ବାଟଲା ହାଉସ ମାମଲା, ଆରିଜ ଖାନ୍ ଦୋଷୀ ସାବ୍ୟସ୍ତ

0 72

ନୂଆଦିଲ୍ଲୀ, ୮ ।୩: ୨୦୦୮ ମସିହା ଦିଲ୍ଲୀ ବାଟଲା ହାଉସ୍ ଏନକାଉଣ୍ଟର ମାମଲାରେ ରାୟ ଶୁଣାଇଛନ୍ତି ଦିଲ୍ଲୀର ସାକେତ କୋର୍ଟ । ସୋମବାର ରାୟ ଶୁଣାଣି କରି କୋର୍ଟ ଅଭିଯୁକ୍ତ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀର ହୋଇଥିବା ଏହି ସିରିଏଲ ବ୍ଲାଷ୍ଟ ମାମଲାରେ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ଆରିଜ ଖାନକୁ ୧୩ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ବିଚାରପତି ସନ୍ଦୀପ ଯାଦବଙ୍କ କୋର୍ଟରେ ଆରିଜକୁ ହାଜର କରାଯାଇଥିଲା । ବିଚାରପତି କହିଥିଲେ ୧୯ ସେପ୍ଟେମ୍ବର ୨୦୦୮ରେ ଆରିଜ ନିଜ ସହକର୍ମୀଙ୍କ ସହ ମିଶି ବାଟଲା ହାଉସରେ ଉପସ୍ଥିତ ଥିଲା । ପରେ ଉପସ୍ଥିତ ପୁଲିସ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲା ଆରିଜ । ତେବେ ଏହି ମାମଲାରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ଏବଂ ହେଡ କନଷ୍ଟେବଳ ବଲୱନ୍ତଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବରଖାସ୍ତ କରାଯାଇଥିଲା ବୋଲି କୋର୍ଟ କହିଛନ୍ତି । ମାର୍ଚ୍ଚ ୧୫ରେ କୋର୍ଟ ଏହି ମାମଲାର ଦଣ୍ଡବିଧାନ ଶୁଣାଇବେ । ଦଣ୍ଡବିଧାନ ଶୁଣାଣି ବେଳେ ଏହି ଘଟଣାରେ ମୃତକଙ୍କ ପରିବାରକୁ କେତେ କ୍ଷତିପୂରଣ ଦିଆଯାଇଛି କେତେ କ୍ଷତିପୂରଣ ପ୍ରଦାନ କରାଯିବ, ଦୋଷୀ କେତେ କ୍ଷତିପୂରଣ ଦେବ ଏ ସମସ୍ତ ଉପରେ ବିଚାରପତି ରାୟ ଶୁଣାଇବେ । ଆରିଜ ଖାନ ନାଁରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ରହିଛି । ଏଭଳି ଆତଙ୍କ ସୃଷ୍ଟି କରି ଆରିଜ ୧୬୫ ଜଣଙ୍କର ଜୀବନ ନେଇଥିବା ଅଭିଯୋଗ ରହିଛି । ଏମିତିକି ବୋମା ତିଆରି କରି ବାହାରକୁ ବେଆଇନ୍ ଭାବରେ ଆରିଜ ଏକ୍ସପୋର୍ଟ କରୁଥିବାର ମଧ୍ୟ ଅଭିଯୋଗ ରହିଛି । ୨୦୦୭ରେ ୟୁପି, ୨୦୦୮ରେ ଅହମଦାବାଦ ଏବଂ ଜୟପୁରରେ ସିରିଏଲ ବ୍ଲାଷ୍ଟ କରିଥିବାର ଅଭିଯୋଗ ଆରିଜ ନାଁରେ ରହିଛି । ସୂଚନାଯୋଗ୍ୟ ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀ ଆରିଜ ଖାନ୍ ଏନକାଉଣ୍ଟର ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ହେଲେ ସେ ଖସିଯିବାରେ ସଫଳ ହୋଇଥିଲା । ଏହି ଘଟଣାର ୧୦ ବର୍ଷ ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଫେବୃଆରୀ ୨୦୧୮ରେ ଆରିଜକୁ ଗିରଫ କରିବାରେ ସଫଳ ହୋଇଥିଲା । ଏନକାଉଣ୍ଟର ବେଳେ ଆରିଜ ଶହଜାଦ ପୁଲିସ ଉପରକୁ ଫାଇରିଂ କରି ଖସି ପଳାଇବାରେ ସଫଳ ହୋଇଥିଲା । ଆରିଜ ନେପାଳରେ ସଲିମ ନାମରେ ଛଦ୍ମ ନାଁରେ ପାସପୋର୍ଟ ତିଆରି କରି ରହୁଥିଲା । ସେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲା । ୧୩ ସେପ୍ଟେମ୍ୱର ୨୦୦୮ରେ ଦିଲ୍ଲୀରେ ହୋଇଥିବା ଏହି ସିରିଏଲ ବ୍ଲାଷ୍ଟ ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩୩ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.