ନିର୍ବାଚନ କମିଶନ ନିରପେକ୍ଷ ରହିବା ଦରକାର ବୋଲି କହିଲେ ସୁପ୍ରିମକୋର୍ଟ

0 68

ନୂଆଦିଲ୍ଲୀ, ୧୨ ।୩: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ କେବେ ହେଲେ ବୁଝାମଣା କରାଯାଇପାରିବ ନାହିଁ । ନିର୍ବାଚନ କମିଶନ ସବୁବେଳେ ନିରପେକ୍ଷ ରହିବା ଉଚିତ ବୋଲି ଆଜି ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ବେଳେ କହିଛନ୍ତି । ଏଥିସହ ରାଜ୍ୟ ନିର୍ବାଚନ କମିଶନର ଅତିରିକ୍ତ ଚାର୍ଜ ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଦେବା ଭାରତୀୟ ସମ୍ବିଧାନକୁ ଉପହାସ କରିବା ସହ ସମାନ ବୋଲି ମଧ୍ୟ କୋର୍ଟ କହିଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟ ଗୋଆ ନିର୍ବାଚନ କମିଶନଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ୧୦ ଦିନ ଭିତରେ ବିଜ୍ଞପ୍ତି ଓ ଏପ୍ରିଲ ୩୦ ସୁଦ୍ଧା ପୂରା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମନଙ୍କ ନେତତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନର ଯିଏ ହେବେ, ସେ ସବୁବେଳେ ନିରପେକ୍ଷ ରହିବା ଦରକାର । ସେହିପରି କୌଣସି ରାଜ୍ୟ ସରକାରୀ ପଦପଦବୀରେ ରହିଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ଦେଇପାରିବେ ନାହିଁ । ପରିତାପର ବିଷୟ ହେଉଛି ଯେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଗୋଆରେ ନିର୍ବାଚନ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସରକାରରେ ରହି କାର୍ଯ୍ୟ କରୁଥିବା ଅଧିକାରୀ ଜଣଙ୍କ କ୍ଷମତା ପାଇବା ପରେ ହାଇକୋର୍ଟଙ୍କ ରାୟକୁ ବଦଳାଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି । ହାଇକୋର୍ଟ କହିବା ସତ୍ତେ୍ୱ ସେ ଗୋଆରେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ଚେଷ୍ଟା କରିବା ଦୁଃଖର ବିଷୟ ବୋଲି ଜଷ୍ଟିସ ନରିମନ କହିଛନ୍ତି । ଅନ୍ୟପକ୍ଷରେ ଗୋଆର ମାରଗୋ, ମୋରମୁଗାଓ, ମାପୁସା, ସଙ୍ଗଉମେ ଓ ବ୍ୟୁପେମ୍ରେ ନିର୍ବାଚନ ବନ୍ଦ କରିବାକୁ ନଗର ଉନ୍ନୟନ ବିଭାଗ ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ମାର୍ଚ୍ଚ ୧ରେ ରଦ୍ଦ କରିଦେଇଥିଲେ । ତେବେ ଏହା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି ।

Leave A Reply

Your email address will not be published.