ସ୍ଥିତି ଖୋଜି ପାଉନି କଂଗ୍ରେସ

0 73

ଡିଏମକେ ଦେଲା ମାତ୍ର ୨୫ଟି ଆସନ

ନୂଆଦିଲ୍ଲୀ, ୮ ।୩: ଦେଶରେ ଯେଉଁଠି ନିର୍ବାଚନ ହେଉଛି, ସେଠାରେ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ୁଛି ନଚେତ ଆଞ୍ଚଳିକ ପାର୍ଟିଗୁଡ଼ିକର ଶରଣରେ ପଶି ସାନ ଭାଇ ଭଳି ରହୁଛି । ଅନ୍ତଃକନ୍ଦଳ ଓ ନେତୃତ୍ୱର ଅଭାବ ଦେଶର ସର୍ବପୁରାତନ ରାଜନୀତିକ ଦଳକୁ ଦିନକୁ ଦିନ ଦୁର୍ବଳ କରିବାରେ ଲାଗିଛି । ଏହି କାରଣରୁ ଦଳ ପ୍ରାୟ ସବୁ ରାଜ୍ୟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ଏକଦା ପୂରା ଦେଶକୁ ଶାସନ କରୁଥିବା କଂଗ୍ରେସ ଏବେ ମାତ୍ର କିଛି ହାତ ଗଣତି ରାଜ୍ୟରେ ବହୁ କଷ୍ଟରେ ସରକାର ଗଠନ କରିପାରିଛି । ଏଭଳି ସ୍ଥିତିରେ କଂଗ୍ରେସର ଆଗାମୀ ଭବିଷ୍ୟତ କ’ଣ ହେବ ବୋଲି ରାଜନୈତିକ ପଣ୍ଡିତମାନେ ଚିନ୍ତାରେ ପଡ଼ିଛନ୍ତି । କଂଗ୍ରେସ କେତେ ଦୁର୍ବଳ ହୋଇଯାଇଛି, ତା’ର ପ୍ରମାଣ ତାମିଲନାଡୁ ସିଟ୍ ଶେୟାରିଂରୁ ପ୍ରମାଣିତ ହୋଇଛି । ଏଠାରେ ଦଳ ମୁଖ୍ୟ ବିରୋଧୀ ଦଳ ଏମକେ ଷ୍ଟାଲିନଙ୍କ ଡିଏମକେ ସହ ମେଣ୍ଟ କରିଛି । ହେଲେ ତାମିଲନାଡୁର ୨୩୪ଟି ବିଧାନସଭା ଆସନରୁ ଡିଏମକେ ସହଯୋଗୀ କଂଗ୍ରେସକୁ ମାତ୍ର ୨୫ଟି ଆସନ ଦେଇଛି । ଏହା ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ବେଳେ ଆରଜେଡି ସହଯୋଗୀ କଂଗ୍ରେସକୁ ୭୪ଟି ଆସନ ଛାଡ଼ିଥିଲା । ହେଲେ ବିହାରରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଆଞ୍ଚଳିକ ଦଳଗୁଡ଼ିକ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି । ସେମାନେ କଂଗ୍ରେସ ସହ ମେଣ୍ଟ କରୁଥିଲେ ହେଁ ଦଳକୁ ଅଧିକ ଆସନ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ଖାସ୍ ଏହି କାରଣ ପାଇଁ ଡିଏମକେ ତାମିଲନାଡୁରେ କଂଗ୍ରେସକୁ ୨୫ଟି ଆସନ ଛାଡ଼ିଛି । ବେଙ୍ଗଲରେ କଂଗ୍ରେସ ବାମପନ୍ଥୀ ସହ ମେଣ୍ଟ କରିଛି । ଦଳ ଏଠାରେ ୯୨ଟି ଆସନରେ ପ୍ରାର୍ଥୀ ଦେବ । ହେଲେ ବାମପନ୍ଥୀ ଏଠାରେ ବଡ଼ ଭାଇ ଭୂମିକାରେ ରହିଛି । ତେବେ କଂଗ୍ରେସ ଯେଉଁ ବାମପନ୍ଥୀ ଦଳ ସହ ମେଣ୍ଟ କରିଛି, ବେଙ୍ଗଲରେ ମଧ୍ୟ ଏହାର ସେତେଟା ପ୍ରଭାବ ନାହିଁ । ଏଠାରେ ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି । ଏଭଳି ସ୍ଥିତିରେ କଂଗ୍ରେସର ସ୍ଥାନ କେଉଁଠି, ସେକଥା ଦଳୀୟ ନେତା ବି ଜାଣି ନାହାନ୍ତି । କଂଗ୍ରେସ ବେଙ୍ଗଲରେ ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ଗୋଳିଆ ପାଣିରୁ କେବଳ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଥିବା ବିଶେଷଜ୍ଞମାନେ କହିଛନ୍ତି । ପୁଡୁଚେରୀ କଥା ବିଚାରକୁ ନେଲେ ଏଠାରେ କଂଗ୍ରେସ ୫ ବର୍ଷ ତଳେ ସରକାର ଗଠନ କରିଥିଲା । ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏକାଧିକ ଦଳୀୟ ବିଧାୟକ ଇସ୍ତଫା ଦେଇଥିଲେ । ଏଥିପାଇଁ ନାରାୟଣସ୍ୱାମୀଙ୍କ ସରକାର ଭାଙ୍ଗି ଯାଇଥିଲା ଓ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏଭଳି ସ୍ଥିତିରେ କଂଗ୍ରେସର ଭବିଷ୍ୟତ ପଡ଼ୁଚେରୀରେ ମଧ୍ୟ ଶଙ୍କା ମଧ୍ୟରେ ରହିଛି । ଦଳ ଏଠାରେ ପୁଣି ସରକାର ଗଠନ ନ କରିବାର ଯଥେଷ୍ଟ ସମ୍ଭାବନା ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ବେଳେ କଂଗ୍ରେସ ଓ ଅଖିଳେଶ ଯାଦବଙ୍କ ସପା ମେଣ୍ଟ କରିଥିଲେ । ବହୁ ଟଣାଓଟରା ପରେ କଂଗ୍ରେସ ୧୦୬ଟି ଆସନରେ ପ୍ରାର୍ଥୀ ଦେଇଥିଲା । ହେଲେ ଏଠାରେ ଦଳ ମାତ୍ର ୭ଟିରେ ଜିତିବାରୁ ସପା ମଧ୍ୟ ମେଣ୍ଟରୁ ଓହରି ଯାଇଥିଲା ।

Leave A Reply

Your email address will not be published.