ବଦଳିଲେ ପରମବୀର ସିଂହ,ହେମନ୍ତ ହେଲେ ନୂଆ ପୁଲିସ୍ ମୁଖ୍ୟ

0 71

ମୁମ୍ବାଇ,୧୭ ।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାରେ ମୁମ୍ବାଇ ପୁଲିସ୍ର ନିଲମ୍ବିତ ଅଧିକାରୀ ସଚିନ ବାଜେ ଗିରଫ ହେବା ପରେ ଏବେ ବଡ଼ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ଆଜି ପରମବୀର ସିଂହଙ୍କୁ ରାଜ୍ୟ ସରକାର ମୁମ୍ବାଇ ପୁଲିସ୍ କମିଶନର ପଦରୁ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ହେମନ୍ତ ନାଗରେଲ ମୁମ୍ବାଇ ପୁଲିସ୍ର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଏବେ ପରମବୀର ସିଂହ ରାଜ୍ୟ ହୋମଗାର୍ଡର ଡିଜି ଭାବେ କାର୍ଯ୍ୟ କରିବେ । ଏ ସମ୍ପର୍କରେ ଆଜି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି । ବିସ୍ଫୋରଣ ଖଚିତ ଗାଡ଼ି ମିଳିବା ଘଟଣାରେ ଗିରଫ ସଚିନ ସିଧାସଳଖ ପରମବୀର ସିଂହଙ୍କୁ ରିପୋର୍ଟ କରୁଥିଲେ । ଆଉ ସଚିନ ଏନଆଇଏ ଦ୍ୱାରା ଗିରଫ ହେବା ପରେ ପରମବୀର ସିଂହ ବିବାଦରେ ଫସିଥିଲେ । ପୂର୍ବରୁ ଫେକ୍ ଏନକାଉଣ୍ଟର ଘଟଣାରେ ସଚିନ ବାଜେ ୧୬ ବର୍ଷ ଧରି ନିଲମ୍ବିତ ହୋଇଥିଲେ । କିନ୍ତୁ ପରମବୀର ସିଂହଙ୍କ ନେତୃତ୍ୱାଧୀନ କମିଟି ହିଁ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହାପରେ ସଚିନ ବାଜେ ପୁଣିଥରେ ମୁମ୍ବାଇ ପୁଲିସ୍ର ଆସିଷ୍ଟାଣ୍ଟ ପୁଲିସ୍ ଇନସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଫେବୃଆରୀ ୨୫ରେ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ଗୋଟିଏ ସ୍କର୍ପିଓ ଜବତ କରାଯାଇଥିଲା । ଏହା ମଧ୍ୟରୁ ବିପୁଳ ପରିମାଣର ଜିଲୋଟିନ ଓ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାର ତଦନ୍ତ ସଚିନ ହିଁ ପ୍ରଥମେ ଆରମ୍ଭ କରିଥିଲେ । ଗାଡ଼ିଟି ମନସୁଖଙ୍କର ବୋଲି ଜଣାପଡ଼ିଥିଲା । ସେ ଫେବୃଆରୀ ୧୭ ତାରିଖରୁ ଗାଡ଼ିଟି ଚୋରି ହୋଇଯାଇଥିବା ପୁଲିସ୍ରେ ରିପୋର୍ଟ କରିସାରିଥିଲେ । ଘଟଣାର ତଦନ୍ତ ଚାଲିଥିବା ବେଳେ ହଠାତ୍ ମୁନସୁଖଙ୍କ ମୃତଦେହ ମାର୍ଚ୍ଚ ୫ ତାରିଖରେ ମିଳିଥିଲା । ମନସୁଖଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ସଚିନ ବାଜେଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ । ଏହାପରେ ଏନଆଇଏ ଘଟଣାର ତଦନ୍ତ ଆରମ୍ଭ କରି ଗତ ଶନିବାର ସଚିନ ବାଜେଙ୍କୁ ୧୩ ଘଣ୍ଟା କାଳ ଜେରା କରିବା ପରେ ଗିରଫ କରିଥିଲା । ଏହାକୁ ନେଇ ପରମବୀରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଗତକାଲି ଏନଆଇଏ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସ ନିକଟରେ ପାର୍କିଂ ହୋଇଥିବା ଏକ କଳା ମର୍ସଜିଡ କାର୍କୁ ଜବତ କରିଛି । ଏହି ର୍କା ଭିତରୁ ଅମ୍ୱାନୀଙ୍କ ଘର ଆଗରୁ ଜବତ ହୋଇଥିବା ସ୍କର୍ପିଓ ଗାଡିର ପ୍ରକୃତ ନମ୍ୱର ପ୍ଲେଟ ମିଳିଛି । କେବଳ ସେତିକି ନୁହେଁ, ମର୍ସଡିଜ ର୍କା ଭିତରୁ ଅନେକ ଚୋରା ଗାଡି ନମ୍ୱର ପ୍ଲେଟ ମଧ୍ୟ ଜବତ ହୋଇଛି । ଏଥିସହ ନଗଦ ୫ଲକ୍ଷ ୭୫ ହଜାର ଟଙ୍କା, ପେଟ୍ରୋଲ, ଡିଜେଲ ମଧ୍ୟ ମିଳିଥିବା ସୂଚନା ରହିଛି । ଏହି କାର୍ଟିକୁ ସଚିନ ବାଜେ ବ୍ୟବହାର କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.