୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ପ୍ରାଥମିକ ଶିକ୍ଷକ

0 66

ଭୋପାଲ, ୧୭ ।୩ : ମଧ୍ୟପ୍ରଦେଶ ଭୋପାଲରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଜଣେ ପ୍ରାଥମିକ ଶିକ୍ଷକଙ୍କ ଘରେ ପୋଲିସ ଚଢ଼ଉ କରିଛି । ପ୍ରାଥମିକ ଶିକ୍ଷକ ପଙ୍କଜ ଶ୍ରୀବାସ୍ତଙ୍କ ଘରେ ପୋଲିସ ଚଢ଼ଉରେ ଆୟଠୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଘରୁ ମିଳିଥିବା ଦସ୍ତାବିଜ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ୧୯୯୮ ମସିହାରେ ଶିକ୍ଷକ ଚାକିରି ପାଇଥିବା ପଙ୍କଜ ୨୩ ବର୍ଷରେ ୫ କୋଟିରୁ ଅଧିକ ସମ୍ପତ୍ତି ଜମା କରିଛନ୍ତି । ଆଶ୍ଚର୍ଯ୍ୟ କଥା ହେଲା ଚାକିରିରୁ ତାଙ୍କୁ ଦରମା ହିସାବରେ ୩୬ ଲକ୍ଷ ୫୦ ହଜାର ଟଙ୍କା ମିଳିଛି । ତାଙ୍କ ପାଖରୁ ବହୁମାତ୍ରାରେ ଚାଷଜମି ଓ ପ୍ଲଟ ରେଜିଷ୍ଟ୍ରେସନର କାଗଜପତ୍ର ମିଳିଛି । ସନ୍ଧ୍ୟା ୬ଟା ସୁଦ୍ଧା ପାଖାପାଖି ୧୧ ଘଣ୍ଟା ଯାଏଁ ଚଢ଼ଉ ଚାଲିଥିଲା । ଚଢ଼ଉ ଟିମ ୩ଟି ସୁଟକେଶରେ ଦସ୍ତାବିଜ୍ ଭର୍ତ୍ତି କରି ନେଇଛି ଯେଉଁଥିରେ ପ୍ରପର୍ଟି, ଚେକବୁକ, ପାସ୍ବୁକ ସମେତ ଅନେକ ଦସ୍ତାବିଜ ସାମିଲ ଅଛି । ଏହିସବୁ କାଗଜପତ୍ର ଯାଞ୍ଚ ହେବ । ସେ ଭୋପାଲର ଦି-୪୧୩ ମିନାଲ ରେସିଡେନ୍ସିରେ ରୁହନ୍ତି । ମଙ୍ଗଳବାର ଦିନ ଏକ ଟିମ୍ ମିନାଲ ଓ ବଗଡୋନା ସ୍ଥିତ ଏମଜିଏମ କଲୋନୀରେ ତାଙ୍କର ଏକ ବାସଭବନରେ ଏକାସଙ୍ଗେ ଚଢ଼ଉ କରିଥିଲା । ଲକର୍ସଗୁଡିକର ଯାଞ୍ଚ ହେଉଛି । ପଙ୍କଜ ଶ୍ରୀବାସ୍ତବଙ୍କ ପାଖରୁ ମୋଟ ୨୪ ସମ୍ପତ୍ତିର ତଥ୍ୟ ମିଳିଛି । ଏଥିରେ ମିନାଲ ରେସିଡେନ୍ସିରେ ଡୁପ୍ଲେକ୍ସ, ସମରଧାରେ ଫ୍ଲାଟ, ପିପିଲିୟାରେ ଏକ ଏକର ଜମି, ଛିନ୍ଦୱାଡାରେ ୬ ଏକର ଜମି, ବେତୁଲରେ ୮ଟି ପ୍ଲଟ, ବଗଡୋନାରେ ୬ଟି ଦୋକାନ, ୧୦ଟି ଅଲଗା ଅଲଗା ଗାଁରେ ୨୫ ଏକର ଚାଷଜମି ରହିଛି । ଏହିସବୁ ସମ୍ପତ୍ତିର ମୋଟ ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା । ଭୋପାଲ ପୋଲିସ ଅଧିକ୍ଷକଙ୍କ ନେତୃତ୍ୱରେ ଅପରାଧକ୍ରମ ୫୪/୨୦୧୧ ଧାରା ୧୩(୧)(ବ) ୧୩(୨), ୧୨ ଦୁର୍ନୀତି ନିବାରଣ ଆଇନ ଅନୁସାରେ ୧୦ ସଦସ୍ୟ ଟିମ କାର୍ଯ୍ୟ କରୁଛନ୍ତି । ଅଭିଯୁକ୍ତଙ୍କ ୩ ସନ୍ତାନ ଅଛନ୍ତି । ସର୍ଚ୍ଚ ଅପରେସନ ସମୟରେ ଅତିରିକ୍ତ ତଥ୍ୟ ପ୍ରାପ୍ତ ହୋଇଛି ଯେ ପଙ୍କଜ ଶ୍ରୀବାସ୍ତବ ସେହି ଅଞ୍ଚଳର ଆବଶ୍ୟକୀୟ ଲୋକଙ୍କୁ ଉଚ୍ଚ ସୁଧ ହାରରେ କରଜ ଦେଇଥାଏ । ଲୋକଙ୍କ ସମ୍ପତ୍ତି ବନ୍ଧା ପକାଇ ସେ କରଜ ଦେଇଥାଏ । କରଜ ଟଙ୍କା ନ ସୁଝି ପାରିଲେ ତାଙ୍କ ସମ୍ପତ୍ତି ନିଜ ନାଁରେ ପଞ୍ଜିକରଣ କରିଦେଇଥାଏ ।

Leave A Reply

Your email address will not be published.