ଆମେରିକା ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ବୃଦ୍ଧି ପାଉଛି

0 66

ୱାଶିଂଟନ, ୫ ।୩: ଆମେରିକାରେ ରହୁଥିବା ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ନିଜର ଦବଦବା ଦେଖାଇଛନ୍ତି । ସେମାନେ ଆମେରିକୀୟମାନଙ୍କୁ ମଧ୍ୟ ପଛରେ ପକାଇ ସାରିଲେଣି ବୋଲି ଆଜି ଖୋଦ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ଆମେରିକା ପ୍ରଶାସନରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବାଇଡେନ ଏଭଳି ବୟାନ ଦେଇଛନ୍ତି । ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଥିବା ବାଇଡେନ ନିଜ ଶାସନ କାଳର ୫୦ ଦିନ ପୂରଣ କରିବା ଆଗରୁ ନିଜ ପ୍ରଶାସନରେ ପ୍ରାୟ ୫୫ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକଙ୍କୁ ନିଯୁକ୍ତି ଦେଇ ସାରିଲେଣି । ସରକାରଙ୍କ ପ୍ରତିଟି ବିଭାଗରେ ଭାରତୀୟ ବଂଶୋଦ୍ଭବ ରହିଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେବା ଦିନ ବାଇଡେନ ଦେଇଥିବା ଉଦବୋଧନ ବି ଜଣେ ଭାରତୀୟ ବଂଶୋଦ୍ଭବ ଲେଖିଥିଲେ । ନାସା ବୈଜ୍ଞାନିକମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ବାଇଡେନ କହିଛନ୍ତି, ବର୍ତ୍ତମାନ ଦେଶରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନେ ସବୁଥିରେ ଆଗକୁ ବଢ଼ିଛନ୍ତି । ଆପଣ(ସ୍ୱାତୀ ମୋହନ), ମୋ ଉପରାଷ୍ଟ୍ରପତି କମଳା ହାରିସ, ମୋ ସ୍ପିଚ୍ ରାଇଟର ବିନୟ ରେ‡ୀ ଏହି ତାଲିକାରେ ରହିଛନ୍ତି ବୋଲି ବାଇଡେନ କହିଛନ୍ତି । ନାସାର ମଙ୍ଗଳ ୨୦୨୦ ମିଶନର ନେତୃତ୍ୱ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ସ୍ୱାତୀ ମୋହନ ନେଇଥିଲେ । ନାଭିଗେସନ ଠାରୁ କଣ୍ଟ୍ରୋଲ ଅପରେସନ ଯାଏ ସବୁ କଥା ସେ ହିଁ ବୁଝୁଥିଲେ । ଜାନୁଆରୀ ୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ବାଇଡେନ ନିଜ ପ୍ରଶାସନରେ ୫୫ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତି ଦେଇ ଇତିହାସ ସୃଷ୍ଟି କରିଛନ୍ତି । ଏହି ୫୫ ଜଣଙ୍କ ମଧ୍ୟରେ କମଳା ହାରିସ ନାହାନ୍ତି । କାରଣ ସେ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦରେ ଅବସ୍ଥାପିତ ହୋଇଛନ୍ତି । ବାଇଡେନଙ୍କ ପ୍ରଶାସନରେ ନିଯୁକ୍ତି ପାଇଥିବା ୫୫ ଜଣଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ସେମାନଙ୍କ ମଧ୍ୟରୁ ଅନେକ ହ୍ୱାଇଟ ହାଉସରେ କାମ କରୁଛନ୍ତି ।

Leave A Reply

Your email address will not be published.