛି କଙ୍କଡ଼ା ପଠା । ତାପର ଦିନ ଲୋକନାଥ ବାବୁ ପ୍ରବଳ କଙ୍କଡ଼ା ବିଜୁ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ । ବିଜୁବାବୁ ସେହି କଙ୍କଡ଼ାକୁ ହାଣ୍ଡିରେ ଘୋଡ଼ାଇ ରଖିଥିଲେ । ହାଣ୍ଡିର ବିଭିନ୍ନ ସ୍ଥାନରେ କଣା କରିଥିଲେ । ସବୁ ଦିନ ୧୦ଟି ଲେଖାଏ କଂକଡ଼ା ସେଥିରୁ ବାହାରିବ ଆଉ ତରକାରୀ ହେବ । ବିଜୁ ପଟ୍ଟନାୟକଙ୍କ ଖାଇବାର ବିକଳ୍ପ ବ୍ୟକ୍ତିଟିଏ ବି ଆଜି ଦେଖିବାକୁ କେହି ପାଇବେ ନାହିଁ । ପ୍ରକୃତରେ ବିଜୁ ପଟ୍ଟନାୟକ ଯେମିତି ଖାଉଥିଲେ ସେମିତି ଲୋକଙ୍କୁ ମଧ୍ୟ ଖୁଆଉଥିଲେ ।

Leave A Reply

Your email address will not be published.