ସାଂସଦ ଅଭିଷେକ ବାନାର୍ଜୀଙ୍କ ଶ୍ୱଶୁର ଓ ଶଢ଼ୁଙ୍କୁ ସିବିଆଇ ସମନ

0 70

କୋଲକାତା, ୧୨ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖରେ ଆସୁଛି ସିବିଆଇ ମଧ୍ୟ ରାଜ୍ୟରେ ସେତିକି ସକ୍ରିୟ ହେବାରେ ଲାଗିଛି । କୋଇଲା ଚୋରା ଚାଲାଣ ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଶ୍ୱଶୁର ଘରର ସଦସ୍ୟଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କୋଇଲା ଚୋରା ଚାଲାଣ ଘଟଣାରେ ପଚାରା ଉଚରା କରିବା ପାଇଁ ଅଭିଷେକଙ୍କ ଶ୍ୱଶୁର ଓ ଶଢ଼ୁଙ୍କୁ ସିବିଆଇ ସମନ କରିଛି । ସେମାନଙ୍କୁ ମାର୍ଚ୍ଚ ୧୫ ତାରିଖରେ ସିବିଆଇର କୋଲକାତା ୟୁନିଟ୍ରେ ହାଜର ହେବାକୁ କୁହାଯାଇଛି । ସୂଚନା ଅନୁସାରେ ପୂର୍ବରୁ କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ପଚାର ଉଚରା କରିଥିଲେ । ତାଙ୍କ ଠାରୁ କିଛି ତଥ୍ୟ ମିଳିଲା କି ନାହିଁ, ସେ ବିଷୟରେ ସିବିଆଇ ଏଯାଏ କିଛି ବି କହିନାହିଁ । ସେହିପରି ତାଙ୍କ ଶାଳୀ ମାନେକା ଗମ୍ଭୀରଙ୍କୁ ମଧ୍ୟ ସିବିଆଇ ଜେରା କରି ସାରିଛି । ଏସବୁ ଭିତରେ ଆଜି ସିବିଆଇ ପବନ ଓ ଅଙ୍କୁଶ ଅରୋରାଙ୍କୁ ହାଜର ପାଇଁ ସମନ କରିଛି । ଅଙ୍କୁଶ ହେଉଛନ୍ତି ଅଭିଷେକ ବାନାର୍ଜୀଙ୍କ ଶାଳୀ ମାନେକା ଗମ୍ଭୀରଙ୍କ ସ୍ୱାମୀ । ସେହିପରି ପବନ ହେଉଛନ୍ତି ଅଭିଷେକଙ୍କ ଶ୍ୱଶୁର । ଏମାନଙ୍କୁ ବେଆଇନ କୋଇଲା ଖଣି ଓ ଇଷ୍ଟର୍ଣ୍ଣ କୋଲଫଲ୍ଡିସ ଲିଃରୁ କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପଚରାଉଚରା କରିବ ।

Leave A Reply

Your email address will not be published.