ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଠାବ

0 73

ନୂଆଦିଲ୍ଲୀ, ୧୭ ।୩: ବିଜେପି ସାଂସଦଙ୍କ ଝୁଲନ୍ତା ମୃତେଦହ ଉଦ୍ଧାର । ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଦିଲ୍ଲୀ ସ୍ଥିତ ଗୋମତି ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାସ୍ଥଳ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ସେପଟେ ସାଂସଦଙ୍କ ମୃତ୍ୟୁ ପରେ ବିଜେପିର ଆଜିର ସଂସଦୀୟ ଦଳ ବୈଠକ ରଦ୍ଦ କରାଯାଇଛି । ଖବର ଅନୁଯାୟୀ,୬୨ ବର୍ଷୀୟ ସାଂସଦ ରାମସ୍ୱରୁପ ଶର୍ମା ନିଜ ରୁମ୍ ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ମିଳିଥିବା ସୂଚନା ମୁତାବକ ପ୍ରତିଦିନ ସକାଳ ୬ଟା କିମ୍ବା ସାଢ଼େ ୬ଟାରେ ସାଂସଦ ଉଠି ଯାଉଥିଲେ କିନ୍ତୁ ଆଜି ସାଢ଼େ ୬ଟା ହେବା ପରେ ମଧ୍ୟ ସେ ଉଠିନଥିଲେ । ଏହାରେ ତାଙ୍କ ପିଏ କଣ୍ଟ୍ରୋଲ ରୁମ୍କୁ ଫୋନ କରି ଜଣାଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ରୁମ୍ ଭିତରେ ପଶିବା ପରେ ସାଂସଦଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ସେଠାରୁ ମେଡିକାଲକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ସୁଇସାଇଡ଼୍ ନୋଟ ଘଟଣାସ୍ଥଳରୁ ମିଳିନଥିବା ସୂଚନା ମିଳିଛି । ତେବେ ସାଂସଦଙ୍କ ମୃତ୍ୟୁ ପରେ ବିଜେପିର ସଂସଦୀୟ ଦଳ ବୈଠକ ବାତିଲ ହୋଇଥିବାର ସୂଚନା ରହିଛି । ସେପଟେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାମସ୍ୱରୁପଙ୍କ ମୃତ୍ୟୁଖବର ପାଇ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଦୁଇ ଦୁଇ ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି ରାମସ୍ୱରୁପ ଶର୍ମା । ପ୍ରଥମେ ୨୦୧୪ ପରେ ୨୦୧୯ରେ ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଲଗାତର ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ରାମସ୍ୱରୁପ ଶର୍ମା । ସେ ଦୀର୍ଘ ଦିନ ହେବ ରାଷ୍ଟ୍ରୀୟ ସ୍ୱଂୟ ସେବା ସଂଘ ସହ ମଧ୍ୟ ଜଡିତ ଥିଲେ । ସାଂସଦ ହେବା ପୂର୍ବରୁ ସେ ମଣ୍ଡି ଜିଲ୍ଲାର ବିଜେପି ସଚିବ ଏବଂ ପରେ ହିମାଚଳ ପ୍ରେଦଶର ବିଜେପି ସଚିବ ଥିଲେ । ତେବେ ହଠାତ୍ ତାଙ୍କର ଏପରି ମୃତ୍ୟୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି ।

Leave A Reply

Your email address will not be published.