ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଖୋଳତାଡ଼ ଆରମ୍ଭ

0 63

ନୂଆଦିଲ୍ଲୀ, ୮ ।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ନିକଟରୁ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆରମ୍ଭ କରିଛି । ଆଜି ଏନଆଇଏ ବିଧିବଦ୍ଧ ଭାବେ ତଦନ୍ତ ଭାର ଗ୍ରହଣ କରିଛି । ଏବେ ଏନଆଇଏ ଘଟଣାରେ ପୁନଃ ମାମଲା ରୁଜୁ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଘଟଣାର ତଦନ୍ତ ଏନଆଇଏ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ନିର୍ଦ୍ଦେଶ ଅନୁସାରେ ଆଜି ଏନଆଇଏ ତଦନ୍ତ ଭାର ଗ୍ରହଣ କରିଛି । ଫେବୃଆରୀ ୨୫ରେ ଅମ୍ବାନୀଙ୍କ ଆଣ୍ଟିଲିଆ ସ୍ଥିତ ବାସଭବନ ନିକଟରୁ ଗୋଟିଏ ସ୍କର୍ପିଓ ମିଳିଥିଲା । ଏହା ମଧ୍ୟରୁ ବୋମା ନିଷ୍କ୍ରିୟକାରୀ ଟିମ୍ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ପୁଲିସ୍ କହିଛି ଯେ ଏହି ଗାଡ଼ିଟିକୁ ଫେବୃଆରୀ ୧୮ରେ ଅଇରୋଲି-ମୁଲୁନ୍ଦ ବ୍ରିଜ୍ ନିକଟରୁ ଚୋରି କରି ନିଆଯାଇଥିଲା । ପୁଲିସ ଗାଡ଼ିର ମାଲିକଙ୍କୁ ମଧ୍ୟ ଠାବ କରିଥିଲା । ତେବେ ମାଲିକଙ୍କ ପାଖରେ ପୁଲିସ୍ ପହଞ୍ଚିବା ପୂର୍ବରୁ ତାଙ୍କ ମୃତଦେହ ମୁମ୍ବାଇର ଗୋଟିଏ ନାଳ ପାଖରୁ ମିଳିଥିଲା । ତାଙ୍କ ମୁହଁରେ ୫ଟି ରୁମାଲ ମଧ୍ୟ ବନ୍ଧା ଯାଇଥିଲା । ଏହା ହତ୍ୟା ନା ଆତ୍ମହତ୍ୟା, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏସବୁ ଭିତରେ ଏନଆଇଏ ତଦନ୍ତଭାର ହାତକୁ ନେଇଛି । ଗାଡ଼ିଟିକୁ କିଏ ଓ କାହିଁକି ଏଠାରେ ରଖିଲା? ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେସବୁର ତଦନ୍ତ ଏନଆଇଏ କରିବ । ଏନଆଇଏ ସାଧାରଣତଃ ଆତଙ୍କବାଦୀ ହମଲା ଓ ଆତଙ୍କୀ ଷଡ଼ଯନ୍ତ୍ରର ତଦନ୍ତ କରିଥାଏ । ଏବେ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାର ତଦନ୍ତ ଏନଆଇଏ ହାତକୁ ନେଇଥିବାରୁ ଲୋକଙ୍କ ମନରେ ଆତଙ୍କୀ ଷଡ଼ଯନ୍ତ୍ରର ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.