ନିଜ ହାଉସିଂ ସୋସାଇଟିର ସିସିଟିଭିକୁ ସିଜ୍ କରିଥିଲେ ସଚିନ ବାଜେ

0 74

ମୁମ୍ବାଇ, ୧୬ ।୩: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାରେ ଗିରଫ ହୋଇ ମହାରାଷ୍ଟ୍ର ପୁଲିସ୍ ସେବାରୁ ନିଲମ୍ବିତ ହୋଇଥିବା ଅଧିକାରୀ ସଚିନ ବାଜେଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ଖଚିତ ଗାଡ଼ିର ତଦନ୍ତ ପ୍ରଥମେ ସଚିନ ବାଜେ କରୁଥିଲେ । ଏହି ସମୟରେ ସେ ନିଜେ ରହୁଥିବା ହାଉସିଂ ସୋସାଇଟି ସିସିଟିଭକୁ ସିଜ୍ କରିଥିଲେ । ସୋସାଇଟିର ଡିଜିଟାଲ ଭିଡିଓ ରେକର୍ଡର ସେ କାହିଁକି ସିଜ୍ କରିଥିଲେ ସେକଥା ଜଣାପଡ଼ିନାହିଁ । ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସଚିନ ଡିଭିଆର ସିଜ୍ କରି ସିସିଟିଭି ଫୁଟେଜରେ କୌଣସି କାଟଛାଣ୍ଟ କରିଛନ୍ତି କି ନାହିଁ, ତା’ର ତଦନ୍ତ ଆରମ୍ଭ କରିଛି । ସେହିପରି ବିସ୍ଫୋରକ ଭର୍ତ୍ତି ଏସ୍ୟୁଭିକୁ ସଚିନ ନିଜ ଆବାସିକ ଅଞ୍ଚଳକୁ ଆଣିଥିଲେ କି ନାହିଁ, ତା’ର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । ଫେବୃଆରୀ ୨୫ରେ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ଗୋଟିଏ ସ୍କର୍ପିଓ ଜବତ କରାଯାଇଥିଲା । ଏହା ମଧ୍ୟରୁ ବିପୁଳ ପରିମାଣର ଜିଲୋଟିନ ଓ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାର ତଦନ୍ତ ସଚିନ ହିଁ ପ୍ରଥମେ ଆରମ୍ଭ କରିଥିଲେ । ଗାଡ଼ିଟି ମନସୁଖ ହରାନଙ୍କର ବୋଲି ଜଣାପଡ଼ିଥିଲା । ସେ ଫେବୃଆରୀ ୧୭ ତାରିଖରୁ ଗାଡ଼ିଟି ଚୋରି ହୋଇଯାଇଥିବା ପୁଲିସ୍ରେ ରିପୋର୍ଟ କରିସାରିଥିଲେ । ଘଟଣାର ତଦନ୍ତ ଚାଲିଥିବା ବେଳେ ହଠାତ୍ ମୁନସୁଖଙ୍କ ମୃତଦେହ ମାର୍ଚ୍ଚ ୫ ତାରିଖରେ ମିଳିଥିଲା । ମନସୁଖଙ୍କ ପତ୍ନୀ ମୃତ୍ୟୁପାଇଁ ସଚିନ ବାଜେଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଏହାପରେ ଏନ୍ଆଇଏ ଘଟଣାର ତଦନ୍ତ ଆରମ୍ଭ କରି ଗତ ଶନିବାର ସଚିନ ବାଜେଙ୍କୁ ୧୩ ଘଣ୍ଟା କାଳ ଜେରା କରିବା ପରେ ଗିରଫ କରିଥିଲା । ଏବେ ତଦନ୍ତ ପାଇଁ ଏନଆଇଏ ଟିମ୍ ସଚିନ ରହୁଥିବା ସୋସାଇଟିକୁ ଯାଇଥିଲା । ଏହି ସମୟରେ ସେ ହାଉସିଂ ସୋସାଇଟିର ଡିଭିଆର ଓ ସିସିଟିଭକୁ ପୂର୍ବରୁ ସିଜ୍ କରି ସାରିଥିବା ଜାଣିବାକୁ ପାଇଛି । ସୂତ୍ର ଅନୁସାରେ ଡିଭିଆର୍ରୁ ସିସିଟିଭି ଦୃଶ୍ୟକୁ ଡିଲିଟ କରିଦିଆଯାଇଛି । ପ୍ରମାଣ ନଷ୍ଟ କରିବା ଓ ମୁନସୁଖଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ଲୁଚାଇବା ପାଇଁ ସେ ଏପରି କରିଥିବା କୁହାଯାଉଛି । ଏପରି କି ସିସିଟିଭରେ ପିପିଇ କିଟ୍ ପିନ୍ଧି ଦୃଶ୍ୟମାନ ହେଉଥିବା ବ୍ୟକ୍ତିଜଣକ ନିଜେ ସଚିନ ବାଜେ ବୋଲି ମଧ୍ୟ ଏନଆଇଏ ଜାଣିବାକୁ ପାଇଛି । ଏନଆଇଏ ଏହି ଘଟଣାରେ କ୍ରାଇମ ଇଣ୍ଟେଲଜେନ୍ସ ୟୁନିଟର ଆସିସଷ୍ଟାଣ୍ଟ ପୁଲିସ୍ ଇନସପେକ୍ଟର ରିୟାଜ କାଜିଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି ।

Leave A Reply

Your email address will not be published.