ସୌମେନ୍ଦ୍ରଙ୍କ ଉପରେ ଭରସା

0 62

ଗତ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱର ଅଶାନ୍ତ ହୋଇପଡ଼ିଛି । ହତ୍ୟାକାଣ୍ଡ, ରାହାଜାନି, ଚୋରି, ଲୁଟ୍ ଇତ୍ୟାଦି ଘଟଣା ରାଜଧାନୀବାସୀଙ୍କୁ ବ୍ୟସ୍ତବିବ୍ରତ କରିପକାଇଛି । ବିଭିନ୍ନ ଅପରାଧୀମାନେ ଦିନ ଦ୍ୱିପ୍ରହରରେ ସର୍ବସାଧାରଣଙ୍କ ଆଖିରେ ଧୂଳି ଦେଇ ଏଭଳି କାଣ୍ଡମାନ ଭିଆଇ ଚାଲିଛନ୍ତି । ଜନସାଧାରଣ ଦେଖୁଥିଲେ ବି ଏହା ବିରୋଧରେ ପାଟି ଖୋଲିବାକୁ ଉଚିତ୍ ମଣୁନଥିବା ପରିଲକ୍ଷିତ ହେଉଛି । ସେହିପରି ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ବି ନେଇ ଲୋକେ ବଜାର ହାଟ, ଗଳିକନ୍ଦିରେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । ଅବଶ୍ୟ ୨୨ ବର୍ଷ ତଳର ଅଞ୍ଜନା ବଳାକ୍ରାର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବିନ ବିଶ୍ୱାଳକୁ କମିଶନରେଟ୍ ପୋଲିସ ଗିରଫ କରି ବାଃ ବାଃ ସାଉଁଟିଥିଲେ ବି ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ କିନ୍ତୁ ରୋକିବାରେ ସେତେଟା ସଫଳ ହୋଇନଥିବା ଆଲୋଚନା ଜୋର୍ ଧରିଛି । ସୁଧାଂଶୁ ଷଡ଼ଙ୍ଗୀଙ୍କ କାର୍ଯ୍ୟଦକ୍ଷତା ଉପରେ ଆସ୍ଥା ଓ ଭରସା କରି ତାଙ୍କୁ ପୋଲିସ କମିଶନର ପଦବୀ ଦିଆଯାଇଥିଲେ ବି ଗତ କିଛିଦିନର ଏଭଳି କିଛି ଘଟଣା ତାଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଥିଲା । ଏହାକୁ ଗୁରୁତ୍ୱ ସହକାରେ ଗ୍ରହଣ କରି ଏବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ କମିଶନର ଭାବେ ନବନିଯୁକ୍ତ କରାଯାଇଛି । ଅବଶ୍ୟ ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କାର୍ଯ୍ୟଧାରାକୁ ଯଦି ତର୍ଜମା କରାଯାଏ ତେବେ ତାଙ୍କର ଦକ୍ଷତା ଉପରେ କେହି ବି ପ୍ରଶ୍ନ କରିପାରିବେ ନାହିଁ । ପୋଲିସ କମିଶନର ଦାୟିତ୍ୱ ମିଳିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ମୁଁ ନିଷ୍ଠାର ସହ ନିଜର କାର୍ଯ୍ୟ ସଂପାଦନ କରିବି । ଏଭଳି ପଦବୀ ପାଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି ସେ କହିଥିଲେ । ତଥାପି ବର୍ତ୍ତମାନର ଅଶାନ୍ତ ଟ୍ୱିନ୍ସିଟିକୁ ନିୟନ୍ତ୍ରଣ କରିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପାଇଁ କୌଣସି ଚାଲେଞ୍ଜ ଠାରୁ କିଛି କମ୍ ନୁହେଁ । ବର୍ତ୍ତମାନ ସମୟରେ ଗାଡ଼ି ଚୋରି, ଚେନ୍ ଲୁଟେରା, ଜବରଦଖଲକାରୀଙ୍କ ଉତ୍ପାତ, ଟ୍ରାଫିକ୍ ନିୟନ୍ତ୍ରଣ, ହତ୍ୟା ଓ ବଳାକ୍ରାର ଭଳି ଘଟଣା ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯଦିଓ ଏଥିପାଇଁ କମିଶନରେଟ୍ ପୋଲିସ ଯଥେଷ୍ଟ ଯତ୍ନବାନ୍ ଥିବା ପରି ମନେହୁଏ ତଥାପି ଆଇନ୍କାନୁନ୍କୁ ଏମାନେ ଖାତିର ନକରି ଗୋଟିଏ ପରେ ଗୋଟିଏ ଅଘଟଣ ଘଟାଇ ଚାଲିଛନ୍ତି । ତେବେ ଟ୍ୱିନ୍ସିଟିବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଯେ ତାଙ୍କର କାର୍ଯ୍ୟକୁ ସଠିକ୍ ଭାବେ ନିର୍ବାହ କରିବେ ଓ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏହା ଲୋକେ ତାଙ୍କ ଠାରୁ ଯଥେଷ୍ଟ ଆଶା ରଖିଛନ୍ତି ।

Leave A Reply

Your email address will not be published.