ସ୍ୱତନ୍ତ୍ର ଅବକାରୀ ଅଦାଲତ ପ୍ରତିଷ୍ଠା କେବେ?

0 75

ଏବେ ନିଶା କାରବାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବଢ଼ିବାରେ ଲାଗିଛି । ନିଶା ଖାଇ ଯୁବପିଢ଼ୀମାନେ ନିଜର ଭବିଷ୍ୟତକୁ ନଷ୍ଟ କରୁଥିବା ବେଳେ ଅନେକ ପରିବାର ଧ୍ୱଂସ ମଧ୍ୟ ହୋଇଛି । ଏହି ନିଶାଖୋରଙ୍କ ଯୋଗୁଁ ଚୋରି, ରାହାଜାନି ଆଦି ବଢ଼ିବା ସହିତ ରାଜ୍ୟରେ ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ପୋଲିସ ଏବଂ ଅବକାରୀ ବିଭାଗ କାଁ ଭାଁ ଚଢ଼ାଉ କରୁଥିବାବେଳେ ଏ କାରବାର କିନ୍ତୁ ବେଫିକର ଭାବେ ଚାଲିଛି । ଅବକାରୀ ମାମଲାର ତ୍ୱରିତ ଫଇସଲା ସହ ଚୋରା ନିଶା କାରବାର ନିୟନ୍ତ୍ରଣ ଏବଂ ଏହି ଅପରାଧରେ ଜଡ଼ିତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସ୍ୱତନ୍ତ୍ର ଅବକାରୀ ଅଦାଲତ ପ୍ରତିଷ୍ଠା ପାଇଁ ଆଇନ୍ରେ ବ୍ୟବସ୍ଥା ଥିଲେ ମଧ୍ୟ ତାହା ମଧ୍ୟ ଏଯାଏଁ ହୋଇପାରି ନାହିଁ । ଯଦ୍ୱାରା ନିଶା କାରବାର ବଢ଼ିବାରେ ଲାଗିଛି । ଓଡ଼ିଶା ଅବକାରୀ ଆଇନ୍ର ୮୭ ଧାରାରେ ସ୍ୱତନ୍ତ୍ର ଅବକାରୀ ଅଦାଲତ କଥା ଉଲ୍ଲେଖ ରହିଛି । ୧୨ ବର୍ଷରୁ ତଳକୁ ଏହି ଆଇନ୍ ପ୍ରଣୟନ ହୋଇଥିଲେ ହେଁ ଏହା ଏ ପର୍ଯ୍ୟନ୍ତ ସଠିକ୍ ଭାବେ ଲାଗୁ ହୋଇପାରି ନାହିଁ । ସ୍ୱତନ୍ତ୍ର ଅବକାରୀ ଅଦାଲତ ପ୍ରତିଷ୍ଠା କେବଳ ପ୍ରସ୍ତାବରେ ସୀମିତ ରହିଛି । ଗତ ୧୦ବର୍ଷ ମଧ୍ୟରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୨ରୁ ୧୦ ପ୍ରତିଶତ ମଧ୍ୟରେ ସୀମିତ ରହିଛି । ଏହି ମାମଲାଗୁଡ଼ିକ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତକୁ ଅଣାନଯାଇ ଜେଏମ୍ଏଫ୍ସି ଓ ଏସ୍ଡିଜେଏମ୍ଙ୍କ ଅଦାଲତରେ ବିଚାର ହେଉଥିବାରୁ ଦଣ୍ଡବିଧାନ ହାର ଢ଼େର୍ କମ୍ ରହୁଥିବା ଆଇନ୍ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ୩ବର୍ଷରୁ ଅଧିକ କାରାଦଣ୍ଡ ଦେଇପାରିବେ । ତେଣୁ ଅବକାରୀ ମାମଲାଗୁଡ଼ିକୁ କିଭଳି ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ବିଚାର ହୋଇପାରିବ ସେ ସଂକ୍ରାନ୍ତରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ତାଲିମ୍ ଦିଆଯାଉଛି । ଅବକାରୀ ଆଇନ୍ର ୭୦ ଧାରା ଅନୁଯାୟୀ ପୂର୍ବରୁ ଦଣ୍ଡିତ ବ୍ୟକ୍ତି ପରେ ଯଦି ଅପରାଧ କରେ ତେବେ ସେ କ୍ଷେତ୍ରରେ ଦଣ୍ଡବିଧାନ ବୃଦ୍ଧି କରାଯାଇପାରିବ । କିନ୍ତୁ ଏହି ବ୍ୟବସ୍ଥାର ଉପଯୋଗ କରାଯାଇ ପାରୁନାହିଁ । ତା’ର ମୁଖ୍ୟ କାରଣ ହେଲା ଅବକାରୀ କର୍ମଚାରୀଙ୍କ ସଂଖ୍ୟା କମ୍ ରହିବା ଏବଂ ତଦନ୍ତ ଓ ମାମଲା ପରିଚାଳନାରେ ତ୍ରୁଟିବିଚ୍ୟୁତି ସହ ୧୦ବର୍ଷ ଧରି ମାମଲା ଗଡ଼ିବା । ଆଇନ୍ ଫାଙ୍କର ଫାଇଦା ନେଉଛନ୍ତି ଏହି ବେଆଇନ୍ ବ୍ୟବସାୟୀମାନେ । ଅପରାଧୀମାନେ ଜାଣିଛନ୍ତି ଯେ ଏହି କାରବାରରେ କଷ୍ଟ କମ୍ ଅଧିକ ଅର୍ଥ ରୋଜଗାର । ଦଣ୍ଡବିଧାନ କମ୍ ରହୁଥିବାରୁ ଏହି କାରବାର କରିବା ପାଇଁ ସେମାନେ ପଛାଉ ନାହାନ୍ତି । ଯଦି ସରକାର କଠୋର ହୋଇ ଧରପଗଡ଼କୁ ଜୋର୍ଦାର କରିବା ସହିତ ଅବକାରୀ କର୍ମଚାରୀଙ୍କ ସଂଖ୍ୟାକୁ ବୃଦ୍ଧି କରନ୍ତେ ତେବେ ଅପରାଧୀମାନେ ସାବାଡ଼ ହୁଅନ୍ତେ । ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଅବକାରୀ ଅଦାଲତ ଗଠନ ମଧ୍ୟ ଅପରିହାର୍ଯ୍ୟ ହୋଇପଡ଼ିଛି ।

Leave A Reply

Your email address will not be published.