ଭାରତରୁ ବିଦେଶକୁ ରପ୍ତାନୀ ହେଉଛି ଅଧିକ ୨ ଗୁଣା ଟିକା

0 48

ମୁମ୍ବାଇ, ୧୭ ।୩: ମହାମାରୀ କରୋନା ସଂକ୍ରମଣ ଭିତରେ ଏହାର ରକ୍ଷା କବଚ କୁହାଯାଇଥିବା ଟିକା ଭାରତରୁ ଅନ୍ୟ ରାଷ୍ଟ୍ରକୁ ବିପୁଳ ପରିମାଣରେ ରପ୍ତାନୀ କରାଯାଉଛି । ଜାନୁଆରୀ ୧୬ରୁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୩.୪୮ କୋଟି ଟିକାର ଡୋଜ୍ ଲୋକଙ୍କୁ ଦିଆଯାଇଛି । ତେବେ ଏହି ସମୟ ମଧ୍ୟରେ ପ୍ରାୟ ୭୦ଟି ଦେଶକୁ ମୋଟ ୫.୮୪ କୋଟିର ଡୋଜ୍ ଭାରତରୁ ରପ୍ତାନୀ କରାଯାଇଛି । ଏହାର ଅର୍ଥ ଦେଶ ଅପେକ୍ଷା ବିଦେଶୀକୁ ଅଧିକ ୨ ଗୁଣା ଟିକାର ଡୋଜ୍ ପଠାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେତେ ପରିମାଣର ଟିକା ଭାରତରୁ ବିଦେଶୀକୁ ରପ୍ତାନୀ କରାଯାଇଛି, ତା’ର ତଥ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୫୮୩.୮୫ ଲକ୍ଷ ଟିକାର ଡୋଜ୍ ବିଭିନ୍ନ ରାଷ୍ଟ୍ରଗୁଡ଼ିକୁ ପଠାଯାଇଛି । ସରକାରଙ୍କ ଏଭଳି ତଥ୍ୟ ପରେ ବିଶେଷଜ୍ଞମାନେ ଭାରତରେ ଟିକାର ଅଭାବ ପରିଲ୍ଲଖିତ ହେବ ଓ ଠିକଣା ସମୟରେ ଲୋକଙ୍କୁ ଟିକା ମିଳିପାରିବ ନାହିଁ ବୋଲି ଆଶଙ୍କା କରିଛନ୍ତି । ଅନ୍ୟପକ୍ଷରେ ଭାରତରେ ଏବେ ଦୈନିକ ୧୦ ଲକ୍ଷରୁ ଅଧିକ ଲୋକଙ୍କର ଟିକାକରଣ କରାଯାଉଛି । ମାର୍ଚ୍ଚ ୧୫ରେ ସର୍ବାଧିକ ୩ ଲକ୍ଷରୁ ଅଧିକ ଲୋକଙ୍କର ଟିକାକରଣ କରାଯାଇଥିଲା । ସବୁଠାରୁ ଅଧିକ ଲୋକଙ୍କୁ ରାଜସ୍ଥାନରେ ଟିକା ଦିଆଯାଇଛି । ଏଠାରେ ୩.୩୫ ନିୟୁତ ଟିକାର ଡୋଜ୍ ଲୋକଙ୍କୁ ଦିଆଯାଇଛି । ଏହା ପଛରେ ମହାରାଷ୍ଟ୍ର (୩.୩ ନିୟୁତ), ଉତ୍ତରପ୍ରଦେଶ(୩.୧୪ ନିୟୁତ), ପଶ୍ଚିମବଙ୍ଗ(୨.୮୯ ନିୟୁତ), ଗୁଜରାଟ (୨.୮୧ ନିୟୁତ), କେରଳ(୧.୮୪ ନିୟୁତ), କର୍ଣ୍ଣାଟକା (୧.୬୮ ନିୟୁତ), ମଧ୍ୟପ୍ରଦେଶ (୧.୬୬ ନିୟୁତ), ତାମିଲନାଡୁ (୧.୬୧ ନିୟୁତ) ଓ ବିହାରରେ ୧.୫ ନିୟୁତ ଟିକାର ଡୋଜ୍ ଲୋକଙ୍କୁ ଦିଆଯାଇଛି । ଏବେ ଦେଶରେ କରୋନାର ଦ୍ୱିତୀୟ ଲହରୀ ପ୍ରବେଶ କରିବାର ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ମହାରାଷ୍ଟ୍ରର ସ୍ଥିତି ଗମ୍ଭୀର ରହିଛି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୧୭ ହଜାର ଡେଇଁଥିବା ବେଳେ ଦେଶରେ ଆଜି ପ୍ରାୟ ୨୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । କେନ୍ଦ୍ର ସରକାର ଅଧିକରୁ ଅଧିକ ଟିକା ରାଜ୍ୟଗୁଡ଼ିକୁ ଓ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ଦିଗରେ ଗୁରୁତ୍ୱ ଦେବା ଉଚିତ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.