ବନ୍ଦ ହେବ ଏକ ହଜାରରୁ ଅଧିକ ଇସଲାମିକ ସ୍କୁଲ

0 64

କଲେମ୍ବୋ, ୧୩ ।୩: ଧାର୍ମିକ କଠୋରପନ୍ଥୀର ଶିକାର ଶ୍ରୀଲଙ୍କା ଏବେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ କରୁଛି । ମହିନ୍ଦା ରାଜପକ୍ଷେ ସରକାରଙ୍କ ଜଣେ ମନ୍ତ୍ରୀ ଶନିବାର ଘୋଷଣା କରିଛନ୍ତି ଯେ, ବହୁତ ଶୀଘ୍ର ଦେଶରେ ବୁର୍ଖା ଉପରେ କଟକଣା ଲାଗିବ । ଏହାବ୍ୟତୀତ ଅତିକମ୍ରେ ଏକ ହଜାର ଇସଲାମିକ୍ ସ୍କୁଲ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ । ଶ୍ରୀଲଙ୍କା ବ୍ୟତୀତ ଦୁନିଆର ଅନେକ ଦେଶ ବୁର୍ଖା ଉପରେ କଟକଣା ଲଗାଇ ସାରିଛନ୍ତି । କିଛି ଦିନ ପୂର୍ବେ ସ୍ୱିଜରଲାଣ୍ଡରେ ମଧ୍ୟ ଜନମତ ଆଧାରରେ ବୁର୍କା ପିନ୍ଧିବା ଉପରେ କଟକଣା ଲାଗୁ କରାଯାଇଛି । କ୍ୟାବିନେଟ୍ର ମଞ୍ଜୁରୀ ପାଇଁ ଏହି ସଂପର୍କିତ ବିଲ୍ ଉପରେ ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ସରଥ ଭେରାସେକେରା ଦସ୍ତଖତ କରିଛନ୍ତି । ଏହି ବିଧେୟକରେ ରାଷ୍ଟ୍ରୀୟ ସୁରକ୍ଷା ଆଧାରରେ ମୁସଲିମ ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ କଟକଣା ଲଗାଇବାକୁ ଦାବି କରାଯାଇଛି । ଯଦି ଏହି ବିଲ୍ ସଂସଦରେ ଗୃହୀତ ହୁଏ ତେବେ ଶ୍ରୀଲଙ୍କାର ସଂସଦରେ ଏହା ଉପରେ ଆଇନ ତିଆରି ହୋଇପାରେ । ଭେରାସେକେରା କହିଛନ୍ତି, ସରକାର ଏକ ହଜାରରୁ ଅଧିକ ମଦରସା ଇସଲାମିକ ସ୍କୁଲ ଉପରେ କଟକଣା ଲଗାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେ କହିଛନ୍ତି, ଏହି ମଦରସା ଶ୍ରୀଲଙ୍କାର ରାଷ୍ଟ୍ରୀୟ ଶିକ୍ଷାନୀତିର ଅସମ୍ମାନ କରୁଛନ୍ତି । ସେ କଠୋର ଶବ୍ଦରେ କହିଛନ୍ତି ଯେ, ଦେଶରେ ଏବେ କୌଣସି ବି ସ୍କୁଲ ଖୋଲା ଯାଇପାରିବ ନାହିଁ । ଏହା ପୂର୍ବରୁ ନେଦରଲାଣ୍ଡ, ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍ଜିୟମ, ଜର୍ମାନୀ, ସ୍ୱିଜରଲାଣ୍ଡ ଓ ଡେନମାର୍କରେ ବୁର୍କା ଉପରେ କଟକଣା ଲାଗୁ କରାଯାଇଛି । ନିକଟରେ ଜର୍ମାନୀ, ଫ୍ରାନ୍ସ ଓ ଡେନମାର୍କ ପରି ଦେଶ କଠୋରପନ୍ଥୀକୁ ଦୃଷ୍ଟିରେ ରଖି ବୁର୍ଖା ପିନ୍ଧିବା ଉପରେ କଟକଣା ଲଗାଇଛି ।

Leave A Reply

Your email address will not be published.