କଙ୍ଗନାଙ୍କୁ କିଏ ଅଧିକାର ଦେଲା?

0 59

ପ୍ରତ୍ୟେକ ମଣିଷର କିଛି ଭଲ ଓ କିଛି ଖରାପ କର୍ମ ଥାଏ । କିନ୍ତୁ ଯେତେବେଳେ ତା’ର ଭଲ କର୍ମର ମାତ୍ରା ଅଧିକ ହୋଇଥାଏ ସେତେବେଳେ ତା’ର ଖରାପ କର୍ମକୁ ଲୋକେ ହିସାବକୁ ନେଇନଥାନ୍ତି । ତା’ ବାଦ୍ ଯଦି ଉକ୍ତ ବ୍ୟକ୍ତିର ଦେଶ, ଜାତି ପାଇଁ ଉତ୍ସର୍ଗୀକୃତ ମନୋଭାବ ଥାଏ ଓ ସେହି ବ୍ୟକ୍ତି ଦ୍ୱାରା ଜଣେ ନୁହେଁ ବରଂ ସାମୁହିକ ବିକାଶ ହୁଏ ସେତେବେଳେ ସେ ବ୍ୟକ୍ତିର ମହାନତା ଆହୁରି ଚକ୍ଚକ୍ କରିଥାଏ । ଠିକ୍ ସେହିପରି ବ୍ୟକ୍ତିଜଣକ ହେଉଛନ୍ତି ମହାତ୍ମା ଗାନ୍ଧି । ତାଙ୍କର ନୀତି, ଆଦର୍ଶ, ଚିନ୍ତାଧାରା ତାଙ୍କୁ କେବଳ ଯେ ଭାରତବର୍ଷରେ ମହାନ୍ କରିଛି ତା’ ନୁହେଁ ବରଂ ଗାନ୍ଧି ବିଚାରଧାରା ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପ୍ରଚାରିତ ଓ ପ୍ରସାରିତ । ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ତାଙ୍କର ଯେଉଁ ବଳିଷ୍ଠ ନେତୃତ୍ୱ ଓ ଜାତିକୁ ଏକଜୁଟ୍ କରିବା ପାଇଁ ସେ ଯେଉଁ ଆହ୍ୱାନ ଦେଇଥିଲେ ସେଥିରେ ମାତିଥିଲେ ଭାରତର କୋଟି କୋଟି ଲୋକ । ଖାସ୍ ସେଇଥିପାଇଁ ତ ସେ ଜାତିର ଜନକ ଆଖ୍ୟା ପାଇଛନ୍ତି ଆଉ ବ୍ରିଟିଶ୍ଙ୍କ କବଳରୁ ଦେଶକୁ ମୁକ୍ତ କରିବାରେ ସେ ମହାନ୍ ଯୋଦ୍ଧା ପାଲଟିଛନ୍ତି । କିନ୍ତୁ ବହୁ ସମୟରେ ଦେଖାଯାଏ କିଛି ବ୍ୟକ୍ତି ନିଜର ସଂକୀର୍ଣ୍ଣ ଚିନ୍ତାଧାରା ଦର୍ଶାଇବାକୁ ଯାଇ ଓ ନିଜକୁ ଲାଇମ୍ଲାଇଟ୍ରେ ରଖିବା ପାଇଁ ମହାତ୍ମା ଗାନ୍ଧିଙ୍କୁ ଘୋର ଅପମାନ ଦେଇଥାନ୍ତି । ବର୍ତ୍ତମାନ ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ବଲିଉଡ୍ର ବିବାଦୀୟ କ୍ୱିନ୍ କଙ୍ଗନା ରଣାୱତ । କଙ୍ଗନା ତାଙ୍କ ଟ୍ୱିଟରରେ ଦର୍ଶାଇଛନ୍ତି ଯେ ଗାନ୍ଧି ଜଣେ ଭଲ ପିତା କିମ୍ବା ପତି ନଥିଲେ । ଗାନ୍ଧିଙ୍କ ପ୍ରତି ଏଭଳି ଶବ୍ଦ ବ୍ୟବହାର କରିବା ପାଇଁ କଙ୍ଗନାଙ୍କୁ କିଏ ଅନୁମତି ଦେଲା? ଆଜି ସାରା ବିଶ୍ୱ ଗାନ୍ଧି ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ନିଜ ଦେଶରେ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଗାନ୍ଧିବାଣୀ ଶୁଣାଉଥିବା ବେଳେ ଭାରତବର୍ଷରେ କିନ୍ତୁ ବହୁସମୟରେ ଏଭଳି ବ୍ୟତିକ୍ରମ କାହିଁକି? ସ୍ୱାଧୀନ ଚିନ୍ତାଧାରା, ସ୍ୱାଧୀନ ମତବ୍ୟକ୍ତ ଅଧିକାର ପାଇବାର ମାନେ ନୁହେଁ ଯେ କୌଣସି ବ୍ୟକ୍ତିର ତା’ର ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କରାଯିବା ଉଚିତ୍? ଯଦି କଙ୍ଗନାଙ୍କୁ କେହି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଟିକାଟିପ୍ପଣୀ କରେ ତେବେ ତାଙ୍କୁ କିଭଳି ଲାଗିବ? ଥରେ ଏକଥା ଚିନ୍ତା କରିଛନ୍ତି କି କଙ୍ଗନା? କଥାରେ ଅଛି ମଣିଷ ମାତ୍ରକେ ହିଁ ଭୁଲ୍ ରହିଥାଏ । ଠିକ୍ ଅଛି ଗାନ୍ଧିଙ୍କ ଜୀବନରେ ବି କେଉଁଠି ନା କେଉଁଠି ଭୁଲ୍ ଥାଇପାରେ । କିନ୍ତୁ ତାଙ୍କର ସୁକର୍ମ ତାଙ୍କୁ ଏତେ ସୁଖ୍ୟାତି ଆଣିଦେଇଛି ଯେ ଏସବୁ ଅଭିଯୋଗ ଭିତ୍ତିହୀନ ମନେହୁଏ । ଯଦି ନିଜେ ଏ ସମାଜ ପାଇଁ କିଛିଟା ଭଲ କର୍ମ କରିବାକୁ ଚେଷ୍ଟା କର ତେବେ ସମାଜରେ କିଛି ବ୍ୟକ୍ତି ତ ଆପଣଙ୍କ ପଛରେ ଲାଗିଯିବେ । କିନ୍ତୁ ତା’ର ମାନେ ନୁହେଁ ଯେ ଆପଣ ସେମାନଙ୍କୁ ଡରି ପଛକୁ ହଟିଯିବା ଉଚିତ୍ । ଅନ୍ୟକୁ ଦୋଷ ଦେବା ଆଗରୁ ପ୍ରଥମେ ନିଜର କର୍ମ ଓ ବିଚାରଧାରାକୁ ଉନ୍ନତ କରିଲେ ଲୋକେ ଆପଣଙ୍କୁ ବି ଦିନେ ନା ଦିନେ ବାହାବା କରିବେ ଏଥିରେ ଦ୍ୱିମତ ନାହିଁ । କିନ୍ତୁ ତାହା ଯଦି ନକରିପାରୁଛ ତେବେ ଚୁପ୍ ରହିବା ଭଲ । ଅନ୍ୟଥା ଗାନ୍ଧିଙ୍କ ଭଳି ମହାତ୍ମାଙ୍କୁ ବଦ୍ନାମ କରିବାକୁ ଚେଷ୍ଟା କଲେ ନିଜେ ହିଁ ଲୋକଙ୍କ ପାଖରେ ଅପ୍ରିୟର ପାତ୍ର ହେବା ସାର ।

Leave A Reply

Your email address will not be published.