ଚିନ୍ତା ବଢ଼ାଇଲା କରୋନା: ଗୋଟିଏ ହଷ୍ଟେଲର ୪୪ ପଜିଟିଭ

0 58

ମୁମ୍ବାଇ, ୧୨ ।୩: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ଏସବୁ ଭିତରେ ଲାଠୁରର ଏମଆଇଡିସି ଅଞ୍ଚଳରେ ଥିବା ଗୋଟିଏ ହଷ୍ଟେଲର ୪୪ ଜଣ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାର ମାସକ ପୂର୍ବରୁ ଏହି ସମାନ ହଷ୍ଟେଲର ୪୭ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ସହରର ଉପକଣ୍ଠରେ ଥିବା ଗୋଟିଏ ଇଂରାଜୀ ମିଡିୟମ ସ୍କୁଲ ନିକଟରେ ଏହି ହଷ୍ଟେଲଟି ରହିଛି । ଏଠାରେ ୮ମରୁ ୧୦ମ ଶ୍ରେଣୀର ପିଲାମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଶିକ୍ଷାର୍ଥୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା କରାଯିବ । ସେହିପରି ହଷ୍ଟେଲକୁ ବିଶୋଧନ କରାଯିବା ସହ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ପୂରା ଲାଠୁରରେ ଗତ ୨୪ ଘଣ୍ଟାରେ ମୋଟ ୧୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୧ ଜଣ ପୌରପାଳିକା ଅନ୍ତର୍ଗତ ଅଞ୍ଚଳର । ସେହିପରି ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଲାଠୁରରେ କରୋନା ଯୋଗୁ ଏଯାଏ ମୋଟ ୭୧୫ ଜଣଙ୍କ ମୃତ୍ୟୁ ଘଟିଲାଣି ।

Leave A Reply

Your email address will not be published.