ନିଜ କର୍ମଚାରୀଙ୍କ ପରିବାରର ଟିକାକରଣ ଖର୍ଚ୍ଚ ଉଠାଇବ ରିଲାଏନ୍ସ

0 68

ନୂଆଦିଲ୍ଲୀ, ୫ ।୩: କରୋନା ଟିକାକରଣ ପ୍ରକ୍ରିୟାରେ ନିଜକୁ ସାମିଲ୍ କରିଛି ରିଲାଏନ୍ସ । ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସର କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କ ଟିକାକରଣ ଖର୍ଚ୍ଚ ରିଲାଏନ୍ସ ଉଠାଇବ । ରିଲାଏନ୍ସର ନିର୍ଦ୍ଦେଶକ ତଥା ମୁକେଶ ଅମ୍ୱାନୀଙ୍କ ସ୍ତ୍ରୀ ନୀତା ଅମ୍ୱାନୀ ଏଭଳି ଏକ ବିବୃତ୍ତି ଜାରି କରିଛନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହିତାଧିକାରୀ ପଞ୍ଜିକରଣ କରାଇବା ଉଚିତ୍ ବୋଲି ନୀତା ଅମ୍ବାନୀ କହିଛନ୍ତି । ନୀତା ଅମ୍ବାନୀ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ରିଲାଏନ୍ସ ଦେଶ ସହ ଛିଡା ହୋଇଛି । ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ପ୍ରାୟ ୧୦ ଲକ୍ଷ ଲୋକଙ୍କ କରୋନା ଟିକାକରଣ ପାଇଁ ଖର୍ଚ୍ଚ ଉଠାଇବ । ଏହାପୂର୍ବରୁ ଡିସେମ୍ବର ୨୦୨୦ରେ “ରିଲାଏନ୍ସ ଫ୍ୟାମିଲି ଡେ’ ଅବସରରେ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ କହିଥିଲେ ଯେ ଆବଶ୍ୟକ ଅନୁମତି ମିଳିବା ପରେ ରିଲାଏନ୍ସ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ରିଲାଏନ୍ସ । ନୀତା ଅମ୍ବାନୀ ଚିଠିରେ ଆହୁରି କହିଛନ୍ତି ଯେ ମୁକେଶ ଏବଂ ମୁଁ ବିଶ୍ୱାସ କରୁ ଯେ କେବଳ ସେମାନଙ୍କ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଦ୍ୱାରା ପରିବାର ଗଠନ ହୁଏ । ଏହି ବଡ଼ ପରିବାରର ନାମ ହେଉଛି ରିଲାଏନ୍ସ-ଫ୍ୟାମିଲି । ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ନୀତା ଅମ୍ୱାନୀ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆପଣଙ୍କ ସମସ୍ତଙ୍କ ସହଯୋଗରେ ଆମେ ଶୀଘ୍ର ଏହି ମହାମାରୀରୁ ଉଦ୍ଧାର ପାଇବୁ । ଏଥିସହ ସେ ଶେଷରେ ଲେଖିଛନ୍ତି କରୋନା ହାରିବ, ଭାରତ ଜିତିବ । ସୂଚନାଯୋଗ୍ୟ, ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ବହୁବିଧ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ଏବେ ଟିକା ନେଉଛନ୍ତି । ଟିକାକରଣ ପ୍ରକ୍ରିୟାକୁ ଆହୁରି ଶୀଘ୍ର କରାଇବା ପାଇଁ କେନ୍ଦ୍ର ସରକାର ଏବେ ଏହି ସେବାକୁ ୨୪ ଘଣ୍ଟିଆ କରିଛନ୍ତି ।

Leave A Reply

Your email address will not be published.