କେରଳର ୯୧ଟି ସ୍ଥାନରେ ପ୍ରାର୍ଥୀ ଦେବ କଂଗ୍ରେସ

0 74

ଥିରୁଅନନ୍ତପୁରମ, ୧୩ ।୩: ଆଗାମୀ କେରଳ ବିଧାନସଭାର ୧୪୦ଟି ଆସନରୁ କଂଗ୍ରେସ ଏକାକୀ ୯୧ଟି ଆସନ ପ୍ରାର୍ଥୀ ଦେବ । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସନ୍ତାକାଲି ଘୋଷଣା ହେବ ବୋଲି ଜଣାପଡ଼ିଛି । ରାଜ୍ୟ କଂଗ୍ରେସ ସଭାପତି ଏମ ରାମଚନ୍ଦ୍ରନ, ବିଧାନସଭାର ବିରୋଧୀ ଦଳ ନେତା ରମେଶ ଛେତ୍ତିଥାଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡୀ ଦିଲ୍ଲୀରେ ମାନସମନ୍ଥନ କରିବା ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛନ୍ତି । ଏହାପରେ ସେମାନେ କହିଛନ୍ତି ଯେ ଦଳ ଆଗାମୀ କେରଳ ବିଧାନସଭା ନିର୍ବାଚନରେ ୯୧ଟି ଆସନରେ ପ୍ରାର୍ଥୀ ଦେବ । ୮୧ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ତାଲିକା ସର୍ବସମ୍ମତିକ୍ରମେ ଚୂଡ଼ାନ୍ତ ହୋଇ ସାରିଛି । ବାକି ୧୦ଟି ଆସନରେ କିଏ ପ୍ରାର୍ଥୀ ହେବେ, ତା’ ଉପରେ ଆଲୋଚନା କରାଯାଉଛି । ରାମଚନ୍ଦ୍ରନ କହିଛନ୍ତି, ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି କେରଳର ୯୧ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି । ସମସ୍ତ ପ୍ରାର୍ଥୀଙ୍କ ନାଁ ରବିବାର ଦିନ ଘୋଷଣା କରାଯିବ । କ’ଣ ୨୦୧୬ରେ ବିଜେପି ଜିତିଥିବା ଏକମାତ୍ର ଆସନ ନେମୋମ ପାଇଁ ପ୍ରାର୍ଥୀ ବଛାଯାଇ ସାରିଛି କି ବୋଲି ପ୍ରଶ୍ନର ଉତ୍ତରରେ ରମେଶ କହିଛନ୍ତି, ଏଠାରେ କେବେ ହେଲେ ଦୁର୍ବଳ ନେତାଙ୍କୁ ଟିକେଟ ଦିଆଯିବ ନାହିଁ । କେରଳରେ କୌଣସି ସାଂସଦ ପ୍ରାର୍ଥୀ ହେଉନାହାନ୍ତି । ସେହିପରି କୌଣସି ନେତା ଦୁଇଟି ଆସନରେ ବି ଲଢ଼ିବେ ନାହିଁ । ରାଜ୍ୟରେ ଦଳ ଏକାଠି ଅଛି । ୟୁଡିଏଫର ସବୁ ସଦସ୍ୟ ଏକାଠି ଅଛନ୍ତି । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଆମ ମେଣ୍ଟ ବିଜୟୀ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଅନ୍ୟପକ୍ଷରେ ଆଇୟୁଏମଏଲ କେରଳରେ ୨୭ଟି ସ୍ଥାନରେ ପ୍ରାର୍ଥୀ ଦେବ । ଶୁକ୍ରବାର ଦଳ ଜଣେ ମହିଳାଙ୍କ ସହ ୨୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କେରଳ କଂଗ୍ରେସ(ଯୋଜେଫ)କୁ ୧୦ଟି ଆସନ ମିଳିଛି । ସେହିପରି ଆରଏସପି ୫ଟି, ନ୍ୟାଶନାଲ କଂଗ୍ରେସ ପାର୍ଟି ୨ଟି ଆସନରେ ପ୍ରାର୍ଥୀ ଦେବ । କେରଳ କଂଗ୍ରେସ(ଜ୍ୟାକୋବ), ଭାରତୀୟ ନ୍ୟାଶନାଲ ଜନତା ଦଳ ଓ ସିଏମପି ମଧ୍ୟ ଗୋଟିଏ ଆସନରେ ଲଢ଼ିବେ । ଭଡକାରା ଆସନରୁ ଯଦି ଆରଏମପିର କେକେ ରେମା ପ୍ରାର୍ଥୀ ହେବେ, ତା’ହେଲେ ତାଙ୍କୁ ମେଣ୍ଟରେ ଥିବା ଦଳଗୁଡ଼ିକ ପୂର୍ଣ୍ଣ ସମର୍ଥନ କରିବେ ବୋଲି ରମେଶ କହିଛନ୍ତି । ବର୍ତ୍ତମାନ କେରଳରେ କ୍ଷମତା ଦଖଲ କରିଥିବା ସିପିଏମ ଓ ସିପିଆଇ ପୂର୍ବରୁ କେରଳ ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେପି ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.