ସବୁ ରାସ୍ତାରେ ସରକାରଙ୍କୁ ଘେରିବେ ଚାଷୀ

0 65

ମାର୍ଚ୍ଚ ୧୩ରେ କୋଲକାତା ଯିବେ ଚାଷୀ : ରାକେଶ ଟିକାୟତ

ନୂଆଦିଲ୍ଲୀ, ୭ ।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନକୁ ୧୦୦ ଦିନ ପୂରଣ ହେଲାଣି । ହେଲେ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ନାଁ ଧରୁ ନାହାନ୍ତି କେନ୍ଦ୍ର ସରକାର । ଏଣୁ ଚାଷୀ ଏବେ ଅଧୈର୍ଯ୍ୟ ହେବାରେ ଲାଗିଲେଣି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପୁରା କେନ୍ଦ୍ର ସରକାର ଏବେ କୋଲକାତା ବସିଛି । ଏଣୁ ସରକାରଙ୍କ ସହ ଆଲୋଚନା ଲାଗି କୃଷକ ନେତାମାନେ କୋଲକାତା ଯିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ମାର୍ଚ୍ଚ ୧୩ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ରବିବାର ଘୋଷଣା କରିଛନ୍ତି । ଏଥିରୁ ଚାଷୀମାନେ ଏବେ ସେହି ସବୁ ସ୍ଥାନକୁ ଯିବେ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ସରକାର ଏବେ ସେମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଚାଷୀ ଜାଣି ସାରିଲେଣି । ଏଣୁ ଚାଷୀ ସବୁ ରାସ୍ତାରେ ସରକାରଙ୍କୁ ଏବେ ଘେରିବା ଲାଗି ନୂଆ ରଣନୀତିରେ ଆଗକୁ ବଢୁଛନ୍ତି । ଏଥିରେ କୃଷକ ନେତା ରାକେଶ ଟିକାୟତ ପଶ୍ଚିମବଙ୍ଗ ଗସ୍ତ କରି ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଚାଷୀ ଆନ୍ଦୋଳନ ବିଧାନସଭା ନିର୍ବାଚନ ପ୍ରସଙ୍ଗ ହେଉ ତାହା କୃଷକ ନେତା ଚାହୁଁଛନ୍ତି । ଏଥିଲାଗି ଯାହା ଦରକାର ସବୁ କରାଯିବ ବୋଲି କହିଛନ୍ତି ଟିକାୟତ । ତେଣେ ଆଇନ ପ୍ରତ୍ୟାହାର ନ ହେଲେ ଚାଷୀ ଦିଲ୍ଲୀ ସୀମାରୁ ନ ହଟିବାକୁ ଏକ ପ୍ରକାର ପଣ କରିନେଇଥିବା ପରି ଲାଗୁଛି । ଆଗକୁ ଗ୍ରୀଷ୍ମ ଋତୁ । ଏଥିରେ ଆନ୍ଦୋଳନ ଜାରି ରଖିବା ଲାଗି ଚାଷୀ ନଡା ଓ ବାଉଁଶ ଆଣି ଦିଲ୍ଲୀ ସୀମାରେ ଚାଳ ଛପର ଘର ତିଆରିବାରେ ଲାଗିଲେଣି । ୩ କୃଷି ଆଇନ ପ୍ରତ୍ୟାହାର ଚାଷୀଙ୍କ ଦାବି ବୋଲି ରାକେଶ ଟିକାୟତ ଶନିବାର କହିଛନ୍ତି । ସରକାର ଯେଉଁ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଦିଲ୍ଲୀରେ ଜାରି ରହିବ । ଏହାଛଡା ଏହାକୁ ସାରା ଦେଶରେ ବ୍ୟାପକ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ । ଏହି ଅବସରରେ ଦିଲ୍ଲୀ କୃଷକ ଆନ୍ଦୋଳନର ବାର୍ତ୍ତା ନେଇ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଯାଉଥିବା ଟ୍ରାକ୍ଟର ରାଲିକୁ ଟିକାୟତ ପତାକା ଦେଖାଇ ଉଦଘାଟନ କରିଥିଲେ ।

Leave A Reply

Your email address will not be published.