ଦେଶରୁ ସବୁ ବ୍ୟାଙ୍କକୁ ଘରୋଇକରଣ କରାଯିବ ନାହିଁ

0 65

ନୂଆଦିଲ୍ଲୀ, ୧୬ ।୩: ବ୍ୟାଙ୍କ ଗୁଡ଼ିକର ଘରୋଇକରଣ କରିବାକୁ କେନ୍ଦ୍ର ସରକାର କରୁଥିବା ଯୋଜନା ବିରୋଧରେ ଗତକାଲିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ କରାଯାଉଛି । ସମଗ୍ର ଦେଶରେ ଏଥିଯୋଗୁଁ ବ୍ୟାଙ୍କ କାରବାର ଠପ ହୋଇଯାଇଛି । ଏହି ଧର୍ମଘଟକୁ ନେଇ ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଛନ୍ତି ଯେ ଦେଶରୁ ସବୁ ବ୍ୟାଙ୍କକୁ କେବେହେଲେ ଘରୋଇକରଣ କରାଯିବ ନାହିଁ । ଘରୋଇକରଣ ଯେବେ ବି ହେବ ସେତେବେଳେ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଘରୋଇକରଣର ବାବଦରେ ଦୀର୍ଘଦିନ ଧରି ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯାଇଛି । ଆମେ ବ୍ୟାଙ୍କ ଗୁଡ଼ିକ ଅଧିକ ଇକ୍ୱିଟି ପାଉନ୍ତୁ ବୋଲି ଚାହୁଁଛୁ । ଆମେ ବ୍ୟାଙ୍କଗୁଡ଼ିକ ଦେଶର ଆବଶ୍ୟକ ଓ ଲକ୍ଷ୍ୟକୁ ପୂରଣ କରନ୍ତୁ ବୋଲି ଚାହୁଁଛୁ । ଯେଉଁସବୁ ବ୍ୟାଙ୍କ ଗୁଡ଼ିକ ଘରୋଇକରଣ ହେବ, ସେଠାରେ କାମ କରୁଥିବା ସବୁ ସଦସ୍ୟଙ୍କ ସ୍ୱାର୍ଥ ସବୁଠାରୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବ । ଯେକୌଣସି ପରିସ୍ଥିତିରେ ମଧ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ । ପବ୍ଲିକ ସେକ୍ଟର ଏଣ୍ଟର୍ପ୍ରାଇଜ ପଲିସିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ କାମ ଜାରି ରଖିବୁ । କର୍ମଚାରୀଙ୍କ ସ୍ୱାର୍ଥକୁ ସବୁବେଳେ ସୁରକ୍ଷା ମିଳିବ ବୋଲି ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି । ଦେଶରେ ଶନିବାରଠାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି । ଶନିବାର ଦ୍ୱିତୀୟ ଶନିବାର ଥିବା ବେଳେ ରବିବାର ଛୁଟି ଦିନ ଥିଲା । ସେହିପରି ସୋମବାର ଓ ମଙ୍ଗଳବାର ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିବାରୁ ବ୍ୟାଙ୍କ ସେବା ବନ୍ଦ ରହିଛି । ଆସନ୍ତାକାଲି ଠାରୁ ବ୍ୟାଙ୍କଗୁଡ଼ିକ ପୂର୍ବଭଳି କାର୍ଯ୍ୟକ୍ଷମ ହେବ । ସରକାର ବ୍ୟାଙ୍କ ଗୁଡ଼ିକ ଘରୋଇକରଣ କରିବାକୁ ଚାହୁଁଥିବାରୁ ଏହାର କର୍ମଚାରୀମାନେ ଚାକିରି ହରାଇବା ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେମାନେ ଧର୍ମଘଟ ଡାକରା ଦେଇଛନ୍ତି ।

Leave A Reply

Your email address will not be published.