ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ

0 64

ନୂଆଦିଲ୍ଳୀ, ୧୬ ।୩: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସ୍ୱପନ ଦାସଗୁପ୍ତା । ବିଜେପି ତାଙ୍କୁ ଦଳୀୟ ପ୍ରାର୍ଥୀ ଟିକେଟ ପ୍ରଦାନ କରିବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ସେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନାରେ ବିଜେପି ତରଫରୁ ସ୍ୱପନ ନିର୍ବାଚନ ଲଢ଼ିବେ । ବିଜେପି ତାଙ୍କୁ ହୁଗୁଳି ଜିଲ୍ଲାର ତରକେଶ୍ୱର ବିଧାନସଭା ନିର୍ବାଚନୀ ମଣ୍ଡଳ ଟିକେଟ ପ୍ରଦାନ କରିଛି । ତେବେ ଏହା ପୂର୍ବରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଟିଏମ୍ସି ପ୍ରଶ୍ନ ଉଠାଇଥିଲା । ସ୍ୱପନ ଦାସଗୁପ୍ତା ଜଣେ ନିର୍ଦ୍ଦଳୀୟ ସାଂସଦ ହୋଇଥିବା ବେଳେ କିପରି ବିଜେପି ପକ୍ଷରୁ ସେ ନିର୍ବାଚନ ଲଢ଼ିପାରିବେ ବୋଲି ଟିଏମ୍ସି ପ୍ରଶ୍ନ କରିଥିଲା । ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଅଭିଯୋଗ ଉଠାଇ କହିଥିଲେ ଯେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ସ୍ୱପନ ଦାସଗୁପ୍ତ ଅଯୋଗ୍ୟ ଅଟନ୍ତି । ସେ କହିଥିଲେ ସମ୍ବିଧାନର ଅଯୋଗ୍ୟତା ନିୟମ-୩ ଅନୁସାରେ ମନୋନୀତ ରାଜ୍ୟସଭା ସଦସ୍ୟ ଶପଥ ଗ୍ରହଣ କରିବାର ୬ ମାସ ପରେ ସେ ଯଦି ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ । ଏହି ଧାରା ସ୍୍ୱପନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ ।

Leave A Reply

Your email address will not be published.